ଟିକା ଦ୍ୱନ୍ଦକୁ ଦୂର କରିବା ପାଇଁ କାମ କରିବାକୁ ସମସ୍ତ ଷ୍ଟେକ୍ ହୋଲଡ୍‌ରଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – କର୍ଣ୍ଣାଟକ ସମେତ ସମଗ୍ର ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପକ୍ଷରୁ କୋଭିଡ୍‌-୧୯କୁ ମୁକାବିଲା କରିବା ତଥା ଦେଶବାସୀଙ୍କ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯାଉଥିବା ବେଳେ ଦେଶରେ ମାଗଣା ଟିକାକରଣ ଅଭିଯାନ ଆରମ୍ଭ କରାଯାଇଛି । ଅନେକ ସ୍ଥାନରେ ଟିକାକୁ ନେଇ ଦ୍ୱନ୍ଦ ଉପୁଜିଥିବା ବେଳେ ସମସ୍ତ ଷ୍ଟେକ୍ ହୋଲଡରମାନେ ଏହି ଟ୍ୱିକା ଦ୍ୱନ୍ଦକୁ ଦୂର କରିବା ଦିଗରେ କାମ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ କର୍ଣ୍ଣାଟକ ଠାରେ ବିଭିନ୍ନ ସମାଜିକ ଏବଂ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ଅକ୍ସିଜେନ୍ ଉତ୍ପାଦନ ପ୍ଲାଂଟ୍‌, ମୁଦବିଦ୍ରି ଠାରେ କୋଭିଡ୍ ରୋଗୀଙ୍କ ପାଇଁ ୫୦ ହସ୍ପିଟାଲ ବେଡର ଲୋକାର୍ପଣ କରିଛନ୍ତି । କେଆଇଓସିଏଲର ସହଯୋଗରେ ଏହି ଉଭୟ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଏହା କର୍ଣ୍ଣାଟକକୁ କୋଭିଡ୍ ମହାମାରୀ ବିରୋଧରେ ଲଢ଼ିବାକୁ ସହାୟକ ହେବ ବୋଲି ସେ କହିଛନ୍ତି ।
ସେହିପରି ତୁମକୁର ଜିଲ୍ଲା କାଥ୍ରିକେହାଲ ଗ୍ରାମରେ କେଆଇଓସିଏଲ ଦ୍ୱାରା ୨୪.୪୪ କୋଟି ଟଙ୍କାରେ ପ୍ରତିଷ୍ଠା ହୋଇଥିବା ୫ ମେଗାୱାଟ ସୋଲାର ପାୱାର ପ୍ଲାଂଟକୁ ମଧ୍ୟ ଉତ୍ସର୍ଗ କରାଯାଇଛି । ଏହାସହ କେଆଇଓସିଏଲର ମାଙ୍ଗାଲୋର ପେଲେଟ ପ୍ଲାଂଟ ଠାରେ ଘଂଟା ପ୍ରତି ୧୦୦୦ ଟନ୍ କ୍ଷମତା ବିଶିଷ୍ଟ ବାରେଲ୍ ଟାଇପ୍ ବ୍ଲେଣ୍ଡର ରିକ୍ଲେମରର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ପ୍ରକଳ୍ପର ମୂଲ୍ୟ ରହିଛି ୧୭ କୋଟି ୫୦ ଲକ୍ଷ ଟଙ୍କା ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମାଗଣା ମେଗା ଟିକାକରଣ କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ରେକର୍ଡସଂଖ୍ୟକ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଟିକା ନେଇଛନ୍ତି । କର୍ଣ୍ଣାଟକ ସରକାର ମଧ୍ୟ ଏହି ଟିକାକରଣ ଅଭିଯାନରେ ସାମିଲ ହୋଇଥିବାରୁ ଅଭିନନ୍ଦନ । ଆମକୁ ଏହିଭଳି ଶାନ୍ତି ବଜାୟ ରଖିବାକୁ ହେବ । କେନ୍ଦ୍ରମନ୍ତ୍ରୀ ସାମାଜିକ ସଂଗଠନ, ସ୍ୱାସ୍ଥକର୍ମୀ ବିଶେଷଜ୍ଞ, ପଲିସି ମେକରଙ୍କ ସମେତ ସମସ୍ତ ଷ୍ଟେକହୋଲଡରଙ୍କୁ ମିଳିତ ଭାବେ ଏକାଠୀ ହୋଇ ସମାଜରେ ଥିବା ଟିକା ଦ୍ୱନ୍ଦକୁ ଦୂର କରିବା ଦିଗରେ କାମ କରିବା ପାଇଁ ଆହ୍ୱାନ କରିଥିଲେ ।
ସୂଚନାଯୋଗ୍ୟ, ଏହି ଭର୍ଚୁଆଲ ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ର ଇସ୍ପାତ୍ ମନ୍ତ୍ରୀ ଓ କର୍ଣ୍ଣାଟକର ମନ୍ତ୍ରୀ, ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.