ଘରକୁ ଘର ବୁଲି ଲୋକଙ୍କୁ ଗରିବ କଲ୍ୟାଣ ଯୋଜନା ଉପରେ ଅବଗତ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଭଦ୍ରକ, ଜୁଲାଇ – ଭଦ୍ରକ ଜିଲ୍ଲାରେ ସିନଥେଟିକ୍ ଫାଇବର ବନାଇବା ପାଇଁ କାରଖାନା ନିର୍ମାଣ କରାଯିବ । ନିକଟରେ ରାଜ୍ୟ ସରକାର ଏଥିପାଇଁ ଜାଗା ଉପଲବ୍ଧ କରିଛନ୍ତି । ଖୁବ ଶୀଘ୍ର ଏହି ପ୍ରକଳ୍ପର ଶୁଭ ଦିଆଯାଇ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ହେବା ଅବସରରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ଅନୁଷ୍ଠିତ ଭର୍ଚୁଆଲ ଜନ ସମ୍ବାଦ ରାଲିରେ ଏହା କହିବା ସହ ଘରକୁ ଘର ବୁଲି ଲୋକଙ୍କୁ ଗରିବ କଲ୍ୟାଣ ଯୋଜନା ଉପରେ ଅବଗତ କରିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ ।
ଏଠାରେ ଯୁବକଙ୍କୁ ରୋଜଗାର ଦେବା ଓ ରାଜ୍ୟର ରାଜସ୍ୱ ବଢାଇବା ପାଇଁ ମେଗା ଟେକ୍ସଟାଇଲ ପାର୍କ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର କାମ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡିଶାର ଆଶା, ଆକାଂକ୍ଷାକୁ ସମ୍ବେଦନଶୀଳତା ଦୃଷ୍ଟିରେ ଦେଖୁଥିବା ଲୋକର ନାଁ ହେଲା ମୋଦି । ପୂର୍ବ ଭାରତକୁ ଦେଶର ପ୍ରୟୋଗଶାଳା କରିବା ଏବଂ ଓଡିଶାକୁ ପୂର୍ବ ଭାରତର ମୁଖଶାଳା ବନାଇବା ପାଇଁ ମୋଦି ସରକାର ଓଡିଶାକୁ ଜାତୀୟ ରାଜପଥ, ରେଳ, ବିମାନ ସେବା, ଶିଳ୍ପ କ୍ଷେତ୍ର ଓ କେନ୍ଦ୍ରୀୟ ପ୍ରକଳ୍ପ ପାଇଁ ମୁକ୍ତ ହସ୍ତରେ ଅର୍ଥ ପ୍ରଦାନ କରୁଛନ୍ତି ।
ବର୍ତ୍ତମାନ ସମୟରେ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରାଯାଇଛି । ଦେଶର ୮୦ କୋଟି ତଥା ଓଡିଶାର ୭୫ ଭାଗ ଲୋକଙ୍କ ପାଇଁ ୮ ମାସ ପାଇଁ ବ୍ୟକ୍ତି ପିଛା ମାସିକ ୫ କେଜି ଚାଉଳ ଓ ପରିବାର ପିଛା ଡାଲି ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଗରିବଙ୍କ ପାଇଁ ବଳିଷ୍ଠ ପଦକ୍ଷେପ ନେଉଥିବା କାରଣରୁ ଓଡିଶାରେ ୯୬ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପସନ୍ଦ କରୁଛନ୍ତି ।
ଭାରତ ଓ ଚୀନ ତିକ୍ତତା ସମ୍ପର୍କରେ ଅନେକ ଲୋକ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲଦାଖ ସୀମାକୁ ଗସ୍ତ କରି ଦେଶର ଯବାନ ମାନଙ୍କ ମନୋବଳକୁ ଦୃଢ଼ କରିଛନ୍ତି ଓ ନୀରବତା ନେଇ ପ୍ରଶ୍ନ କରୁଥିବା ଲୋକଙ୍କୁ ସଠିକ୍ ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ନେତୃତ୍ୱ ଆଜି ବିଶ୍ୱକୁ ପ୍ରଭାବିତ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଗୋଟିଏ ସମୟରେ ଖାଦ୍ୟାନ୍ନର ଅଭାବ ଥିଲା ଏବଂ ଭାରତ ଆମେରିକା ଠାରୁ ଚାଉଳ ଓ ଗହମ ଇତ୍ୟାଦି ଆମଦାନୀ କରୁଥିଲା । ମାତ୍ର ଏବେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ କାରଣରୁ କରୋନା ମହମାରୀ ସମୟରେ ଭାରତ ବିଶ୍ୱର ୧୫୦ଟି ଦେଶକୁ ଔଷଧ ପଠାଉଛି । ଏହା ହିଁ ଆତ୍ମନିର୍ଭର ଭାରତ ଅଭିଯାନ ଦିଗରେ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି ।
ଏହି ଭର୍ଚୁଆଲ ଜନସମ୍ବାଦ ରାଲିକୁ ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ କୁମାର ଅଧ୍ୟକ୍ଷତା କରିଥିଲେ । ବୈଠକରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ଜିଲ୍ଲା ସଭାପତି ବଦ୍ରି ନାରାୟଣ ପାଢୀ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ମନମୋହନ ଖୁଂଟିଆ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ସରତ ପାଢିଆରୀ, ଜିଲ୍ଲା ଉପସଭାପତି ଅମ୍ବିକା ପ୍ରସନ୍ନ ଦାସ, ପ୍ରଭାତ ମହାନ୍ତି, ପୂର୍ବତନ କସାଧ୍ୟକ୍ଷ ଶଶିକାନ୍ତ ବିଶ୍ୱାଲ, ସମ୍ପାଦକ ତପନ ମହାନ୍ତି,ଯୁବମୋର୍ଚ୍ଚାର ନଗର ସଭାପତି ସରୋଜ ରାଉତ, ବରିଷ୍ଠ ନେତା ଭଗବାନ ପଣ୍ଡା, କୃଷକ ମୋର୍ଚ୍ଚାର ସଭାପତି ସନ୍ତୋଷ ସାହୁ, ପୂର୍ବତନ କାଉନସିଲର ଗୌହୁଳି ଜେନା ଓ ମଣ୍ଡଳ ସଭାପତି ପ୍ରମୁଖ ଯୋଗଦେଇଥିଲେ ।


Share It

Comments are closed.