ଅଟଳଜୀଙ୍କ “ଓଡ଼ିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ” ବାକ୍ୟ ଥିଲା ସୁଶାସନ ଏବଂ ଓଡିଶା ପାଇଁ ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ


ଜଗତସିଂହପୁର, – ୧୯୯୯ ମହାବାତ୍ୟା ସମୟରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶାର ପୁନଃନିର୍ମାଣ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ଅଟଳଜୀ ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କାଳଜୟୀ ବାକ୍ୟ କହିଥିଲେ । ଏହା ହିଁ ଅଟଳଜୀଙ୍କ ସୁଶାସନ ଏବଂ ଓଡିଶା ପ୍ରତି ଦାୟିତ୍ୱର ପରିଚୟ ବୋଲି ଶୁକ୍ରବାର ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଜପା ଗ୍ରାମ ପଂଚାୟତ ଠାରେ ସ୍ୱର୍ଗତ ବାଜପେୟୀଙ୍କ ପ୍ରତିମୂର୍ତିକୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଭାରତରତ୍ନ ଅଟଳବିହାରି ସ୍ମୃତି ପରିଷଦ ପକ୍ଷରୁ ଦେଶର ପ୍ରଭାବଶାଳୀ ନେତୃତ୍ୱ, ଜନନାୟକ ଅଟଳଜୀଙ୍କ ପ୍ରତିମୂର୍ତି ଜଗତସିଂହପୁର ଜିଲ୍ଲାରେ ପ୍ରତିଷ୍ଠା ହେବା ସମସ୍ତ ଓଡିଆଙ୍କ ପାଇଁ ବଡ଼ ଉପଲବ୍ଧି । ଏଥିପାଇଁ ଶ୍ରୀ ପ୍ରଧାନ ପରିଷଦର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ।
୧୯୯୯ ମହାବାତ୍ୟା ସମୟରେ ଜଗତସିଂହପୁର ଜିଲ୍ଲା ପାଇଁ ଅଟଳଜୀଙ୍କ ଅବଦାନ ଚିରସ୍ମରଣୀୟ ହୋଇରହିବ । ୧୯୯୯ ମସିହା ମହାବାତ୍ୟା ସମୟରେ ଅଟଳଜୀ ଓଡିଶା ସରକାରଙ୍କୁ ଇନ୍ଦିରା ଆବାସରେ ଘର ଓ ବିଭିନ୍ନ ଆର୍ଥିକ ସହାୟତା ଓ ରିଲିଫ ପ୍ରଦାନ ସ୍ୱରୂପ ପ୍ରାୟ ୯୬୦ କୋଟି ଟଙ୍କା ପ୍ରଦାନ କରିଥିଲେ । ଅଟଳଜୀଙ୍କ ପ୍ରତିଟି ଶବ୍ଦ ୨୦୧୪ ମସିହାରୁ ମୋଦି ସରକାରଙ୍କ ମାର୍ଗଦର୍ଶକ । ସେ ସମୟରେ ଦେଶରେ ଏକ ବଡ଼ ପୁଞ୍ଜିନିବେଶ ପାରାଦୀପ ତୈଳ ବିଶୋଧନାଗାର ଅଟଳଜୀଙ୍କର ହିଁ ଓଡ଼ିଶା ପାଇଁ ଅବଦାନ । ଆଜି ଅଟଳଜୀଙ୍କ ଏହି ବଡ଼ ସ୍ୱପ୍ନ ମୋଦି ସରକାରରେ ଓଡ଼ିଶା ଆର୍ôଥକ ବିକାଶର ମାନଚିତ୍ରରେ ବଡ଼ ଭୂମିକା ନେବାକୁ ଯାଉଛି ।
ପୂର୍ବତଟ ରେଳପଥର ପ୍ରତିଷ୍ଠା ଏବଂ ପାରାଦ୍ୱୀପ-ହରିଦାସପୁର ରେଳପଥ ଯାହା ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାକୁ ଯୋଗାଯୋଗ କରୁଛି ତାହା ଅଟଳଜୀଙ୍କର ମାନସ ସନ୍ତାନ । ଅଟଳଜୀଙ୍କ ଦ୍ୱାରା ନିର୍ମିତ ସ୍ୱର୍ଣ୍ଣ ଚତୁର୍ଭୁଜ ବିଭିନ୍ନ ସହରକୁ ମଧ୍ୟ ସଂଯୋଗ କରି ଦେଶର ସର୍ବବୃହତ ତଥା ବିଶ୍ୱର ପଂଚମ ବୃହତ ରାଜପଥର ପ୍ରକଳ୍ପ ଭାବେ ସ୍ଥାନିତ ହୋଇଛି ।
ବାଜପେୟୀ ସରକାର ପୂର୍ବରୁ ଓଡ଼ିଶାରେ କେବଳ ୧୬୮୧ କିମିର ଜାତୀୟ ରାଜପଥ ଥିଲା । ଅଟଳଜୀଙ୍କ ନେତୃତ୍ୱରେ ଏନଡ଼ିଏର ପ୍ରଥମ ୫ ବର୍ଷ ମଧ୍ୟରେ ଓଡ଼ିଶା ଅତିରିକ୍ତ ୧୬୦୦ କିମି ଜାତୀୟ ରାଜପଥ ପାଇଥିଲା । ୟୁପିଏ ସରକାରର ୧୦ ବର୍ଷରେ ଓଡ଼ିଶାକୁ ୧୩୫୮ କିମିର ଜାତୀୟ ରାଜପଥ ସଂଯୋଗ କରାଯାଇଥିଲା ଏବଂ ସର୍ବମୋଟ ଜାତୀୟ ରାଜପଥ ୪୬୫୦ କିମିରୁ କମ୍ ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଏହି ଅବସରେ ବାଜପେୟୀଙ୍କ ଜନ୍ମଜୟନ୍ତୀ ତଥା ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା “ଅଟଳ ଜ୍ୟୋତି”କୁ ଦଳୀୟ ସଦସ୍ୟଙ୍କ ସହ ଶ୍ରୀ ପ୍ରଧାନ ଉନ୍ମୋଚନ କରିଥିଲେ ।


Share It

Comments are closed.