ସମାଜରେ ଅବ୍ୟବସ୍ଥାକୁ ସଜାଡ଼ିବା ପାଇଁ ସାଧାରଣ ଲୋକଙ୍କ ସ୍ୱର ହେଉ ଗଣମାଧ୍ୟମ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – ଜନଆକାଂକ୍ଷାକୁ ପୂରଣ କରିବା ତଥା ସାଧାରଣ ଲୋକଙ୍କ ସ୍ୱର ହୋଇ ସମାଜର ଅବ୍ୟବସ୍ଥାକୁ ସଠିକ୍ ଭାବରେ ସଜାଡ଼ିବା ପାଇଁ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କୁ ସମାଲୋଚନା କରିବା ଗଣମାଧ୍ୟମର ମୂଳ ଦାୟିତ୍ୱ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆଦିଲ୍ଲୀ ଠାରେ ବୁଧବାର ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ କଳାର ପ୍ରଚାରପ୍ରସାର କରୁଥିବା ପଲ୍ଲୀବାଣୀ ମିଶନ ପକ୍ଷରୁ ଆୟୋଜିତ ‘ଓଡ଼ିଶା ସାମ୍ବାଦିକତା ପୁରସ୍କାର-୨୦୨୧’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାର ୬ ଜଣ ବିଶିଷ୍ଟ ସାମ୍ବାଦିକଙ୍କୁ “ଓଡ଼ିଶା ସାମ୍ବାଦିକତା ପୁରସ୍କାର-୨୦୨୧”ରେ ସମ୍ମାନିତ କରିଛନ୍ତି । ସେମାନେ ହେଲେ ଉତ୍କଳ ମେଲର ସମ୍ପାଦକ ପିତବାସ୍ ମିଶ୍ର, କନକ ଟିଭିର ସମ୍ପାଦକ ମନୋରଞ୍ଜନ ମିଶ୍ର, ଦ’ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଡ଼େପୁଟି ରେସିଡେଂଟ୍ ଏଡ଼ିଟର ଶିବ କୁମାର ମହାନ୍ତି, ଓଡ଼ିଶା ବାଇଟ୍ସର ସମ୍ପାଦକ ସନ୍ଦୀପ ମିଶ୍ର, ଗଣଯୋଗାଯୋଗ ବିଭାଗର ଆସୋସିଏଟ୍ ପ୍ରଫେସର ମିହିର ରଞ୍ଜନ ପାତ୍ର, ଓଟିଭିର ବରିଷ୍ଠ କ୍ୟାମେରାମ୍ୟାନ ଗୋପାଳ ପ୍ରସାଦ ବର୍ମା ।
ଏହି ପୁରସ୍କାରରେ ସମ୍ମାନିତ ସାମ୍ବାଦିକଙ୍କୁ ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଖବର ତିଆରି କରିବା ଓ ଖବର ପହଁଚାଇବାରେ ସାମ୍ବାଦିକଙ୍କ ବଡ଼ ଭୂମିକା ରହିଛି । ବର୍ତମାନ ସମୟରେ ଛୋଟ ଛୋଟ ୱେବସାଇଟ୍ ଆଂଚଳିକ ସମସ୍ୟାକୁ ଉପସ୍ଥାପନ କରିବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି । ସରକାରୀ ଦଳ ହେଉ କିମ୍ବା ବିରୋଧୀ ଦଳ ସମସ୍ତେ ସାମ୍ବାଦିକଙ୍କ ତଥ୍ୟ ଓ ଖବର ଆଧାରରେ ହିଁ ସ୍ୱର ଉଠାନ୍ତି । ଏ ଦୃଷ୍ଟିରୁ ଜଣାପଡ଼େ ଯେ ସାମାଜରେ ସାମ୍ବାଦିକଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ । ସେହିପରି ଓଡ଼ିଶାର ଅନେକ ସକରାତ୍ମକ ଖବର ଜାତୀୟ ସ୍ତରକୁ ନେବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ୍ । ଏକବିଂଶ ଶତାବ୍ଦୀରେ ନୂଆ ଓଡ଼ିଶା ଓ ନୂଆ ଭାରତ ଗଠନ ପାଇଁ ଆତ୍ମବିଶ୍ୱାସ ବଢ଼ାଉଥିବା ଖବରକୁ ପ୍ରୋତ୍ସାହନ ଦେବା ଦରକାର ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଜେଟଲୀଜୀ କହୁଥିଲେ ଓଡ଼ିଆ ଲୋକଙ୍କ ମଧ୍ୟରେ ଗୋଟିଏ ବିଶେଷତା ରହିଛି । ପଢ଼ିବା,ଲେଖିବା ଓ ବୌଦ୍ଧିକ ଜଗତରେ ବିସ୍ତାର କରିବା ହେଉଛି ଓଡ଼ିଆଙ୍କ ସ୍ୱତନ୍ତ୍ରତା । ଏମ୍ସରେ ଡ଼ାକ୍ତର, ସୁପ୍ରିମକୋର୍ଟରେ ଓକିଲ ହୁଅନ୍ତୁ, ପ୍ରଶାସନିକ ଅଧିକାରୀ କିମ୍ବା ସାମ୍ବାଦିକତା ସହ ବିଭିନ୍ନ କ୍ଷେତ୍ରରେ ଓଡ଼ିଆଙ୍କ ପ୍ରଭାବ ରହିଛି । ଏହାବ୍ୟତିତ ଭାରତବର୍ଷର ନାଗରିକମାନେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ମୋଦି ସରକାର ଓଡ଼ିଶାର ଜୟୀ ରାଜଗୁରୁ,ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ ଓ ବିର୍ସା ମୁଣ୍ଡାଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀକୁ ଜାତୀୟ ସ୍ତରରେ ସ୍ୱୀକୃତି ଦେବା ଆମ ପାଇଁ ଗୋରବର ବିଷୟ । ସାମ୍ବାଦିକମାନେ ମଧ୍ୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ନଥିବା ଲକ୍ଷ୍ମଣ ନାୟକ, ମାଧୋ ସିଂହଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ପରିଚୟ ଦେବା ପାଇଁ କାମ କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପଲ୍ଲୀବାଣୀ ମିଶନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ବରିଷ୍ଠ ପରାମର୍ଶଦାତା ଶ୍ରୀ କଂଚନ ଗୁପ୍ତା, ବିଶିଷ୍ଟ ସାମ୍ବାଦିକ ଶ୍ରୀ ରଶିଦ୍ କିଦ୍ୱାଇ,ହିନ୍ଦୁସ୍ଥାନ ଟାଇମ୍ସର ରାଜନୀତି ସମ୍ପାଦିକା ଶ୍ରୀମତି ସୁନେତ୍ରା ଚୌଧୁରୀ, ପଲ୍ଲିବାଣୀ ମିଶନର ଚେୟାରମ୍ୟାନ ଶ୍ରୀ ରାମଚନ୍ଦ୍ର ନାଥ ପ୍ରମୁଖ ଯୋଗଦେଇଥିଲେ ।


Share It

Comments are closed.