ଆଶ୍ଚର୍ଯ୍ୟଚକିତ ହୋଇଯିବେ ନିଳଚକ୍ରର ଏହି ବିଶେଷତା ଗୁଡିକୁ ଜାଣି

ନିଳଚକ୍ର ନାମ ମାତ୍ରକେ ତାର ପବିତ୍ରତା, ଗାମ୍ଭିର୍ଯ୍ୟତା ତଥା ଗୁରୁତ୍ୱ ବହନକରି କୋଉ ଆବାହମାନ କାଳରୁ ପୁରୀ ଜଗନ୍ନାଥ ମନ୍ଦିରର ଶୀଖର ଦେଶରେ ବିଦ୍ୟମାନ । ଭକ୍ତଟିଏ କାହିଁ କୋଉ ଦୂରରୁ ନିଳଚକ୍ରକୁ ଦେଖିଦେଲେ ତାର ଆତ୍ମା ତୃପ୍ତି ହୋଇଯାଏ ତଥା ସ୍ୱତଃପୃତ ଭାବରେ ତାର ନତମସ୍ତକହୋଇଯାଏ । ଭକ୍ତଟିଏ ଜଗତର ନାଥଙ୍କୁ ଦର୍ଶନ କରିବା ପୂର୍ବରୁ ନିଳଚକ୍ରକୁଦେଖି ତାର ନୟନକୁ ପବିତ୍ର କରିଥାଏ । ଏହି ନିଳଚକ୍ରକୁନେଇ ରହିଛି ଅନେକ କିମ୍ବଦନ୍ତି । ଆସନ୍ତୁ ଜାଣିବା ଏହି ପବିତ୍ର ନିଳଚକ୍ର ସମ୍ପର୍କରେ କେତେକ ପୌରାଣିକ ତଥ୍ୟ । ନିଳଚକ୍ର ଯାହାକି ପୁରୀ ଜଗନ୍ନାଥ ମନ୍ଦିରର ଶୀଖର ଦେଶରେ ଅବସ୍ଥାପିତ । ଏହି ନିଳଚକ୍ରରେ ଯେଉଁ ପତାକା ଲଗାଯାଇଥାଏ, ତାକୁ କୁହାଯାଏ ପତିତପାବନ, ଯାହାର ଦର୍ଶନ ମନ୍ଦିର ଭିତରେ ପୂଜାପାଉଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହିତ ସମାନ ।
ପୁରୀ ମନ୍ଦିରରେଥିବା ନିଳଚକ୍ର ଆଠଟି ଧାତୁ ତଥା ଅଷ୍ଟ ଧାତୁରେ ନିର୍ମିତ । ଏହି ଅଷ୍ଟ ଧାତୁରେ ରହିଛି ଆଇରନ୍, କପର, ଜିଙ୍କ, ମରକ୍ୟୁରି, ଲିଡ଼୍, ବ୍ରାସ୍, ରୂପା ଏବଂ ସୁନାର ମିଶ୍ରଣ । ଏହାକୁ ଏପରି ଡ଼ିଜାଇନ୍ କରାଯାଇଛି ଯାହାକି ଗୋଟେ ଚକ୍ରାକାର ମଧ୍ୟରେ ଆଉ ଏକ ଚକ୍ର ରହିଛି । ଏହାର ଉଚ୍ଚତା ୩.୫ ମି. ୧୧ ଫୁଟ୍ ଏବଂ ୮ ଇଞ୍ଚ୍ ଏବଂ ଏହାର ଗୋଲେଇ ୧୧ ମି. ୩୬ ଫୁଟ୍ ଏବଂ ଓଜନ ୨୨୦୦ କି.ଗ୍ରା ଅଟେ । ୨୦୧୦ ମସିହାରେ ନିଳଚକ୍ର ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ମରାମତି କରାଯାଇଥିଲା । ନିଳଚକ୍ରରେ ରହିଛି ଆଠଟି ନଭଗୁଞ୍ଜର, ଯାହାକି ବାହାର ପଟକୁ ବଙ୍କା ହୋଇକି ରହିଥାଏ ଏବଂ ସବୁଗୁଡ଼ିକ ଉପରକୁ ମୁହଁକରି ରହିଥାଏ । ଯାହାକି ବଜ୍ରପାତ ସମୟରେ ମନ୍ଦିରକୁ ରକ୍ଷା କରିଥାଏ । ଏହା ଭିତର ପାଶ୍ୱର୍ରେ ମଧ୍ୟ ୮ଟି ଅଖ ରହିଥିବାବେଳେ ନିଳଚକ୍ରର ମୋଟେଇ ହେଉଛି ୨ ଇଞ୍ଚ୍ ।

