ଓଡିଏମ୍‌ରେ ‘ଗୁରୁସମ୍ବର୍ଦ୍ଧନା’ ଉତ୍ସବ ପାଳିତ


ଭୁବନେଶ୍ୱର: ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ପଟିଆସ୍ଥିତ ଓ.ଡି.ଏମ୍‌. ପବ୍ଳିକ୍ ସ୍କୁଲ୍ ପରିସରରେ ଗୁରୁବାର ଦିନ ପୂର୍ବତନ ରାଷ୍ଟ୍ରପତି, ଦାର୍ଶନିକ ତଥା ଉଚ୍ଚାଙ୍ଗ ଶିକ୍ଷାଧାରାର ପ୍ରବର୍ତକ ରାଷ୍ଟ୍ରଗୁରୁ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ ତଥା ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଓଡିଏମ୍ ଶିକ୍ଷା ସମୂହର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର (ଡ.) ପି.କେ.ଦାସ ଏବଂ ଡ. ଜ୍ୟୋତ୍ସ୍ନା ମହାପାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରତିଷ୍ଠାତା ଡ. ମୀନକେତନ, ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ସିଓଓ ସ୍ୱୟନ୍ ସତ୍ୟେନ୍ଦୁ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଗୁରୁପୂଜା ଓ ଗୁରୁବନ୍ଦନା କରିଥିଲେ । ପ୍ରାଚୀନ ଗୁରୁକୁଳ ରୀତିରେ ଛାତ୍ରଛାତ୍ରୀମାନଙ୍କଦ୍ୱାରା ମୂଲ୍ୟବୋଧଭିତିକ ସଙ୍ଗୀତ, ବକ୍ତୃତା, କବିତା ପଠନ, ଅଭିନୟ ଇତ୍ୟାଦି ପ୍ରଦର୍ଶିତ କରାଯାଇଥିଲା ।

ଏହି ଅବସରରେ ଡଃ. ମୀନକେତନ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସଙ୍ଗେ-ସଙ୍ଗେ ଶିକ୍ଷକମାନଙ୍କ ଗୁରୁଦାୟିତ୍ୱ ଏବଂ କର୍ତବ୍ୟବୋଧକୁ ପ୍ରଶଂସା କରିଥିଲେ । ଗୁରୁଶିଷ୍ୟ ପରମ୍ପରାରେ ଆଜିର ଏହି ଦିବସର ମହତ୍ୱ ରହିଛି ଏବଂ ସବୁଦିନ ପାଇଁ ସମାଜକୁ ଦିଗ୍‌ଦର୍ଶନ ପ୍ରଦାନ କରୁଥିବ ବୋଲି ସେ ଉଦ୍‌ବୋଧନ ଦେଇଥିଲେ । ଏହି ଉପଲକ୍ଷେ ‘ଗୁରୁଣାଂ ଗୁରୁ’ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଡ. ମୀନକେତନ ସମସ୍ତ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା-ନିର୍ଦ୍ଦେଶକ ଡ. ଆର୍ତତ୍ରାଣ ମିଶ୍ର, ଉପାଧ୍ୟକ୍ଷା ଡ. ସନ୍ଧ୍ୟାରାଣୀ ସ୍ୱାଇଁ , ଉପାଧ୍ୟକ୍ଷ ଡ. ରାଜେଶ୍ କୁମାର ପାଢୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।


Share It

Comments are closed.