ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ତରଫରୁ ସଚେତନତା କାର୍ଯ୍ୟକ୍ରମ

Share It

ବୁର୍ଲା, 26.12.2024: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ପଶ୍ଚିମ ଓଡ଼ିଶାର ୪୭,୦୦୦ ବର୍ଗ କିଲୋମିଟର ଭୌଗଳିକ ପ୍ରାନ୍ତରେ ବିଦ୍ୟୁତ୍ ବିତରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଅଛି । ଏହି ବିଦ୍ୟୁତ୍ ବିତରଣ ନିମନ୍ତେ ବ୍ୟବହାର ହେଉଥିବା ବିଦ୍ୟୁତ୍ ଯୋଗାଣ ଲାଇନ୍ ଅନେକ ସ୍ଥାନରେ ଜଙ୍ଗଲ ମଧ୍ୟ ଦେଇ ଗୋଟିଏ ପ୍ରାନ୍ତରୁ ଅନ୍ୟ ଏକ ପ୍ରାନ୍ତକୁ ଟଣାଯାଇଛି । ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ଅନୈତିକ ଉପାୟରେ ଉକ୍ତ ବିଦ୍ୟୁତ୍ ଲାଇନରୁ ହୁକ ପକାଇ ଘଞ୍ଚ ଜଙ୍ଗଲ ମଧ୍ୟରେ ତାର ବିଛାଇ ବନ୍ୟଜନ୍ତୁ ଶିକାର କରୁଥିବା ପରିଲକ୍ଷିତ ହେଉଅଛି ।

ତେଣୁ ବିଦ୍ୟୁତ୍ ତାର ମାଧ୍ୟମରେ ବନ୍ୟଜନ୍ତୁଙ୍କ ଅବୈଧ ଶିକାର ରୋକିବା ପାଇଁ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି । କମ୍ପାନୀ ପକ୍ଷରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଏବଂ ବ୍ୟାନର୍ ଲଗାଇବା, ଲିଫଲେଟ୍ ବାଣ୍ଟିବା, ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ଅବଗତ କରାଇବା ଇତ୍ୟାଦି କାର୍ଯ୍ୟ ଧାରାବାହିକ ଭାବରେ କରାଯାଉଅଛି । ରାଜ୍ୟର ଜଙ୍ଗଲ ବିଭାଗର କର୍ମଚାରୀ ଏବଂ ଆମ କମ୍ପାନୀର କ୍ଷେତ୍ରୀୟ କର୍ମଚାରୀଙ୍କ ସମନ୍ୱୟରେ ହାତୀମାନଙ୍କର ଚଲାପଥକୁ ଅନୁଧ୍ୟାନ କରି ବିଭିନ୍ନ ସମୟରେ ବିଦ୍ୟୁତ୍ ସାରବରାହକୁ ବିଚ୍ଛିନ୍ନ କରାଯାଉଅଛି । ବିଶେଷକରି ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ତାର ମାଧ୍ୟମରେ ବନ୍ୟଜନ୍ତୁଙ୍କ ଅବୈଧ ଶିକାର ହେଉଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ କମ୍ପାନୀ ପକ୍ଷରୁ ପ୍ରଥପ୍ରାନ୍ତ ନାଟକ ବା ନୁକ୍କଡ଼ ନାକଟ ଜରିଆରେ ଜନ ସଚେତନତା ସୃଷ୍ଟି କରାଯାଉଛି ।

ଚଳିତ ବର୍ଷ ପାଇଁ ଏଭଳି 500 ଟି ନୁକ୍କଡ଼ ନାକଟର ଯୋଜନା ପ୍ରସ୍ତୁତ କରାଯାଇଛି । ଯାହା ମଧ୍ୟରୁ ଗତ ଦୁଇମାସ ମଧ୍ୟରେ କମ୍ପାନୀ ପକ୍ଷରୁ 200ରୁ ଅଧିକ ସ୍ଥାନରେ ଏହି ନୁକ୍କଡ଼ ନାକଟର ଆୟୋଜନ ହୋଇସାରିଛି । ଏହା ଦ୍ୱାରା ସମ୍ୱଲପୁର, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାର ପ୍ରାୟ ହାଜର ହାଜର ଲୋକଙ୍କ ମଧ୍ୟରେ ବିଦ୍ୟୁତ୍ ତାର ମାଧ୍ୟମରେ ବନ୍ୟଜନ୍ତୁଙ୍କ ଅବୈଧ ଶିକାର ରୋକିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଇପାରିଛି । ସେହିପରି ଗତବର୍ଷ ମଧ୍ୟ ଅନେକ ଅଞ୍ଚଳରେ କମ୍ପାନୀ ପକ୍ଷରୁ ଏହି ନୁକ୍କଡ଼ ନାକଟ ଆୟୋଜନ କରାଯାଇଥିଲା ।

“ସମାଜର ବୃହତର ସ୍ୱାର୍ଥ ଦୃଷ୍ଟରୁ ପଶ୍ଚିମ ଓଡ଼ିଶାର ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ବିଦ୍ୟୁତ୍ ତାର ମାଧ୍ୟମରେ ବନ୍ୟଜନ୍ତୁଙ୍କ ଅବୈଧ ଶିକାର ରୋକିବା ବିଷୟବସ୍ତୁ ଉପରେ ଏହି ପଥପ୍ରାନ୍ତ ନାକଟ ଗୁଡ଼ିକ ପର୍ଯ୍ୟବେସିତ । ଜନସାଧାରଣ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଏକ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବରେ ମଧ୍ୟ ଆମର ପ୍ରାଥମିକ ଲକ୍ଷ୍ୟ । ସମସ୍ତ ପ୍ରାଣୀ ତଥା ଧନଜୀବନର ସୁରକ୍ଷାକୁ ପ୍ରାଥମିକତା ଦେଇ କମ୍ପାନୀ ତରଫରୁ ପ୍ରତ୍ୟେକ କାର୍ଯ୍ୟ ହାତକୁ ନିଆଯାଇଥାଏ । ଏହି ପ୍ରଣାଳୀରେ ଆମେ ସମାଜରେ ଏକ ଦୃଢ଼ ସୁରକ୍ଷା ସଂସ୍କୃତି ବିକାଶ କରିବା ଲାଗି ପ୍ରତିବଦ୍ଧ ରହିଛୁ’’ ବୋଲି ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ।


Share It

Comments are closed.