ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଘରୋଇ ଏବଂ ଶିଳ୍ପ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ


ବୁର୍ଲା, 02.06.2024: ପଶ୍ଚିମ ଓଡିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ଏହାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ନିମନ୍ତେ ବିଦ୍ୟୁତ୍ ଭିତ୍ତିଭୂମିରେ ବୃଦ୍ଧି ତଥା ବିତରଣ ବ୍ୟବସ୍ଥାର ଉନ୍ନତି ଦିଗରେ ଆଉ ଏକ ପଦକ୍ଷେପ ହାତକୁ ନେଇଛି । ଏହି ପରିପ୍ରେକ୍ଷୀରେ, କଳାହାଣ୍ଡି ଜିଲ୍ଲାର ଘରୋଇ ଏବଂ ଶିଳ୍ପ ଉପଭୋକ୍ତାଙ୍କ ଲାଗି ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତି ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ କଲମପୁର ଠାରୁ ବଡ଼କୁଟୁରୁ ପ୍ରାଇମେରୀ ସବଷ୍ଟେସନ ପର୍ଯ୍ୟନ୍ତ ନୂତନ 33 କେ.ଭି. ଲାଇନ ବିଛାଇବା ଆରମ୍ଭ କରିଛି ।

ପ୍ରକାଶଥାଉ କି, ବିଦ୍ୟମାନ 33 କେ.ଭି. ବିଦ୍ୟୁତ୍ ଲାଇନଟି 12 କିଲୋମିଟର ଦୂରତା ବିଶିଷ୍ଟ ଘନ ଜଙ୍ଗଲ ଦେଇ 132/33 କେ.ଭି. ବାନର ଗ୍ରୀଡ ସବଷ୍ଟେସନରୁ ବିଦ୍ୟୁତ୍ ଯୋଗାଣ ପାଉଅଛି । ତେଣୁ ବିଦ୍ୟୁତ୍ ଲାଇନରେ କୌଣସି ତୃଟି ଦେଖାଦେଲେ ମରାମତି ପାଇଁ ଦୀର୍ଘ ସମୟ ଲାଗୁଥିବାରୁ ଏହା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାରେ ବାଧା ସୃଷ୍ଟି କରୁଅଛି ।

ତେଣୁ କମ୍ପାନୀ ପକ୍ଷରୁ କଲମପୁର ଠାରୁ ବଡ଼କୁଟୁରୁ ପ୍ରାଇମେରୀ ସବଷ୍ଟେସନ ପର୍ଯ୍ୟନ୍ତ ଆଉ ଏକ 33 କେ.ଭି. ଫିଡର ଲାଇନ ବିଛାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନୂତନ 33 କେ.ଭି ବିଦ୍ୟୁତ୍ ଲାଇନ କାର୍ଯ୍ୟକ୍ଷମ ହେବା ଦ୍ୱାରା କଲମପୁରର ଏବଂ ବଡ଼କୁଟୁରୁ ବ୍ଲକର ଦେପୁର, କଲମପୁର, ପାଣ୍ଡିଆଗାଁ, ହେରାମାଲ, ବନ୍ଧକେନା, ପାଇକେନ୍ଦୁମୁଣ୍ଡି ଆଦି ଅଞ୍ଚଳର ପ୍ରାୟ 7000 ଘରୋଇ ଉପଭୋକ୍ତାଙ୍କ ସହ ଉକ୍ତ ଅଞ୍ଚଳର ଅନେକ ମଧ୍ୟମ ଏବଂ ବୃହତ ଶିଳ୍ପ ଉପଭୋକ୍ତା ଉପକୃତ ହେବେ ।

ଏହି ଅବସରରେ ଟିପିଡବ୍ଲୁଓଡିଏଲ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମିର ଆଧୁନିକୀକରଣ ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେଇ ଆମେ ଉତ୍ସାହିତ । ଉଭୟ ଘରୋଇ ଏବଂ ଶିଳ୍ପ ଉପଭୋକ୍ତାଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଆମେ କେବଳ ଯେ, କଳାହାଣ୍ଡିବାସୀଙ୍କ ପାଇଁ ଉନ୍ନତମାନର ବିଦ୍ୟୁତ୍ ସେବା ସୁନିଶ୍ଚିତ କରୁ ନାହୁଁ ବରଂ ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସମୃଦ୍ଧତାକୁ ମଧ୍ୟ ବୃଦ୍ଧି କରୁଛୁ । ଏହି ପ୍ରକଳ୍ପ ପାଇଁ କମ୍ପାନୀ 4.63 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଥିବା ବେଳେ ଏହି ଉନ୍ନତିକରଣ କାର୍ଯ୍ୟ ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।


Share It

Comments are closed.