କଡ଼ା ସୁରକ୍ଷା ମଧ୍ୟରେ ଆଜି ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଜୋ ବାଇଡେନ୍, କମଲା ହାରିସ୍ ହେବେ ଉପରାଷ୍ଟ୍ରପତି


ଆଜି ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍। ତାଙ୍କ ସହ ଉପରଷ୍ଟ୍ରପତି ଭାବେ କମଲା ହାରିଶ ମଧ୍ୟ ଶପଥ ଗ୍ରହଣ କରିବେ । ଭାରତୀୟ ସମୟ ରାତି ପ୍ରାୟ ୧୦ ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରାଯିବ । କୋଭିଡ-୧୯ ମହାମାରୀ ସଂକ୍ରମଣ ଏବଂ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ହିଂସାକାଣ୍ଡକୁ ଭିଆଇବା ଆଶଙ୍କାରେ ଶପଥ ସମାରୋହକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଓ୍ୱାସିଂଟନ ଡିସିରେ ୧୫ହଜାରରୁ ଅଧିକ ନ୍ୟାସନାଲ ଗାର୍ଡ ମୁତୟନ ହୋଇଛନ୍ତି। ଏହାସହ ଅତିରକ୍ତ ହଜାରେ ପୋଲିସ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ଗତ ୬ ତାରିଖରେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟୋଲରେ ପଶି ହିଂସାକାଣ୍ଡ ଘଟାଇବା ପରେ ୱ୍ବାଶିଂଟନରେ ଜରୁରୀକାଳିନ ପରିସ୍ଥିତି ଲାଗୁ ହୋଇଛି । ଏଭଳି ସ୍ଥିତିରେ ସାରା ୱାଶିଂଟନ ଡିସି ଏବେ ସୁରକ୍ଷା ବଳୟ ପରିଣତ ହୋଇଛି। ଆମେରିକାର ଖୁଫିଆ ଏଜେନ୍ସି ଏଫବିଆଇ ମୁଖ୍ୟ ମାଟ୍ ମିଲର ନିଜେ ସୁରକ୍ଷାର ତଦାରଖ କରୁଛନ୍ତି। ସେପଟେ ସୁରକ୍ଷା ଭୟ ଥିବାରୁ ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି। ଜୋ ବାଇଡେନ୍ ହ୍ବାଇଟ୍ ହାଉସ ବାହାରେ ଶପଥ ନେବା ପାଇଁ ଜିଦି ଧରିଥିଲେ ମଧ୍ୟ ଏଥିରେ ପରିବର୍ତ୍ତନ ହୋଇଛି। କୋଭିଡ -୧୯ ଦୃଷ୍ଟିରୁ ଶପଥ ଗ୍ରହଣ ଉତ୍ସବରେ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯିବ। ସୋସିଆଲ ଡିଷ୍ଟାନ୍ସିଂ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ସମାରୋହରେ ଆମେରିକାର ସିନେଟର ଓ କଂଗ୍ରେସର ସଦସ୍ୟମାନେ ବିନା ଟିକେଟରେ ପ୍ରବେଶ କରିବେ। କିନ୍ତୁ ଅନ୍ୟ ଏକ ହଜାର ଦର୍ଶକଙ୍କୁ ଏଥିରେ ଯୋଗଦେବା ଲାଗି ଟିକେଟ ଦିଆଯାଇଛି।

ପୂର୍ବରୁ କିନ୍ତୁ ଏଭଳି କିଛି କଟକଣା ନଥିଲା। ହ୍ବାଇଟ ହାଉସ ବାହାରେ ବାରାକ ଓବାମା ଶପଥ ନେଇଥିଲେ। ଯେଉଁଥିରେ ୨ଲକ୍ଷରୁ ଅଧିକ ଦର୍ଶକ ଯୋଗ ଦେଇଥିଲେ। ସେପଟେ ଆମେରିକା ଇତିହାରେ ପରଂପରା ଭଙ୍ଗ ହେବାକୁ ଯାଉଛି। ଏଥର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମାରୋହରେ ଯୋଗଦେବେନି ବୋଲି ସେ ପୂର୍ବରୁ କହି ସାରିଛନ୍ତି। ପାରଂପାରିକ ଭାବେ ବିଦାୟୀ ରାଷ୍ଟ୍ରପତି ପ୍ରଥମ ଧାଡିରେ ପ୍ରଥମ ସିଟରେ ବସିବାର ଆୟୋଜନ କରାଯାଇଥାଏ। ଶପଥଗ୍ରହଣ ଉତ୍ସବରେ ପ୍ରଖ୍ୟାତ ସଂଗୀତଜ୍ଞ ଜେନିଫର ଲୋପେଜ ସଂଗୀତ ଗାନ କରିବେ। ଏଥିସହ ୯୦ ମିନିଟ ପାଇଁ ଟେଲିଭିଜନରେ ସିଧାପ୍ରସାରଣ କରାଯିବ।


Share It

Comments are closed.