ଆଜି କରୋନା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୁଇଟି ବଡ ବୈଠକ, ବଢ଼ୁଥିବା କରୋନା ମାମଲା ଏବଂ ଟିକା ବିତରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା


ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ-୧୯ ର ସ୍ଥିତି ଏବଂ ଟିକା ବିତରଣ ରଣନୀତି ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଯଥା ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ ଓ ରାଜସ୍ଥାନର ସ୍ଥିତି ବାବଦରେ ସମୀକ୍ଷା କରିବେ। ଏହା ସହିତ ଯେଉଁସବୁ ରାଜ୍ୟଗୁଡିକରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ସେସବୁର ସ୍ଥିତି ସମୀକ୍ଷା କରାଯିବ।

ସେହିପରି ଦେଶରେ ଏବେ ୪ଟି କରୋନା ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲୁ ରହିଛି। ତେଣୁ ଏହିସବୁ ଟିକାର ବଣ୍ଟନ ଓ ଜରୁରୀ ଅନୁମୋଦନ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ କଥାହେବେ। ନିକଟରେ ଶେଷ ହୋଇଥିବା ନିତି ଆୟୋଗ ବୈଠକରେ ଟିକାର ଜରୁରୀ ବ୍ୟବହାରକୁ ଅନୁମତି, ଆଗୁଆ ଅଧିଗ୍ରହଣ, ଟିକାର ମୂଲ୍ୟ ନିର୍ଦ୍ଧାରଣ ଆଦି ବିଷୟ ଆଲୋଚନା କରାଯାଇଥିଲା। ଫାଇଜର ଓ ମଡେର୍ଣ୍ଣା ଟିକାର ଜରୁରୀ ବ୍ୟବହାର ନିମନ୍ତେ ଆବେଦନ କରାଯାଇଛି। ଏହି ସବୁ ଟିକା ୯୫%ରୁ ଅଧିକ ପ୍ରଭାବଶାଳୀ ରହିଥିବା କୁହାଯାଇଛି।

କରୋନା ମହାମାରୀ ଆରମ୍ଭ ପରଠାରୁ ଏହାର ମୁକାବିଲା ନିମନ୍ତେ ରଣନୀତି ପ୍ରସ୍ତୁତ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅନେକ ଥର ଆଲୋଚନା କରିଛି। ଗତ କିଛି ଦିନ ହେବ ସାରା ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା ୫୦ ହଜାରରୁ କମ୍ ଥିବାବେଳେ କେତେକ ରାଜ୍ୟରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାସ୍କ ଚେକିଂକୁ ଜୋରଦାର କରାଯାଇଥିବା ବେଳେ ହସ୍ପିଟାଲରେ ବେଡ ଓ ଭେଣ୍ଟିଲେଟର ସଂଖ୍ୟା ବୃଦ୍ଧି କରାଯାଇଛି । ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶର କେତେକ ସହରରେ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି ।


Share It

Comments are closed.