କରୋନା ସଚେତନତା ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଁଚାଇବାରେ ଜନସମ୍ବାଦ ରାଲି ସବୁଠୁ ବଡ ମାଧ୍ୟମ – ଧର୍ମେନ୍ଦ୍ର ପ୍ରଧାନ


ହିନ୍ଦୋଳ/ଢେଙ୍କାନାଳ – ପ୍ରଧାନମନ୍ତ୍ରୀଙ୍କ କରୋନା ସଚେତନତା ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଁଚାଇବାରେ ବିଜେପିର ଜନସମ୍ବାଦ ରାଲି ସବୁଠୁ ବଡ ମାଧ୍ୟମ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଜନ ସମ୍ବାଦ କାର୍ଯ୍ୟକ୍ରମ ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ବଡ ମାଧ୍ୟମ ହୋଇପାରିଛି । ଏହି ଜନ ସମ୍ବାଦ ରାଲି ମାଧ୍ୟମରେ ସାରା ରାଜ୍ୟର ଜନସାଧାରଣ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ କରୋନା ସଚେତନତା ବାର୍ତାକୁ ପହଁଚାଇବାରେ ବଡ ଭୂମିକା ଗ୍ରହଣ କରିଛି । ସବୁଠି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ପାଇଁ ସଚେତନ କରାଯାଇପାରୁଛି, ଯାହା ବର୍ତ୍ତମାନର ସବୁଠୁ ବଡ଼ ମାଧ୍ୟମ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ଆୟୋଜିତ ଭର୍ଚୁଆଲ ଜନ ସମ୍ବାଦ ରାଲିରେ ସାମିଲ ହୋଇ ଶ୍ରୀ ପ୍ରଧାନ କହିଛନ୍ତି ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଶାସନ କ୍ଷମତାରେ ରହିବା ପରେ ପ୍ରତିବର୍ଷ ସେ କ୍ରିୟାନ୍ୱୟନ କରିଥିବା ବିଭିନ୍ନ ଯୋଜନାର ହିସାବ ଦେଶବାସୀଙ୍କ ଆଗରେ ରଖିବେ ବୋଲି କହିଥିଲେ ଏବଂ ସବୁ ବର୍ଷ ସେ ଦେଉଥିବା ପ୍ରତିଶ୍ରୁତିକୁ ପୂରଣ ମଧ୍ୟ କରୁଛନ୍ତି ।
ଗରିବଙ୍କ ସମେତ ମହିଳା, କୃଷକ, ଶ୍ରମିକ, ଯୁବକ, ଦିବ୍ୟାଙ୍ଗ, ଜନଜାତି ଇତ୍ୟାଦି ସବୁ ବର୍ଗଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮ ମାସ ପାଇଁ ମାସିକ ବ୍ୟକ୍ତି ପିଛା ୫ କେଜି ଚାଉଳ ଓ ପରିବାର ପିଛା ୧ କେଜି ଡାଲି ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ଦେଶରେ କେହି ବି ଗରିବ ଭୋକରେ ନରୁହନ୍ତୁ ଏହା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ନେତୃତ୍ୱ କାରଣରୁ ସେ ସମସ୍ତଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ଆମେ ସୌଭାଗ୍ୟଶାଳୀ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଦୂରଦୃଷ୍ଟିସମ୍ପନ୍ନ ନେତା ଦେଶର ପ୍ରଧାନମନ୍ତ୍ରୀ ଭାବରେ ନୁହେଁ ପ୍ରଧାନସେବକ ଦାୟିତ୍ୱରେ ଅଛନ୍ତି । ଓଡ଼ିଶାକୁ ମଧ୍ୟ ମୋଦି ସରକାର ପ୍ରାଥମିକତା ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଭର୍ଚୁଆଲ ଜନସମ୍ବାଦକୁ ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଏଥିରେ ପୂର୍ବତନ ସାସଂଦ ରୁଦ୍ର ନାରାୟଣ ପାଣି, ଢେଙ୍କାନାଳର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଭୂଷଣ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।


Share It

Comments are closed.