ସ୍ମାର୍ଟ ମିଟର ସହି ହୈ: ପଶ୍ଚିମ ଓଡ଼ିଶାର ୩୦୦ରୁ ଅଧିକ ଗ୍ରାମ ପଞ୍ଚାୟତରେ ଟିପିଡବ୍ଲୁଓଡିଏଲ୍ର ସଚେତନତା ଅଭିଯାନ
ଭୁବନେଶ୍ୱର, ମାର୍ଚ୍ଚ ୧୦, ୨୦୨୬: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡ଼ିକ ପକ୍ଷରୁ ଜାରି ରହିଥିବା ‘ସ୍ମାର୍ଟ ବନାମ ଷ୍ଟାଟିକ୍ ମିଟର’ ତୁଳନାତ୍ମକ ପ୍ରଦର୍ଶନୀ ଅଭିଯାନକୁ ତ୍ୱରାନ୍ୱିତ କରି, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପଶ୍ଚିମ ଓଡ଼ିଶାର ୩୦୦ରୁ ଅଧିକ ଗ୍ରାମ ପଞ୍ଚାୟତରେ ‘ଲାଇଭ୍ ସ୍ମାର୍ଟ ମିଟର’ ପ୍ରଦର୍ଶନୀ ୟୁନିଟ୍ ସ୍ଥାପନ କରିଛି। ଏହି ତୃଣମୂଳ ସ୍ତରର ଅଭିଯାନ ମାଧ୍ୟମରେ ପ୍ରାୟ ୧ ଲକ୍ଷରୁ ଅଧିକ ଗ୍ରାମୀଣ ବାସିନ୍ଦାଙ୍କୁ ସିଧାସଳଖ ସଚେତନ କରାଯାଇ ସେମାନଙ୍କୁ ସଶକ୍ତ କରାଯାଇଛି।
ଗ୍ରାମାଞ୍ଚଳର ଉପଭୋକ୍ତାଙ୍କ ମନରୁ ସନ୍ଦେହ ଦୂର କରିବା ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ କମ୍ପାନୀ ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ସ୍ମାର୍ଟ ମିଟର ଏବଂ ଡିଜିଟାଲ୍ (ଷ୍ଟାଟିକ୍) ମିଟରକୁ ଏକାସାଙ୍ଗରେ ଏବଂ ସମାନ ବିଦ୍ୟୁତ ଲୋଡ୍ରେ ଚଲାଇ ଲୋକଙ୍କୁ ଦେଖା ଯାଉଛି। ଏହି ଲାଇଭ ପରୀକ୍ଷଣରୁ ଉପଭୋକ୍ତା ମାନେ ନିଜେ ଦେଖିବାକୁ ପାଉଛନ୍ତି ଯେ, ଉଭୟ ମିଟରରେ ବିଦ୍ୟୁତ ବ୍ୟବହାରର ରିଡିଂ ସମାନ ରହୁଛି। ଏହା ସ୍ପଷ୍ଟ କରୁଛି ଯେ ସ୍ମାର୍ଟ ମିଟରଗୁଡ଼ିକ ପୁରୁଣା ମିଟର ପରି ସମାନ ନିୟମରେ କାର୍ଯ୍ୟ କରୁଥିବା ବେଳେ ଏଥିରେ ଉପଭୋକ୍ତାଙ୍କୁ ଅଧିକ ସଠିକତା, ସ୍ୱଚ୍ଛତା ଏବଂ ପ୍ରତି ମୁହୂର୍ତ୍ତର ବିଦ୍ୟୁତ ବ୍ୟବହାର ସମ୍ପର୍କିତ ସୂଚନା ପାଇବାର ଅତିରିକ୍ତ ସୁବିଧା ମିଳୁଛି।
ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଏହା ଦୋହରାଯାଇଛି ଯେ, ସ୍ମାର୍ଟ ମିଟର ଯୋଗୁଁ ବିଦ୍ୟୁତ ବ୍ୟବହାର କଦାପି ବଢ଼େ ନାହିଁ କିମ୍ବା ଏହା ଅଧିକ ରିଡିଂ ଦେଖାଏ ନାହିଁ। ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ସମ୍ପୂର୍ଣ୍ଣ ଭାବେ ସେମାନଙ୍କର ପ୍ରକୃତ ବ୍ୟବହାର ଉପରେ ଆଧାରିତ ଏବଂ ଏହା ଏକ ସ୍ୱୟଂଚାଳିତ ବୈଧିକରଣ ଏବଂ ବିଲିଂ ବ୍ୟବସ୍ଥା ଦ୍ୱାରା ନିୟନ୍ତ୍ରିତ। ସମାନ ଲୋଡ୍ରେ କରାଯାଉଥିବା ଏହି ତୁଳନାତ୍ମକ ପରୀକ୍ଷଣ ପ୍ରମାଣିତ କରୁଛି ଯେ, ସ୍ମାର୍ଟ ମିଟରିଂ ପ୍ରଯୁକ୍ତି ସମ୍ପୂର୍ଣ୍ଣ ଭାବେ ନିର୍ଭରଯୋଗ୍ୟ ଏବଂ ଏହାର ଗଣନା ସଠିକ ଅଟେ।
ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ପ୍ରଦର୍ଶନୀ ଆୟୋଜନ କରି ଟିପିଡବ୍ଲୁଓଡିଏଲ୍ ତୃଣମୂଳ ସ୍ତରର ଉପଭୋକ୍ତାଙ୍କ ପାଖରେ ସଠିକ୍ ଓ ପ୍ରାମାଣିକ ତଥ୍ୟ ପହଞ୍ଚାଉଛି। ସ୍ଥାନୀୟ ବାସିନ୍ଦାଙ୍କ ସମେତ ସରପଞ୍ଚ, ୱାର୍ଡ ମେମ୍ବର, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଯୁବ ସ୍ୱେଚ୍ଛାସେବୀ ଏବଂ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଉତ୍ସାହିତ କରାଯାଉଛି, ଯାହାଦ୍ୱାରା ସେମାନେ ନିଜେ ସ୍ମାର୍ଟ ମିଟରର ରିଅଲ-ଟାଇମ୍ ରିଡିଂ ଏବଂ ବିଦ୍ୟୁତ ବ୍ୟବହାର ପ୍ରକ୍ରିୟାକୁ ପରଖି ପାରିବେ।
ଏହି ଅଭିଯାନ ସମ୍ପର୍କରେ ଚମାପାଳ ଗ୍ରାମ ପଞ୍ଚାୟତର ମହେନ୍ଦ୍ର ଜଗଦଲ କହିଛନ୍ତି ଯେ, “ଆମ ଗ୍ରାମ ପଞ୍ଚାୟତରେ କରାଯାଇଥିବା ଏହି ଲାଇଭ ପ୍ରଦର୍ଶନୀ ବିଦ୍ୟୁତ ମିଟରିଂ ପ୍ରକ୍ରିୟାକୁ ସମସ୍ତଙ୍କ ପାଇଁ ଅତି ସ୍ୱଚ୍ଛ କରିଦେଇଛି। ସ୍ମାର୍ଟ ମିଟର ଏବଂ ପୁରୁଣା ଡିଜିଟାଲ ମିଟର ଯେ ସମାନ ରିଡିଂ ଦେଉଛି, ତାହା ଲୋକେ ନିଜ ଆଖିରେ ଦେଖି ପାରୁଛନ୍ତି। ଏହାଦ୍ୱାରା ଜନସାଧାରଣଙ୍କ ମନରେ ଥିବା ଅନେକ ଭ୍ରାନ୍ତ ଧାରଣା ଦୂର ହେବା ସହ ସଚେତନତା ବୃଦ୍ଧି ପାଇଛି।”
ଟିପିଡବ୍ଲୁଓଡିଏଲ୍ ଦ୍ୱାରା ଲଗାଯାଉଥିବା ପ୍ରତ୍ୟେକ ସ୍ମାର୍ଟ ମିଟର ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଅନେକ ସ୍ତରୀୟ ଗୁଣବତ୍ତା ଏବଂ ସଠିକତା ପରୀକ୍ଷା ଦେଇ ଗତି କରିଥାଏ। ଏହି ମିଟରଗୁଡ଼ିକ ପ୍ରତିଷ୍ଠିତ କମ୍ପାନୀ ଦ୍ୱାରା ଧାର୍ଯ୍ୟ ଭାରତୀୟ ମାନକ ଅନୁଯାୟୀ ନିର୍ମିତ ଏବଂ କାଲିବ୍ରେଟ୍ କରାଯାଇଛି। ମିଟରଗୁଡ଼ିକର ସଠିକତା ଓ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ ଏହାକୁ ଏନଏବିଏଲ ସ୍ୱୀକୃତିପ୍ରାପ୍ତ ଅତ୍ୟାଧୁନିକ ଲାବୋରେଟୋରୀର ସ୍ୱୟଂଚାଳିତ ଟେଷ୍ଟ ବେଞ୍ଚରେ କଡ଼ା ପରୀକ୍ଷଣ କରାଯାଇଥାଏ।
