ଇସ୍ପାତ୍ ମନ୍ତ୍ରଣାଳୟ ୱେବିନାରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ, ଆଗାମୀ ଦିନରେ କରୋନା ଆହ୍ୱାନକୁ କରିବାକୁ ପଡିବ ସାମ୍ନା


ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୨୧ – କରୋନା ସଚେତନତା ପରିପ୍ରେକ୍ଷୀରେ ମଙ୍ଗଳବାର ଇସ୍ପାତ୍ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “କରୋନା ସମୟରେ କାର୍ଯ୍ୟଶୈଳି” ଶୀର୍ଷକ ୱେବିନାରରେ ଯୋଗଦେଇ ଆଗାମୀ ଦିନରେ ଥିବା କରୋନା ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱରେ କରୋନା ମହାମାରୀ ଦୃଶ୍ୟପଟ୍ଟରେ କାର୍ଯ୍ୟର ରୂପରେଖ ବଦଳିଛି । ଏହି ଆହ୍ୱାନମୂଳକ ସମୟରେ ସମସ୍ତଙ୍କୁ ମିଳିମିଶି କରୋନାର ମୁକାବିଲା କରିବାର ଆବଶ୍ୟକତା ରହିଛି । କରୋନା ସଚେତନତା ବାର୍ତା ତଳରୁ ତଳ ସ୍ତର ପର୍ଯ୍ୟନ୍ତ ପହଁଚାଇବା ପାଇଁ ନିରନ୍ତର ପ୍ରସ୍ତୁତି କରିବା ସହ ଉଭୟ ଲୋକଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେଇ ଆଗକୁ ବଢିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ରାଷ୍ଟ୍ର ଇସ୍ପାତ୍ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଏହି ଅବସରରେ କରୋନା ମୁକାବିଲାରେ ଇସ୍ପାତ୍ ସିପିଏସଇର ଭୂମିକା ଉପରେ ଆଲୋକପାତ କରିବା ସହ କହିଥିଲେ ଯେ କରୋନା ସମୟରେ ଲୋକଙ୍କୁ ଅଧିକରୁ ଅଧିକ ସଚେତନତା କରିବାର ଆବଶ୍ୟକତା ରହିଛି । ଭାରତ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ସାଂପ୍ରତିକ ସମୟରେ ଗ୍ରାମୀଣ ଅଂଚଳରେ ବସବାସ କରୁଥିବା ବିଶେଷଭାବରେ ଜନଜାତିଙ୍କୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ ସଚେତନତା କରିବା ଦରକାର ବୋଲି ଶ୍ରୀ କୁଲସ୍ତେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡା. ଋଣଦୀପ ଗୁଲେରିଆ କହିଛନ୍ତି କରୋନା ଭାଇରସ ମାନବଜାତି ପାଇଁ ନୂଆ ଅଟେ । ତେଣୁ ଲୋକମାନଙ୍କୁ କୋରନା ମହାମାରୀ ପ୍ରତି ଯଥେଷ୍ଟ ସଚେତନତା ଅବଲମ୍ବନ କରିବାର ଆବଶ୍ୟକ ରହିଛି । ଆଗାମୀ କିଛି ଦିନ ଧରି ସମସ୍ତଙ୍କୁ ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ହାତ ଧୋଇବା ଓ ସାମାଜିକ ଦୂରତା ଅବଲମ୍ବନର କାର୍ଯ୍ୟଶୈଳି ସହ ବଂଚିବାକୁ ପଡିବ ।
ଡା. ଗୁଲେରିଆ କହିଛନ୍ତି ଲୋକମାନେ କରୋନା ଲକ୍ଷଣ ଅନୁଭବ କରୁଥିଲେ ନିଜକୁ ସଂଗରୋଧ କରିବା ଜରୁରୀ । କାମ କରୁଥିବା ସ୍ଥାନ କିମ୍ବା ରହୁଥିବା ସ୍ଥାନରେ ଭେଂଟିଲେସନ ବା ବାୟୁ ଚଳପ୍ରଚଳ ଠିକ୍ ଭାବେ ହେବା ଦରକାର । କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ ପାଇଁ ଭାରତ ସମେତ ବିଶ୍ୱର ସବୁ ଦେଶ ଉଦ୍ୟମ ଜାରୀ ରଖିଛନ୍ତି । ଲୋକମାନେ ଭୟଭୀତ ନହୋଇ କରୋନାର ମୁକାବିଲା କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଗୁଲେରିଆ ମତପୋଷଣ କରିଛନ୍ତି ।
ଏହି ୱେବିନାର କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଳାୟର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ,ଏମଡିଏନଆଇୱାଇ ଓ ଇସ୍ପାତ୍ ମନ୍ତ୍ରଣାଳୟର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.