ଆମେରିକା-ଇରାନ୍ ତିକ୍ତତା ଯୋଗୁଁ ବଢିବ ଭାରତର ସମସ୍ୟା


ଆମେରିକୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଇରାନ୍‌ର ଶକ୍ତିଶାଳୀ ରିଭୋଲ୍ୟୁସ୍‌ନାରୀ ଗାର୍ଡସ୍‌ର କମାଣ୍ଡର ଜେନେରାଲ କାସିମ ସୁଲେମାନିର ମୃତ୍ୟୁ ପରେ ପୁଣିଥରେ ଆନ୍ତର୍ଜାତୀୟ ସ୍ତରରେ ଅସ୍ଥିରତା ଓ ଚିନ୍ତା ବୃଦ୍ଧି ପାଇଛି । ତେବେ ଏହାର ଚବିଶ ଘଣ୍ଟା ନପୂରୁଣୁ, ଇରାକ ରାଜଧାନୀ ବାଗଦାଦ ଉପରେ ରାକେଟ ମାଡ କରି ଇରାନ ଏକ ପ୍ରକାର ଏହାକୁ ଯୁଦ୍ଧ ଆଡକୁ ନେଇ ଯାଇଛି । ସେପଟେ ରାଷ୍ଟ୍ରପତି ଟ୍ରମ୍ପ, ଯଦି ଇରାନ କୌଣସି ଆମେରିକୀୟଙ୍କୁ କ୍ଷତି ପହଞ୍ଚାଏ ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି । ଏହି ମର୍ମରେ ଆମେରିକା ପକ୍ଷରୁ ଇରାନର ୫୨ଟି ସ୍ଥାନ ଆକ୍ରମଣ ପାଇଁ ଚିହ୍ନଟ କରାଯାଇଥିବା କହିଛନ୍ତି ।

ପୂର୍ବରୁ ଏହି ଆକ୍ରମଣ ପରେ ଇରାନ ରାଷ୍ଟ୍ରପତି ହସନ ରୁହାନି ଆମେରିକାକୁ ଗମ୍ଭୀର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବା ଲାଗି ଚେତାବନୀ ଦେଇଥିଲେ । ତେବେ ଶନିବାର କମାଣ୍ଡର ଜେନେରାଲ କାସିମ ସୁଲେମାନିଙ୍କ ଅନ୍ତିମ ଯାତ୍ରାରେ ହଜାର ହଜାର ଇରାନର ଜନତା ଏକତ୍ରିତ ହୋଇ ଆମେରିକାକୁ ସଇତାନ ଦର୍ଶାଇ ଯୁଦ୍ଧ ଡାକରା ଦେଇଥିଲେ । ଏହି ଅସ୍ଥିରତା ମଧ୍ୟରେ ଏବେ ୩ୟ ବିଶ୍ୱଯୁଦ୍ଧର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି ।

ଆନ୍ତର୍ଜାତିକ ସ୍ତରରେ ବଢୁଥିବା ଏହି ଅସ୍ଥିରତାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିବାକୁ ଯାଉଛି । ପୂର୍ବରୁ ମାନ୍ଦାବସ୍ଥାର ସାମ୍‌ନା କରୁଥିବା ଭାରତ ପାଇଁ ଏହା ଏକ ସତର୍କ ଘଂଟି । ଅସନ୍ତୋଷ ବୃଦ୍ଧି ପାଇଲେ ଆଗାମୀ ଦିନରେ ତାହା ଭାରତୀୟଙ୍କ ବଜେଟ୍‌କୁ ମଧ୍ୟ ପ୍ରଭାବିତ କରିବ ।

– ପୂର୍ବରୁ ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍ କାରଣରୁ ଅଶୋଧିତ ତୈଳ ଦରେ ୫% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଅଶୋଧିତ ତୈଳ ଦର ବଢିଲେ ଭାରତର ଆମଦାନି ବିଲ୍ ବଢିବ ଯାହାଫଳରେ ଚଳନ୍ତୀ ଖାତା ନିଅଂଟ ମଧ୍ୟ ବୃଦ୍ଧି ହେବ । ଏହାଛଡା ଅଶୋଧିତ ତୈଳ ଯୋଗୁ ଭାରତରେ ଇନ୍ଧନ ମହଙ୍ଗା ହେବ । ପେଟ୍ରୋଲରେ ପ୍ରାୟ ୫ରୁ ୬ ଟଙ୍କା ବୃଦ୍ଧି ହୋଇପାରେ । ସେହିପରି ଡିଜେଲ ଓ ଏଲ୍‌ପିଜି ମଧ୍ୟ ମହଙ୍ଗା ହେବାର ସମ୍ଭାବନା ରହିଛି । ଇନ୍ଧନ ମୂଲ୍ୟ ବଢିଲେ ପରିବହନ ଖର୍ଚ୍ଚରେ ବୃଦ୍ଧି ହେବ; ଯାହାଦ୍ୱାରା ଦୈନନ୍ଦିନ ସମଗ୍ରୀ ଦର ବଢିବ ।

