ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ବରଗଡ଼ ଜିଲ୍ଲାର ସୋହେଲା ଏବଂ ବରଗଡ଼ ସଦର ବ୍ଲକର ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ପାଇଁ ଏକ ନୂତନ 33 କେ.ଭି. ଲାଇନ ସଂସ୍ଥାପନ କରାଯାଇଅଛି
ବୁର୍ଲା, 11.12.2024: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ଗ୍ରାହକମାନଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ବିଦ୍ୟୁତ୍ ଭିତ୍ତିଭୂମିର ରୁପାନ୍ତରଣ ଏବଂ ନବୀକରଣ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ସୋହେଲା ଏବଂ ବରଗଡ଼ ସଦର ବ୍ଲକର ଘରୋଇ, ଶିଳ୍ପ ତଥା କୃଷି ଉପଭୋକ୍ତାମାନଙ୍କ ପାଇଁ ଭଟଲି 132/33 କେ.ଭି ଗ୍ରୀଡ୍ ସବଷ୍ଟେସନ୍ ଠାରୁ ଦଶମାଇଲ୍ 33/11 କେ.ଭି ପ୍ରାଇମେରୀ ସବଷ୍ଟେସନ୍ ପର୍ଯ୍ୟନ୍ତ ଏକ ନୂତନ 33 କେ.ଭି. ଲାଇନ ସଂସ୍ଥାପନ କରାଯାଇଅଛି ।
ପ୍ରକାଶାଥାଉ କି, ବର୍ତ୍ତମାନ ଏହି ଦୁଇଟି ବ୍ଲକର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ତୁରୁଙ୍ଗା ଏବଂ ଦଶମାଇଲ୍ ପ୍ରାଇମେରୀ ସବଷ୍ଟେସନରୁ ବିଦ୍ୟୁତ୍ ଯୋଗାଇ ଦିଆଯାଉଅଛି । ମାତ୍ର ଅତ୍ୟାଧିକ ବିଦ୍ୟୁତ୍ ଚାହିଦା ଯୋଗୁଁ ଓଭର ଲୋଡିଂର ସମସ୍ୟା ଉପୁଜୁଅଛି । ଯାହା ଫଳରେ ତୁରୁଙ୍ଗା ଫିଡର ଲାଇନରୁ ବିଦ୍ୟୁତ୍ ଯୋଗାଣ ପାଉଥିବା ଶିଳ୍ପ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ତଥା ନିରବଚ୍ଛିଚନ୍ନ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି ହେଉଛି ଏବଂ ନୂତନ ବିଦ୍ୟୁତ୍ ସଂଯୋଗରେ ମଧ୍ୟ ସମସ୍ୟା ଉପୁଜୁଛି । ତେଣୁ ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଭଟଲି 132/33 କେ.ଭି ଗ୍ରୀଡ୍ ସବଷ୍ଟେସନ୍ ଠାରୁ ଦଶମାଇଲ୍ 33/11 କେ.ଭି ପ୍ରାଇମେରୀ ସବଷ୍ଟେସନ୍ ପର୍ଯ୍ୟନ୍ତ ଏକ ନୂତନ ତଥା ଉତ୍ସର୍ଗୀକୃତ 33 କେ.ଭି. ଲାଇନର ବିସ୍ତାର କରାଯାଇଅଛି । ଯାହା ଓଭର ଲୋଡିଂର ସମସ୍ୟା ଦୂର କରିବା ସହ ବିଦ୍ୟୁତ୍ ଯୋଗାଣରେ ସ୍ଥିରତା ଆଣିବ ।
ଏହି ପ୍ରକଳ୍ପ ଦ୍ୱାରା ସୋହେଲା ଏବଂ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଦଶମାଇଲ୍, ତୁରୁଙ୍ଗା, ଶିରିଗିଡ଼ା, ସର୍କଣ୍ଡା, ବିଶିପାଲି, ସୋହେଲା, ଖରମୁଣ୍ଡା, ଜଟଲା, ବୁଧିଆପାଲି, ସହଜାବାହାଲ ଏବଂ ନୂଆଗାଁ ଆଦି ଅଞ୍ଚଳର ପ୍ରାୟ 25 ହଜାର ବିଦ୍ୟୁତ୍ ଉପଭୋକ୍ତାମାନେ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇ ପାରିବେ ।
ଏହି ପ୍ରକଳ୍ପର ସଠିକ୍ ରୂପାୟନରେ ସନ୍ତୋଷ ବ୍ୟକ୍ତ କରି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, ବରଗଡ଼ ଜିଲ୍ଲାର ଗ୍ରାହକଙ୍କ ଆବଶ୍ୟକତା ପାଇଁ ଏହା ଅନନ୍ୟ ଏକ ପଦକ୍ଷେପ । ଏହି ପ୍ରକଳ୍ପ କାର୍ଯ୍ୟ ମାତ୍ର 3.5 ମାସର ରେକର୍ଡ ସମୟ ମଧ୍ୟରେ ସମାପ୍ତ ହୋଇଛି । ଏଥିଲାଗି କମ୍ପାନୀ ପକ୍ଷରୁ ମୋଟ 5.7 କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି ।
Comments are closed.