ନିଳଚକ୍ର ମୁଖ୍ୟତଃ ସୁଦର୍ଶନ ଚକ୍ରଙ୍କର ଅନ୍ୟ ଏକ ରୂପ, ଯାହାକି ମନ୍ଦିର ଭିତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ପୂଜା ପାଉଛନ୍ତି । କଥିତ ଅଛି ଏହା ଶ୍ରୀଜଗନ୍ନାଥଙ୍କ ଅସ୍ତ୍ର ତଥା ତାଙ୍କ ଦ୍ୱାରା ପ୍ରଦତ୍ତ ଏକ ସୁରକ୍ଷା ସଙ୍କେତ । କିନ୍ତୁ ମନ୍ଦିର ଭିତରେ ସୁଦର୍ଶନଙ୍କ ଆକୃତ୍ତି ଗୋଲାକାର ନୁହେଁ, ଏହା ଏକ କାଠ ଖୁମ୍ବ ଆକାରର ହୋଇଥିବାବେଳେ ରତ୍ନ ସିଂହାସନରେ ଜଗନ୍ନାଥଙ୍କ ବାମ ପାଶ୍ୱର୍ରେ ପୂଜା ପାଇଥାନ୍ତି । ମାନ୍ୟତା ରହିଛିକି ସେହି ସୁଦର୍ଶନ ଭିନ୍ନ ଆକାରରେ ନିଳଚକ୍ର ରୂପରେ ମନ୍ଦିରର ଚୂଡ଼ା ଦେଶରେ ବିଦ୍ୟମାନ ରହିଛନ୍ତି । ମନ୍ଦିର ସେବାୟତଙ୍କ ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ସେବକ ନିଳଚକ୍ର ସେବା କରିଥାନ୍ତି । ସେମାନଙ୍କୁ ଗରୁଡ଼ ସେବକ କିମ୍ବା ଚୁନାର ନିଯୋଗବୋଳଇ କୁହାଯାଏ । ଏହି ସେବକମାନେ ପ୍ରତ୍ୟେହ ସୁର୍ଯ୍ୟାସ୍ତ ସମୟରେ ୨୧୪ ଫୁଟ୍ ମନ୍ଦିର ଉପରକୁଯାଇ ଭକ୍ତଙ୍କ ଦ୍ୱାରା ପ୍ରଦତ୍ତ ପତାକା ଲଗାଇଥାନ୍ତି । ନିଳଚକ୍ରରେ ଲାଗିଥିବା ଖୁଣ୍ଟର ଲମ୍ବା ୩୮ ଫୁଟ୍ ହୋଇଥିବାବେଳେ ନିଳଚକ୍ରକୁ ଆବରଣ କଲାପରେ ଏହା ଉପରକୁ ୨୫ ଫୁଟ୍ ଲମ୍ବି ରହିଥାଏ । ଏଥିରେ ଳଗାଯାଉଥିବା ପତିତପାବନ ବାନାର ଲମ୍ବ ଏକ ଫୁଟରୁ ୨୫ ଫୁଟ କିମ୍ବା ତାଠାରୁ ଅଧିକ ମଧ୍ୟ ହୋଇପାରେ । ଏହି ବାନାର ରଙ୍ଗ ଗାଢ ନାଲ କିମ୍ବା ହଳଦିଆ ରଙ୍ଗର ହୋଇଥାଏ ।
