ଓଡିଶାର ମହିଳାଙ୍କ ପ୍ରତି ଥିବା ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱକୁ ରାଜ୍ୟର ସବୁ ମାଆ ଭଉଣୀଙ୍କ ପାଖରେ ପହଁଚାଇବା ପାଇଁ ପରାମର୍ଶ – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ମହିଳାଙ୍କୁ ସଶକ୍ତିକରଣ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଓ ସହାୟତା ଉପରେ ଭାରତ ସରକାରଙ୍କ ଦ୍ୱାରା ଲିଖିତ ଓଡ଼ିଆ ଅନୁବାଦ ପୁସ୍ତକ “ଭାରତୀୟ ମହିଳା – ଆହ୍ୱାନ ଉପରେ ବିଜୟ, ପ୍ରତିବନ୍ଧକର ବିନାଶ” କୁ ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତାଙ୍କ ଗହଣରେ ଉନ୍ମୋଚନ କରିିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଏହି ପୁସ୍ତକ ଜରିଆରେ ଓଡିଶାର ମହିଳା ମାନଙ୍କ ପ୍ରତି ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱକୁ ରାଜ୍ୟର ସବୁ ମାଆ ଭଉଣୀଙ୍କ ପାଖରେ ପହଁଚାଇବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେବଳ ମହିଳାଙ୍କ ବିକାଶ ହେଉନାହିଁ ବରଂ ଦେଶର ବିକାଶ ନେତୃତ୍ୱ ମହିଳାଙ୍କ ହାତରେ ପହଁଚୁଛି । ପ୍ରଧାନମନ୍ତ୍ରୀ ମୋଦି ଓଡିଶାର ମାଆ-ଭଉଣୀଙ୍କୁ ସମ୍ମାନ ସହ ତାଙ୍କର ହକ୍ ଓ ଅଧିକାର ଦେଇଛନ୍ତି । ୫ ଟ୍ରିଲିୟନ ଆମେରିକୀୟ ଡ଼ଲାର ଅର୍ଥନୀତିର ଯାତ୍ରାରେ ମହିଳାଙ୍କୁ ଗୁରୁତ୍ୱ ହେଉ କିମ୍ବା ଯୁଦ୍ଧ କ୍ଷେତ୍ରରେ ମହିଳାଙ୍କୁ ଲଢେଇ କରିବାର ଅନୁମତି ହେଉ, ଶୌଚାଳୟର ସୁବିଧା ହେଉ କିମ୍ବା ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନର ଉପଲବ୍ଧି ତଥା ମହିଳା ମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ କିମ୍ବା କରୋନା ସମୟରେ ମହିଳା ମାନଙ୍କୁ ସହାୟତା ; ଏହା ସର୍ବୋପରି ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି ।
ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ ମାତ୍ର ପ୍ରଧାନମନ୍ତ୍ରୀଙ୍କର ଗରିବ ମାଆଙ୍କ ପ୍ରତି ପ୍ରତିବଦ୍ଧତା କାରଣରୁ ଆଜି ମହିଳାମାନେ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭର ହୋଇଛନ୍ତି । ମୋଦି ସରକାରରେ ଓଡିଶା ସମେତ ଭାରତବର୍ଷରେ ମହିଳାମାନେ ଅଧିକ ଲାଭ ହୋଇଛନ୍ତି । ମୋଦି ସରକାରରେ ଓଡ଼ିଶାରେ ୭୭ ଲକ୍ଷ ୧୪ ହଜାର ୮୦୯ଟି ଘର ସହ ଶୌଚାଳୟ ନିର୍ମାଣ କରାଯାଇ ମହିଳାଙ୍କୁ ସମ୍ମାନ ଦିଆଯାଇଛି । ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୭ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ କରୋନା ସମୟରେ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି । ରାଜ୍ୟର ୮୫.୨୦ ଲକ୍ଷ ଜନଧନ ଆକାଉଂଟଧାରୀ ମହିଳାଙ୍କୁ ୧୨୫୮.୨୦ କୋଟି ଟଙ୍କା ବ୍ୟାଙ୍କ ଆକାଉଂଟକୁ ଟ୍ରାନ୍ସଫର କରାଯାଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ ଭାରତୀୟ ମହିଳାଙ୍କ ଉପରେ ଉନ୍ମୋଚିତ ପୁସ୍ତକକୁ ସମାଜର ସବୁ ବର୍ଗର ସବୁ ଲୋକଙ୍କ ପାଖରେ ପାଖରେ ପହଁଚାଇବାକୁ ପରାମର୍ଶ ଦେଇଥିଲେ । ଏହି ପୁସ୍ତକର ସମସ୍ତ ଉପସ୍ଥାପନା ଓ ତଥ୍ୟ ଓଡ଼ିଶାର ମହିଳା ତଥା ପାଠକ ମାନଙ୍କୁ ବେଶ୍ ପ୍ରଭାବିତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।


Share It

Comments are closed.