– ଆନ୍ତର୍ଜାତୀୟ ବଜାରରେ ଅସନ୍ତୋଷ ବଢିବା ଦ୍ୱାରା ଭାରତରେ ମୁଦ୍ରାର ବିନିମୟ ଦର ହ୍ରାସ ପାଇବ; ଯାହାର ସବୁଠାରୁ ବଡ ପ୍ରଭାବ ଆମଦାନି ଉପରେ ପଡିବ । ମୁଦ୍ରାର ବିନିମୟ ଦର କମିଲେ ଆମଦାନି ଉପରେ ପୂର୍ବ ତୁଳନାରେ ଅଧିକ ଅର୍ଥ ପଇଠ କରିବାକୁ ପଡିବ । ଏହାଛଡା ବିଦେଶରେ ବୁଲିବା ଓ ପାଠ ପଢିବା ମଧ୍ୟ ମହଙ୍ଗା ହେବ ।

– ଆମେରିକା ଓ ଇରାନ ଟେନ୍‌ସନ୍ ଯୋଗୁଁ ଭାରତରେ ସୁନା ଓ ଚାନ୍ଦି ଦର ବଢିବ । ଆନ୍ତର୍ଜାତୀୟ ବିବାଦ ବଢିଲେ ନିବେଶକ ସୁରକ୍ଷିତ ନିବେଶ ପାଇଁ ସୁନା-ଚାନ୍ଦିକୁ ଚୟନ କରିଥାନ୍ତି । ଯାହାଫଳରେ ସୁନାର ଚାହିଦା ବଢିଥାଏ ଓ ଏହାର ମୂଲ୍ୟ ମଧ୍ୟ ବଢିଥାଏ । ବିଶେଷଜ୍ଞଙ୍କ ମତରେ ଏହି ଟେନ୍‌ସନ୍ ବଢିଲେ ଭାରତରେ ସୁନା ଦର ୧୦ ଗ୍ରାମ ପିଛା ୪୪୦୦୦ ଟଙ୍କା ପର୍ଯ୍ୟନ୍ତ ଓ ଚାନ୍ଦି ଦର କିଲୋ ପିଛା ୫୮୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ।

– ସେହିପରି ଆମେରିକା ଓ ଇରାନ୍ ମଧ୍ୟରେ ବଢିଥିବା ବିବାଦ କାରଣରୁ ବିଶ୍ୱବ୍ୟାପୀ ସେୟାର ବଜାରଗୁଡିକରେ ବଡଧରଣର ହ୍ରାସ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିଛି । ଆଗକୁ ମଧ୍ୟ ଏହା ଭାରତୀୟ ସେୟାର ବଜାରକୁ ବ୍ୟାପକ ରୂପେ ପ୍ରଭାବିତ କରିବ । ନିବେଶକ ସତର୍କ ହୋଇଯାଇଥିବାରୁ ସେୟାର ବିକ୍ରି ବଢିବାର ଆଶଙ୍କା ରହିଛି । ଆର୍ଥିକ ମାନ୍ଦାବସ୍ଥାର ଶିକାର ହୋଇଥିବା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏହା ବଡ ଝଟ୍‌କା ହେବ ।

– ଏହି ବିବାଦ ଯୋଗୁଁ ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପରିସ୍ଥିତିରେ ଆର୍‌ବିଆଇ ମୁଦ୍ରାନୀତି ସମୀକ୍ଷାରେ ସୁଧ ହାର ହ୍ରାସ କରିବ ନାହିଁ, ଯାହାଫଳରେ ଗୃହ ଓ କାର୍ ଋଣ ଶସ୍ତା ହେବ ନାହିଁ ।


Share It

Comments are closed.