ପ୍ରଧାନମନ୍ତ୍ରୀ ମୋଦି କାଳେ ନାଁ ନେଇଯିବେ ; ଏପ୍ରକାର ଡରରେ ନରହି ରାଜ୍ୟ ସରକାର ନିଜ କର୍ତବ୍ୟ ପାଳନ କରନ୍ତୁ – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର,  – ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍‌ଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦିଆନଯିବା ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିବା ଜଣାପଡୁଛି । ତେବେ ପ୍ରଧାନମନ୍ତ୍ରୀ ମୋଦି କାଳେ ନାଁ ନେଇଯିବେ; ଏପ୍ରକାର ଡରରେ ନରହି ରାଜ୍ୟ ସରକାର ନିଜର କର୍ତବ୍ୟ ପାଳନ କରନ୍ତୁ ବୋଲି ଗଣମାଧ୍ୟମକୁ ଏପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗକୁ ବଂଚିତ ହୋଇଛନ୍ତି । ଯେଉଁ କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିନାହିଁ । ସେ କହିଛନ୍ତି ଯେ କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଥିବା ବେଳେ ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟ ଗୁଡିକ ମଧ୍ୟ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ତେବେ ରାଜ୍ୟରେ ଓବିସି ଏବଂ ଏସଇବିସି ବର୍ଗର ଶ୍ରେଣୀ ବିଶେଷ ଭାବରେ ଯୁବବର୍ଗଙ୍କୁ ଏଥିରୁ ବଂଚିତ ରଖାଯାଇଛି ।
ତେବେ ଓଡିଶାରେ ପୂର୍ବରୁ ଓବିସି ତଥା ରାଜ୍ୟ ସରକାରଙ୍କ ପାଖରେ ଏସଇବିସି ତାଲିକା ରହିଛି । ରାଜ୍ୟରେ ଓବିସି କମିଶନର ନିଯୁକ୍ତି କୌଣସି ସମ୍ବନ୍ଧ ନାହିଁ । ମହାରାଷ୍ଟ୍ରରେ ମରାଠା ମାନଙ୍କୁ ସଂରକ୍ଷଣ ଦେବା ପାଇଁ ମହାରାଷ୍ଟ୍ର ବିଧାନସଭାରେ ନିୟମ ପାରିତ କରାଗଲା । ସେଠାରେ ନୂଆ କମିଶନ ଗଠନ କରାଗଲା ନାହିଁ । ସେଥିପାଇଁ ସଂରକ୍ଷଣ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ରହିଛି । ଏହା ସେମାନଙ୍କ ସାମ୍ବିଧାନିକ ଅଧିକାର ।
ଓଡିଶାରେ ଜାଣିଶୁଣି ଏହି ବର୍ଗରେ ଚାକିରି କ୍ଷେତ୍ରରେ ଥିବା ମାମଲାକୁ କୋର୍ଟରେ ବିଚାରଧୀନ ରଖାଯାଇଛି । କୋର୍ଟରେ ବିଚାରଧୀନ ଥିବା ମାମଲା ଗୁଡିକ ଉପରେ ରାଜ୍ୟ ସରକାର ରିପୋର୍ଟ ଦେବା ନେଇ ଶ୍ରୀ ପ୍ରଧାନ ଦାବୀ କରିଛନ୍ତି ।
କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭାରତର ସଂରକ୍ଷଣ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପଦକ୍ଷେପସ୍ୱରୂପ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତର ସଂରକ୍ଷଣର ବ୍ୟବସ୍ଥା ଲାଗୁ କରାଗଲା । ଏହାକୁ କେନ୍ଦ୍ର ସରକାର ତଥା ଅନେକ ରାଜ୍ୟ ଏହାକୁ ଲାଗୁ କରିଥିବା ବେଳେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି । ତେଣୁ ଓଡିଶା ସରକାର ଓବିସି ଏବଂ ଏସଇବିସି ବର୍ଗରେ ସଂରକ୍ଷଣ ଲାଗୁ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।


Share It

Comments are closed.