ଗରୁଡ଼ ସେବକମାନେ ପ୍ରତ୍ୟେହ ନିଳଚକ୍ରରେ ବାନା ବାନ୍ଧିବାକୁ ଯିବା ପୂର୍ବରୁ ସିଲ୍କ କପଡ଼ା ପିନ୍ଧିବା ସହିତ ଶରୀରର ଉପର ଭାଗ ଖୋଲା ରହିଥାଏ । ଭକ୍ତ ମାନଙ୍କ ଦ୍ୱାରା ଦିଆଯାଉଥିବା ପତାକା ଗୁଡ଼ିକ ସେମାନେ ଅଣ୍ଟାରେ ବାନ୍ଧି ଉପରକୁ ନେବା ସହିତ ହାତରେ ମାଙ୍କଡ଼ଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଏକ ବାଡ଼ି ମଧ୍ୟ ନେଇଥାନ୍ତି । ଉକ୍ତ ସେବାୟତମାନେ ଏକ ସ୍ୱତନ୍ତ୍ର ଶୈଳୀରେ ଉପରକୁ ଚଢିଥାନ୍ତି, ଯେପରିକି ସେମାନଙ୍କ ପଛ ପାଶ୍ୱର୍ ମନ୍ଦିର କାନ୍ଥକୁ ଲାଗିଥାଏ । ମନ୍ଦିରର ଶୀର୍ଷ ଭାଗ କମଳା ଆକୃତିର ହୋଇଥିବାବେଳେ ଏଠାରେ ବିନା କୌଣସି ସାହାଯ୍ୟରେ ଚଢିବା ଅସମ୍ଭବ, ତେଣୁ ସେଠାରେ ଲୁହା ରିଙ୍ଗ ରହିଥିବାବେଳେ ସ୍ଥାୟୀ ଭାବରେ ସେଥିରେ ଦଉଡ଼ି ବନ୍ଧାହୋଇ ରହିଛି, ଯାହା ସାହାଯ୍ୟରେ ସେବାୟତମାନେ ନିଳଚକ୍ର ପାଖକୁ ଯାଇଥାନ୍ତି । ମନ୍ଦିର ଉପରକୁ ଉଠିବାକୁ ଏହି ସେବାୟତ ମାନଙ୍କୁ ପାଖାପାଖି ୨୦ ମିନିଟ୍ ସମୟ ଲାଗିଥାଏ ।

ସବୁଠାରୁ କୌତୁହଳର ବିଷୟ ହେଉଛିକି ଏହାର ରଙ୍ଗ ଦିନ ସାରା ପରିବର୍ତ୍ତନ ହୋଇଥାଏ । ସକାଳେ ସୂର୍ଯ୍ୟ ଉଦୟ ହେବା ସମୟରେ ଏହାର ରଙ୍ଗ ନାଲି, ଦିନ ବଢିବା ସଙ୍ଗେ ସଙ୍ଗେ ଏହାର ରଙ୍ଗ ନୀଳ ହୋଇଥାଏ । ନିଳଚକ୍ରର ଛାଇ କେବେ ଦୃଶ୍ୟମାନ ହେଉନଥିବାବେଳେ ଏଥିରେ ଲାଗିଥିବା ପତିତପାବନ ବାନା ପବନର ବିପରିତ ଦିଗରେ ଉଡ଼ିଥାଏ । ପୁରୀର ଯେକୌଣସି ସ୍ଥାନରେ ଠିଆହୋଇ ନିଳଚକ୍ରକୁ ଦେଖିଲେ ଏହା ଆପଣଙ୍କୁ ଆଡ଼କୁ ମୁହଁକରି ଥିବାର ଦୃଶ୍ୟମାନ ହୋଇଥାଏ । ଅଣସର ସମୟରେ ଯେତେବେଳେ ଠାକୁରମାନେ ଅଣସରରେରହି ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି ଏବଂ ଭକ୍ତମାନେ ରତ୍ନ ସିଂହାସନରେ ଠାକୁର ମାନଙ୍କୁ ଦର୍ଶନ କରିପାରନ୍ତି ନାହିଁ, ତେଣୁ ସେତେବେଳେ ସେମାନେ ନିଳଚକ୍ର ସହିତ ପତିତପାବନଙ୍କୁ ଦର୍ଶନକରି କାଳିଆ ସାଆନ୍ତଙ୍କୁ ଦର୍ଶନ କରିବାର ପୁଣ୍ୟ ଅର୍ଜନ କରିଥାନ୍ତି ।

Comments are closed.