ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବରଗଡ଼ ଜିଲ୍ଲାର ବିଦ୍ୟୁତ୍ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଦୁଇଟି ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକ୍ଷମ
ବରଗଡ଼, ଅଗଷ୍ଟ ୨୧, ୨୦୨୫: ଗ୍ରାମୀଣ ଏବଂ ଶିଳ୍ପକ୍ଷେତ୍ର ଲାଗି ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଦିଗରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବରଗଡ଼ ଜିଲ୍ଲାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ୍ ଭିତ୍ତିଭୂମି ପ୍ରକଳ୍ପ ସଫଳତାର ସହ ସମାପ୍ତ ହୋଇ କାର୍ଯ୍ୟକ୍ଷମ କରାଯାଇଅଛି ।
ପ୍ରଥମ ପ୍ରକଳ୍ପଟି ହେଉଛି ସୋହେଲା ପିଏସ୍ଏସ୍ ଅନ୍ତର୍ଗତ ଛୁରିଆପାଲି ଏବଂ ପଦ୍ମପୁର ଫିଡର ମଧ୍ୟରେ ଏକ ନୂତନ ୧୧ କେ.ଭି. ଲିଙ୍କ୍ ଲାଇନର ନିର୍ମାଣ । ମୋଟ୍ ୧.୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବା ଫଳରେ ଛୁରିଆପାଲି ଫିଡରରୁ ଓଭରଲୋଡିଂ ଏବଂ ଲୋ-ଭୋଲଟେଜ୍ ଭଳି ସମସ୍ୟାକୁ ଦୂର ହୋଇପାରିଛି । ଏହି ନୂତନ ଲିଙ୍କ୍ ଲାଇନ୍ କାର୍ଯ୍ୟକ୍ଷମ ହେବା ସହିତ ପ୍ରାୟ ୧୨୦ ଆମ୍ପିୟର ଲୋଡ୍ ପଦ୍ମପୁର ଫିଡରକୁ ସ୍ଥାନାନ୍ତରିତ ହୋଇପାରିଛି, ଯାହା ଭୋଲଟେଜକୁ ୭.୩ କେ.ଭି. ରୁ ୯.୮କେ.ଭି. କୁ ବୃଦ୍ଧି କରିଛି । ଏହା ସହ ୧୭୬ ଗୋଟି ଉଠା ଜଳସେଚନ ସଂଯୋଗକୁ ମଧ୍ୟ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ମିଳିପାରୁଛି । ଏଥିସହିତ ଖଲିଆପାଲି, ତାଣ୍ଡୋଳ, ଚିତାଖାଇ, ଏବଂ କେଣ୍ଡବାହାଲୋନ ଗ୍ରାମର ପ୍ରାୟ ୧,୮୦୦ ରୁ ଅଧିକ ଘରୋଇ ବିଦ୍ୟୁତ୍ ଉପଭୋକ୍ତା ଲାଭବାନ ହୋଇ ପାରୁଛନ୍ତି ।
ସେହିପରି ଦ୍ଵିତୀୟ ପ୍ରକଳ୍ପଟି ହେଉଛି ସୋହେଲା ପିଏସ୍ଏସରୁ ସଂଯୋଗ ହୋଇଥିବା ୧୧ କେ.ଭି. ସୋହେଲା ଫିଡରର ଉନ୍ନତିକରଣ କାର୍ଯ୍ୟ । ଏହି ପ୍ରକଳ୍ପ ସୋହେଲା ଫିଡରରେ ଦୀର୍ଘକାଳୀନ ଓଭରଲୋଡିଂ ଓ ଲୋ-ଭୋଲ୍ଟେଜ୍ ସମସ୍ୟାକୁ ହ୍ରାସ କରିପାରିଛି । ଏହି ଫିଡରରେ ପୂର୍ବରୁ ଥିବା ୩୪ ବର୍ଗ ମିଲିମିଟର୍ କଣ୍ଡକ୍ଟରକୁ ପରିବର୍ତ୍ତନ କରାଯାଇ ୧୦୦ ବର୍ଗ ମିଲିମିଟରର ଉନ୍ନତମାନର କଣ୍ଡକ୍ଟର ଲାଗାଯାଇଛି । ଯାହା ଫଳରେ ଉକ୍ତ ଅଞ୍ଚଳର ୧୭ଟି ଉଠାଜଳସେଚନ ସଂଯୋଗକୁ ବିଦ୍ୟୁତ୍ ଯୋଗାଣ ସୁବିଧାଜନକ ହୋଇପାରିଛି । ସେହିପରି ୧୦ରୁ ଅଧିକ ଶିଳ୍ପ ଉପଭୋକ୍ତାଙ୍କୁ ମଧ୍ୟ ନିର୍ଭରଯୋଗ୍ୟ ଯୋଗାଣ ସୁନିଶ୍ଚିତ ହୋଇପାରିଛି ଏବଂ ନିକଟସ୍ଥ ଅଞ୍ଚଳର ପ୍ରାୟ ୧,୫୦୦ରୁ ଅଧିକ ଘରୋଇ ଉପଭୋକ୍ତା ତଥା ଛୋଟ ବ୍ୟବସାୟୀଙ୍କ ପାଇଁ ବିଦ୍ୟୁତ ଗୁଣବତ୍ତାରେ ଉନ୍ନତି ଆସିଛି ।
ଉଭୟ ପ୍ରକଳ୍ପ ବିଷୟରେ ମତପ୍ରକାଶ କରି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ନିରବଚ୍ଛିନ୍ନ, ନିରାପଦ ଏବଂ ଗୁଣାତ୍ମକ ବିଦ୍ୟୁତ୍ ସୁନିଶ୍ଚିତ କରିବା ପାଇଁ ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଆମର ନେଟୱାର୍କକୁ ସୁଦୃଢ଼ କରି, ଆମେ ଗ୍ରାମାଞ୍ଚଳର ପରିବାର, ଚାଷୀ ଏବଂ ଶିଳ୍ପ କ୍ଷେତ୍ରଗୁଡ଼ିକୁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଟିତ କରିପାରିଛୁ । ଏହିପରି କାର୍ଯ୍ୟ ମଧ୍ୟ ଜାରି ରଖାଯିବା ।”
Comments are closed.