ଐତିହ୍ୟ, ପରମ୍ପରାକୁ ଋଢ଼ିବାଦରେ ନବାନ୍ଧି ଏହାର ପ୍ରଚାରପ୍ରସାର ସହ ଓଡ଼ିଶା ଓ ଓଡ଼ିଆ ଭାଷାକୁ ବ୍ୟାପକ କରିବାକୁ ହେବ – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, – ବର୍ତମାନ ସମୟରେ କେବଳ ଔପଚାରିକତା ନୁହେଁ ବରଂ ପଣା ସଂକ୍ରାନ୍ତି ଭଳି ସାଂସ୍କୃତିକ ଉତ୍ସବର ପ୍ରଚାରପ୍ରସାର ପାଇଁ ଉଦ୍ୟମ କରିବାକୁ ହେବ । ଐତିହ୍ୟ, ପରମ୍ପରାକୁ ଋଢ଼ିବାଦରେ ନବାନ୍ଧି ଏହାର ପ୍ରଚାରପ୍ରସାର ସହ ଓଡ଼ିଶା ଓ ଓଡ଼ିଆକୁ ବ୍ୟାପକ କରିବାକୁ ହେବ । ଓଡ଼ିଶାକୁ ଆଧୁନିକ ରାଜ୍ୟ ଭାବରେ ଗଠନ କରିବା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପବିତ୍ର ଉତ୍କଳୀୟ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ “ନମାମୀ ମନ୍ଦାକିନୀ – ନବବର୍ଷ ମହୋତ୍ସବ”ରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର ବିଭିନ୍ନ ଦେଶର ଏବଂ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କର ନୂଆବର୍ଷ ଏବଂ ଆମ ଓଡ଼ିଆଙ୍କ ନୂଆବର୍ଷ ପାଳନ ପଛରେ ଥିବା ବାସ୍ତବତା ଓ ବୈଜ୍ଞାନିକ କାରଣକୁ ଅନୁସନ୍ଧାନ କରି ତୁଳନା କଲେ ଜଣାପଡ଼ିବ ଯେ ଆମ ପୂର୍ବଜମାନେ କେତେ ଜ୍ଞାନୀ, ଦୂରଦ୍ରଷ୍ଟା ଓ ବିଜ୍ଞାନ ସମ୍ମତ କାରଣ ଦର୍ଶାଇ ଏହି ଦିବସରେ ପାଳନ କରିଥିଲେ ।
ଆମ ଓଡ଼ିଆମାନେ ସର୍ବଦା ସଂକୀର୍ଣ୍ଣତାରେ ନୁହେଁ ବରଂ ବଡ଼ ଆଦାନପ୍ରଦାନ କରିବାରେ ଭରସା ରଖିଥାଉ । ଆମ ଓଡ଼ିଆ ଭାଇ ଭଉଣୀମାନେ ସେମାନଙ୍କର ଅତୀତକୁ ସ୍ମରଣକରି ମନେରଖିବା ଉଚିତ ଯେ ପୂରାତନ କାଳରେ ଆତ୍ମବିଶ୍ୱାସ ହିଁ ଅସାଧ୍ୟ କାର୍ଯ୍ୟ ସାଧନ କରିପାରିଛି । ଯାହାର ଅତୀତ ଉଜ୍ଜ୍ୱଳ ତା’ର ଭବିଷ୍ୟତ ନିଶ୍ଚିତ ସମୁଜ୍ଜ୍ୱଳ ହେବ ।
ଓଡ଼ିଆ ନବବର୍ଷରେ ପ୍ରତ୍ୟେକ ଓଡ଼ିଆ ଆତ୍ମମନ୍ଥନ ଓ ଆତ୍ମାନୁଶୀଳନ କରିବା ଏକାନ୍ତ ପ୍ରୟୋଜନ । ଐତିହ୍ୟ ଓ ସଂସ୍କୃତିକୁ ସମ୍ମାନ କରି ମୂଳକୁ ଚିହ୍ନିବା ସହ ଓଡ଼ିଶାର ଗୌରବମୟ ଇତିହାସକୁ ପୂର୍ବପୁରୁଷଙ୍କ ବୌଦ୍ଧିକ ଦୂରଦୃଷ୍ଟିରେ ଏହାର ପୁନଃଉତଥାନ ଓ ପ୍ରଚାରପ୍ରସାର କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.