ଟିପିଡବ୍ଲ୍ୟୁଓଡିଏଲ୍ ଚୋର୍ ଗ୍ରୀଣ୍ଡୋଲାଠାରୁ ଉଦୟପାଲି ପର୍ଯ୍ୟନ୍ତ ସ୍ଥାପନ କରିଥିବା ନୂତନ 33 କେ.ଭି. ଫିଡର୍ ଲାଇନ୍ କାର୍ଯ୍ୟକ୍ଷମ


ବୁର୍ଲା: ବିଦ୍ୟୁତ୍ ବିତରଣର ଗୁଣବତ୍ତା ପାଇଁ ଏହାର ଭିତ୍ତିଭୂମି ସୁଦୃଢ କରିବା ପଦକ୍ଷେପର ଏକ ଅଂଶ ଭାବରେ ଟିପିଡବ୍ଲ୍ୟୁଓଡିଏଲ୍ ବରଗଡ ଜିଲ୍ଲା ଅନ୍ତର୍ଗତ ଭଟଲି ବ୍ଲକର ଘରୋଇ, କୃଷି ଏବଂ ଶିଳ୍ପ ଉପଭୋକ୍ତାମାନଙ୍କ ପାଇଁ ଚୋର୍ ଗ୍ରୀଣ୍ଡୋଲା 132/33 କେ.ଭି. ଗ୍ରୀଡ୍ ସବଷ୍ଟେସନଠାରୁ ଉଦୟପାଲି 33/11 କେ.ଭି. ପ୍ରାଇମେରୀ ସବଷ୍ଟେସନ ପର୍ଯ୍ୟନ୍ତ ଏକ ନୂତନ ଏବଂ ଉତ୍ସର୍ଗୀକୃତ 33 କେ.ଭି. ଫିଡର ଲାଇନ ସ୍ଥାପନ କରିଅଛି ।

ପ୍ରକାଶାଥାଉ କି, ଏହା ପୂର୍ବରୁ ଭଟଲି ବ୍ଲକର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରୁ 33 କେଭି ଡୁଙ୍ଗୁରି ଫିଡର ଲାଇନ ମାଧ୍ୟମରେ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଉଥିଲା । ମାତ୍ର ଅତ୍ୟାଧିକ ବିଦ୍ୟୁତ୍ ଚାହିଦା ଯୋଗୁଁ ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ଓଭର ଲୋଡିଂର ସମସ୍ୟା ଦେଖା ଦେଉଥିଲା । ଏହି କାରଣରୁ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ସ୍ଥିର ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି ହେଉଥିଲା ।

ତେଣୁ, ଏହି ସମସ୍ୟାର ସମାଧାନ ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ଚୋର୍ ଗ୍ରୀଣ୍ଡୋଲା 132/33 କେଭି ଗ୍ରୀଡ୍ ସବଷ୍ଟେସନଠାରୁ ଉଦୟପାଲି 33/11 କେ.ଭି. ପ୍ରାଇମେରୀ ସବଷ୍ଟେସନ ପର୍ଯ୍ୟନ୍ତ 12 କିଲୋମିଟର ଦୂରତାର ଏକ ନୂତନ ଏବଂ ଉତ୍ସର୍ଗୀକୃତ 33 କେଭି ଲାଇନ ସ୍ଥାପନ କରିଅଛି । ଯାହା ବର୍ତ୍ତମାନର 33 କେ. ଭି. ଫିଡର୍ ଲାଇନ୍ରୁ ଓଭର ଲୋଡିଂର ସମସ୍ୟା ଦୂର କରିବା ସହ ବିଦ୍ୟୁତ୍ ଯୋଗାଣରେ ସ୍ଥିରତା ଆଣିବ । ତେବେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ୱାରା ଉଦୟପାଲି, ହାଲୁପାଲି, ହାତିସର, ଉର୍ଦ୍ଦୁନା, ଭାଦିଗାଓଁ, କାଶୀପାଲି, ନବରଙ୍ଗପୁର ଏବଂ ବିଚୁଆଁ ଭଳି ଅଞ୍ଚଳର ପ୍ରାୟ 15,000 ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ ।

ଏହି ଅବସରରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି ଯେ, ବରଗଡ ଜିଲ୍ଲା ପାଇଁ କମ୍ପାନୀ ଏହାର ଭିତ୍ତିଭୂମି ବିକାଶ କାର୍ଯ୍ୟକଳାପକୁ ପ୍ରାଥମିକତା ଦେଉଅଛି ଏବଂ ପ୍ରକଳ୍ପ କାର୍ଯ୍ୟକାରୀ ଦଳକୁ ଯୋଜନାବଦ୍ଧ ସମୟ ମଧ୍ୟରେ ଏହିପରି ସମସ୍ତ ପଦକ୍ଷେପକୁ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୋଟ୍ 3.28 କୋଟି ଟଙ୍କା ବ୍ୟୟରେ ଏବଂ 8 ମାସ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ କରାଯାଇଅଛି ।


Share It

Comments are closed.