ପ୍ରଥମ ଥର ଥୋମାସ କପ୍‌ ଫାଇନାଲରେ ଭାରତ


ମର୍ଯ୍ୟାଦାଜନକ ଥୋମାସ କପ୍‌ରେ ଭାରତ-ଡେନମାର୍କ ସେମି ଫାଇନାଲ ୨-୨ରେ ବରାବର ହେବା ପରେ ଅନ୍ତିମ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଥିଲା । ଭାରତର ଏଚ୍‌ଏସ୍‌ ପ୍ରଣୟ ଓ ଡେନମାର୍କର ରାସମୁସ୍‌ ଗେମ୍‌କେ ଏହି ଅନ୍ତିମ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ । ପାଦରେ ଆଘାତ ସତ୍ତେ୍ୱ ପ୍ରଣୟ କୋର୍ଟରେ ଜୋରଦାର ଲଢ଼େଇ କରିଥିଲେ । ପ୍ରଥମ ଗେମ୍‌ (୧୩-୨୧) ହାତଛଡ଼ା କରିବା ପରେ ସେ ଦ୍ୱିତୀୟ (୨୧-୯) ଓ ତୃତୀୟ (୨୧-୧୨)ଗେମ୍‌ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଐତିହାସିକ ବିଜୟ ହାସଲ କରିଥିଲେ ।

ଏହି ବିଜୟ ସହ ଭାରତୀୟ ପୁରୁଷ ଦଳ ସେମି ଫାଇନାଲରେ ୩-୨ରେ ଡେନମାର୍କକୁ ପରାଜିତ କରିଥିଲା ଏବଂ ଟୁର୍ଣ୍ଣାମେଣ୍ଟରେ ନୂଆ ଇତିହାସ ରଚିବା ସହ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିଲା । ପ୍ରଣୟଙ୍କ ଏହି ଐତିହାସିକ ବିଜୟରେ ସାରା ଦେଶ ଉତ୍ସବମୁଖର ହୋଇ ଉଠିଥିଲା । କୋର୍ଟରେ ଆହତ ହୋଇବି ସେ ଯେଉଁଭଳି ସାହସିକତାର ସହ ବିଜୟ ଲାଭ କଲେ ସେଥିପାଇଁ ଦେଶବାସୀ ତାଙ୍କୁ ଭୂୟସୀ ପ୍ରଶଂସା କରୁଛନ୍ତି। ଫାଇନାଲରେ ପ୍ରବେଶ କରି ଭାରତ ଏକ ପଦକ ପକ୍କା କରିସାରିଛି । କିନ୍ତୁ ଏହି ପଦକର ରଙ୍ଗ କ’ଣ ହେବ ତାହାକୁ ହିଁ ଅପେକ୍ଷା ରହିଲା। ଫାଇନାଲରେ ଭାରତ ୧୪ ଥର ଚାମ୍ପିଅନ ଇଣ୍ଡୋନେସିଆକୁ ଭେଟିବ । ଇଣ୍ଡୋନେସିଆ ଅନ୍ୟ ଏକ ସେମିରେ ୩-୨ରେ ଜାପାନକୁ ପରାଜିତ କରିଥିଲା ।

ଡେନମାର୍କ ବିପକ୍ଷ ସେମିରେ ଲକ୍ଷ୍ୟ ସେନ୍‌ ପ୍ରଥମେ ବିଶ୍ୱର ଏକ ନମ୍ବର ଖେଳାଳି ଭିକ୍ଟର ଆକ୍ସେଲସେନ୍‌ଙ୍କ ଠାରୁ ୨୧-୧୩, ୨୧-୧୩ରେ ପରାଜିତ ହୋଇଥିଲେ । ଏହାପରେ ଡବଲ୍ସରେ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ରୋମାଞ୍ଚକର ବିଜୟ ସହ ସ୍ଥିତି ୧-୧ରେ ବରାବର କରିଥିଲେ । ଭାରତୀୟ ଯୋଡ଼ି ୨୧-୧୮, ୨୧-୨୩, ୨୨-୨୦ରେ କିମ୍‌ ଆଷ୍ଟ୍ରପ ଓ ମାଥିଆସ୍‌ ଖ୍ରୀଷ୍ଟିଆନ୍‌ସେନ୍‌ଙ୍କୁ ପରାସ୍ତ କରିଥିଲେ ।

ଦ୍ୱିତୀୟ ସିଙ୍ଗଲ୍ସରେ ବିଶ୍ୱର ୩ ନମ୍ବର ଖେଳାଳି ଆଣ୍ଡର୍ସ ଆଣ୍ଟୋନସେନ୍‌ଙ୍କୁ ହରାଇ ବଡ଼ ବିପର୍ଯ୍ୟୟ ଘଟାଇଥିଲେ କେ. ଶ୍ରୀକାନ୍ତ । ସେ ୨୧-୧୮, ୧୨-୨୧, ୨୧-୧୫ରେ ବିଜୟୀ ହୋଇଥିଲେ । ଏଥିସହ ସେ ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲେ । ଦ୍ୱିତୀୟ ଡବଲ୍ସରେ କ୍ରିଷ୍ଣା ପ୍ରସାଦ ଗରଗ ଓ ବିଷ୍ଣୁ ବର୍ଦ୍ଧନ ଗୌଡ଼ ଯୋଡ଼ିଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆଣ୍ଡର୍ସ ସ୍କାରୁପ ରାସମୁସେନ ଓ ଫ୍ରେଡେରିକ୍‌ ସୋଗାର୍ଡ଼ ୧୪- ୨୧, ୧୩-୨୧ରେ ବିଜୟୀ ହୋଇ ମ୍ୟାଚ୍‌କୁ ୨-୨ ସ୍ଥିତିରେ ପହଞ୍ଚାଇଥିଲେ । ଏହାପରେ ଅନ୍ତିମ ସିଙ୍ଗଲ୍ସ ମୁକାବିଲାରେ ଅଭିଜ୍ଞ ପ୍ରଣୟ ୧୩-୨୧, ୨୧-୯, ୨୧-୧୨ରେ ଗେମ୍‌କେଙ୍କୁ ହରାଇଥିଲେ ।


Share It

Comments are closed.