ଜୀବନବ୍ୟାପୀ ଆଦର୍ଶ ଓ ସାଲିସ୍ ବିହୀନ ମୂଲ୍ୟବୋଧରେ ବିଶ୍ୱାସ ରଖିଥିଲେ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର – ‘ପ୍ରଗତିବାଦୀ’ର ପ୍ରତିଷ୍ଠାତା, ସମାଜସେବୀ ତଥା ସମସ୍ତଙ୍କ ପ୍ରେରଣାର ସ୍ରୋତ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ସାମାଜର ସାଂପ୍ରତିକ ସ୍ଥିତିକୁ ଦେଖି ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରି ପାରୁଥିବା ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଏବଂ ଜୀବନବ୍ୟାପୀ ଆଦର୍ଶ ଓ ସାଲିସ୍ ବିହୀନ ମୂଲ୍ୟବୋଧରେ ବିଶ୍ୱାସ ରଖୁଥିଲେ ବୋଲି ରବିବାର ସ୍ୱର୍ଗତ ବଳଙ୍କ ୮୮ତମ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂରେ ଜରିଆରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱର୍ଗତ ବଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି ଯେ ସ୍ୱର୍ଗତ ବଳ ଓଡ଼ିଆ ଯୁବକର ସ୍ୱାଭିମାନ, ଗରିବ, ଅସହାୟ ଓ ନିଷ୍ପେସିତ ଲୋକଙ୍କ କଲ୍ୟାଣ ପାଇଁ ଜୀବନବ୍ୟାପୀ ସାଲିସ୍ ବିହୀନ ଲଢ଼େଇ କରିଥିଲେ । କିଟ୍ ସମୂହ ପ୍ରଦ୍ୟୁମ୍ନ ବଳଙ୍କ ପରିକଳ୍ପନା ଥିଲା । ଏଥିରୁ ସ୍ୱର୍ଗତ ବଳଙ୍କ ବିଚାରଧାରା, ଦାୟିତ୍ୱ ଓ ଓଡ଼ିଆ ସମାଜ ପ୍ରତି ଥିବା ଦରଦ ପ୍ରମାଣିତ ହେଉଛି ।
ସେହିପରି ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାକୁ ଦିଗଦର୍ଶନ ଦେବାର ମହାପୁରୁଷ ମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ । ସେ ସମୟରେ ଛାଡ଼ି ଯାଇଥିବା ବିଚାରଧାରା ଓ ପରମ୍ପରା ସାଂପ୍ରତିକ ସମୟରେ ପ୍ରାସଙ୍ଗିକ ହୋଇଛି । ତେଣୁ ତାଙ୍କର ଆଦର୍ଶ ଓ ସଂସ୍କାରକୁ ନେଇ ଆମେ ସମସ୍ତେ ଆଗକୁ ବଢିବା ପାଇଁ ପ୍ରତିବଦ୍ଧ ହେବା ଦରକାର ବୋଲି ସେ କହିଛନ୍ତି ।
କରୋନା ମହାମାରୀ ମଧ୍ୟରେ ବର୍ତ୍ତମାନ ଶୀତ ଋତୁର ସମୟ ଉପନୀତ ହୋଇଛି । ଏହି ଦୀପାବଳି ସମୟରେ ଓଡ଼ିଶା ସରକାର ରାଜ୍ୟରେ ବାଣ ନଫୁଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମାକୁ ଆମେ ସମସ୍ତେ ପାଳନ କରିବା ସହ ଏଥିପାଇଁ ଜନସଚେତନତା ତିଆରି କରିବାର ଆବଶ୍ୟକତା ରହିଛି । ଏହା ସ୍ୱର୍ଗତ ବଳଙ୍କୁ ତାଙ୍କ ଜନ୍ମ ଦିନରେ ସଠିକ୍ ଉପହାର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.