280 ମେଗାୱାଟରୁ ଅଧିକ ବିଦ୍ୟୁତ୍ ଚୋରି ରୋକିବାରେ ସଫଳ ହୋଇଛି ଟିପିଡବ୍ଲ୍ୟୁଓଡିଏଲ୍


ବୁର୍ଲା, 24.07.2024: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରକ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ଏହାର ବିତରଣ ଅଞ୍ଚଳରେ ବିଦ୍ୟୁତ୍ ଚୋରିକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷପ ହାତକୁ ନେଇଅଛି । ଅନେକ ସମୟରେ ଗ୍ରାହକ ତଥା ଜନସାଧାରଣଙ୍କୁ ସମସ୍ତ ମାଧ୍ୟମରେ ଅନୁରୋଧ କରିବା ସତ୍ତ୍ୱେ ମଧ୍ୟ କିଛି ଅସାଧୁ ଲୋକଙ୍କ ଦ୍ୱାରା ବିଭିନ୍ନ ଉପାୟରେ ବିଦ୍ୟୁତ୍ ଚୋରି କରାଯାଉଅଛି । ଯାହାର ପ୍ରଭାବ ଅନ୍ୟ ଗ୍ରାହକଙ୍କ ଉପରେ ପଡୁଅଛି ।

ଏଠାରେ ପ୍ରକାଶଥାଉ ଯେ, ଟିପିଡବ୍ଲ୍ୟୁଓଡିଏଲ୍ ଆଜି ପର୍ଯ୍ୟନ୍ତ 280 ମେଗାୱାଟରୁ ଅଧିକ ବିଦ୍ୟୁତ୍ ଚୋରି ରୋକିବାରେ ସଫଳ ହୋଇଅଛି । ଆର୍ଥିକ ବର୍ଷ 2021-22ରେ ବିଦ୍ୟୁତ୍ ଚୋରିକୁ ନେଇ ପ୍ରାୟ 26 ହଜାର ଅଭିଯୋଗ ଦାଖଲ କରାଯାଇଅଛି । ଯାହାକି 57 ମେଗାୱାଟ ବିଦ୍ୟୁତ୍ ଚୋରି ରୋକିବାରେ ସହାୟକ ହୋଇଛି । ସେହିପରି 2022-23 ଆର୍ଥିକ ବର୍ଷରେ ଟିପିଡବ୍ଲ୍ୟୁଓଡିଏଲ୍ 27 ହଜାର 475 ମାମଲା ପଞ୍ଜିକୃତ କରି 80 ମେଗାୱାଟ ବିଦ୍ୟୁତ୍ ଚୋରିକୁ ରୋକିପାରିଛି । ସେହିପରି 2023-24 ଆର୍ଥିକ ବର୍ଷରେ, ବିଦ୍ୟୁତ୍ ଚୋରି ସମ୍ବନ୍ଧୀୟ ପ୍ରାୟ 40 ହାଜର 381 ଟି ଅଭିଯୋଗ ପଞ୍ଜିକୃତ କରି କମ୍ପାନୀ 134 ମେଗାୱାଟରୁ ଅଧିକ ବିଦ୍ୟୁତ୍ ଚୋରିକୁ ରୋକିପାରିଛି ।

ବର୍ତ୍ତମାନ ବିଦ୍ୟୁତ୍ ଚୋରିକୁ ରୋକିବା ପାଇଁ ଟିପିଡବ୍ଲ୍ୟୁଓଡିଏଲର ସମସ୍ତ ସବଡିଭିଜନ ଏବଂ ସେକ୍ସନ ଅଫିସମାନଙ୍କରେ କମ୍ପାନୀ ତରଫରୁ ତାଲିମ ପ୍ରାପ୍ତ କର୍ମଚାରୀ ଦଳ ନିଯୁକ୍ତି କରାଯାଇଅଛି ଏବଂ ସେହି ଦଳ ବିଭିନ୍ନ ପ୍ରକାରର ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ବାସଗୃହ, ବ୍ୟବସାୟୀକ ପ୍ରତିଷ୍ଠାନ ଏବଂ କ୍ଷୁଦ୍ର ଶିଳ୍ପ ଉପରେ ଚଢାଉ କରି ଅସାଧୁ ଉପାୟରେ ବିଦ୍ୟୁତ୍ ଚୋରି କରୁଥିବା ବ୍ୟକ୍ତି ବା ସଂସ୍ଥାମାନଙ୍କ ବିରୋଧରେ ଅଭିଯୋଗ ପଞ୍ଜିକୃତ କରୁଅଛନ୍ତି ।

ଆମେ ଟିପିଡବ୍ଲ୍ୟୁଓଡିଏଲ୍ ତରଫରୁ ସମସ୍ତ ଗ୍ରାହକ ତଥା ଜନସାଧାରଣଙ୍କୁ ପୁଣିଥରେ ଅନୁରୋଧ କରିବା ସହ ସୂଚାଇ ଦେବାକୁ ଚାହୁଁଅଛୁ ଯେ, ବିଦ୍ୟୁତ୍ ଚୋରି ଆଇନ ଅନୁଯାଇ ଏକ ଦଣ୍ଡନୀୟ ଅପରାଧ । ଏହା ମଧ୍ୟ ଏକ ଅମାନବିକ କାର୍ଯ୍ୟ ଅଟେ । ତେଣୁ ଯଦି ଜନସାଧାରଣ କୌଣସି ସ୍ଥାନ, ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏହି ଅମାନବିକ କାର୍ଯ୍ୟ ପାଇଁ କମ୍ପାନୀକୁ ସୂଚନା ଦେବାକୁ ଚାହାଁନ୍ତି, ତେବେ ସେମାନେ 8093061179 ନମ୍ୱରରେ ଯୋଗଯୋଗ କରିପାରିବେ ।


Share It

Comments are closed.