ଆସନ୍ତା ୧୫ରୁ ଖୋଲିବ ସିନେମା ହଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ


ଚଳିତ ଅକ୍ଟୋବର ୧୫ରୁ ଦେଶରେ ସିନେମାହଲ୍‍ଗୁଡ଼ିକୁ ଖୋଲିବା ସଂକ୍ରାନ୍ତୀୟ ନିର୍ଦ୍ଦେଶାବଳୀକୁ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଉନ୍ମୋଚନ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ସିନେମାହଲ୍‍ଗୁଡ଼ିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଏବେ ଚଳଚ୍ଚିତ୍ର ପ୍ରଦର୍ଶନ କରାଇବେ। ପୂର୍ବରୁ ଜାରି ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀରେ ଏହା ମଧ୍ୟ କୁହାଯାଇଥିଲା। ଜାବଡେକର କହିଛନ୍ତି, ଶାରୀରିକ ଦୂରତା କଟକଣାକୁ ଧ୍ୟାନରେ ରଖି ସିନେମାହଲଗୁଡ଼ିକରେ ବସିବା ବ୍ୟବସ୍ଥା କରାଯିବ। ଦୁଇଜଣ ଦର୍ଶକଙ୍କ ମଧ୍ୟରେ ଗୋଟିଏ ଚେୟାରକୁ ଖାଲି ଛାଡ଼ିଦିଆଯିବ। ହଲ୍‍ଗୁଡ଼ିକରେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ସିନେମାହଲ୍‍ ପରିଚାଳକ ହଲ୍‍ ମଧ୍ୟରେ ଯେପରି ଉପଯୁକ୍ତ ବାୟୁ ଚଳାଚଳ କରିବ, ତାହା ସୁନିଶ୍ଚିତ କରିବେ। ଦୁଇଟି ସୋ’ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖିବାକୁ ମଧ୍ୟ କୁହାଯାଇଛି। ଏହା ଦ୍ୱାରା ଗୋଟିଏ ସୋ’ ସରିଗଲା ପରେ ହଲ୍‍କୁ ସଂପୂର୍ଣ୍ଣ ଭାବେ ବିଶୋଧନ କରାଯାଇପାରିବ।

ସିନେମା ପ୍ରଦର୍ଶନ ଆରମ୍ଭ ହେବା ପୂର୍ବରୁ ୧ ମିନିଟ୍‍ର କୋଭିଡ ନାଇଣ୍ଟିନ୍‍ ସଚେତନତା ବାର୍ତ୍ତା ଦର୍ଶକମାନଙ୍କ ପାଇଁ ପ୍ରସାରଣ କରାଯିବାକୁ କୁହାଯାଇଛି। ଜାବଡେକର କହିଛନ୍ତି, ସିନେମା ହଲ୍‍ଗୁଡ଼ିକରେ ଟିକେଟ୍‍ କାଉଣ୍ଟର ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ କୁହାଯାଇଛି। ଏହା ଦ୍ୱାରା ଶାରୀରିକ ଦୂରତା ରକ୍ଷାକରାଯାଇ ପାରିବ। ଏହି ନିର୍ଦ୍ଦେଶାବଳୀରେ ଅନଲାଇନ ମାଧ୍ୟମରେ ଟିକେଟ୍‍ ବୁକିଂ ଉପରେ ଗୁରୁତ୍ୱ ଦିଆଯାଇଛି।


Share It

Comments are closed.