ଏହି ଅଭିଯାନ ସମ୍ପର୍କରେ ସୂଚନା ଦେଇ ଟିପିଡବ୍ଲୁଓଡିଏଲ୍ ର ସିଇଓ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, “ଆମର କାର୍ଯ୍ୟଶୈଳୀରେ ସ୍ୱଚ୍ଛତା ଏବଂ ଉପଭୋକ୍ତାଙ୍କ ବିଶ୍ୱାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଗ୍ରାମ ପଞ୍ଚାୟତ ସ୍ତରରେ ଏହି ଲାଇଭ ପ୍ରଦର୍ଶନୀ ଆୟୋଜନ କରି ଆମେ ସୁନିଶ୍ଚିତ କରୁଛୁ ଯେ, ଉପଭୋକ୍ତାମାନେ ନିଜେ ଦେଖନ୍ତୁ ସେମାନଙ୍କର ବିଦ୍ୟୁତ ବ୍ୟବହାର କିପରି ସଠିକ୍ ଭାବେ ମପାଯାଉଛି। ସ୍ମାର୍ଟ ମିଟର କେବଳ ସ୍ପଷ୍ଟତା ପ୍ରଦାନ କରେ ନାହିଁ, ବରଂ ଏହା ଗ୍ରାହକଙ୍କୁ ଅଧିକ ସୁବିଧା ମଧ୍ୟ ଦେଇଥାଏ। ତୃଣମୂଳ ସ୍ତରରେ ଖୋଲା ଆଲୋଚନା ଏବଂ ସଠିକ୍ ସୂଚନା ମାଧ୍ୟମରେ ଗ୍ରାହକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ହିଁ ଆମର ମୁଖ୍ୟ ଲକ୍ଷ୍ୟ।”
ଗ୍ରାମାଞ୍ଚଳରେ ଚାଲିଥିବା ଏହି ସଚେତନତା କାର୍ଯ୍ୟକ୍ରମ ଟାଟା ପାୱାର ନେତୃତ୍ୱାଧୀନ ଅନ୍ୟ ଡ଼ିସକମ ଯଥା ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ତୁଳନାତ୍ମକ ପ୍ରଦର୍ଶନୀ ଅଭିଯାନର ସଫଳତାକୁ ଭିତ୍ତି କରି ଟିପିଡବ୍ଲୁଓଡିଏଲ୍ ଏହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଉଛି। ଉପଭୋକ୍ତାଙ୍କ ଉତ୍ସାହଜନକ ସହଭାଗିତାକୁ ଦୃଷ୍ଟିରେ ରଖି କମ୍ପାନୀ ଏହି କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳକୁ ସମ୍ପ୍ରସାରିତ କରିଛି, ଯାହାଦ୍ୱାରା ଲୋକଙ୍କ ମଧ୍ୟରେ ସ୍ମାର୍ଟ ମିଟରକୁ ନେଇ ସ୍ପଷ୍ଟତା ଓ ବିଶ୍ୱାସ ସୁଦୃଢ଼ ହୋଇପାରିବ।
ଏହା ବ୍ୟତୀତ, ଗ୍ରାହକ ସେବାକୁ ଅଧିକ ବ୍ୟାପକ କରିବା ପାଇଁ ଟିପିଡବ୍ଲୁଓଡିଏଲ୍ ଚଳିତ ଆର୍ôଥକ ବର୍ଷରେ ୫୦୦ରୁ ଅଧିକ ‘ମୈତ୍ରୀ କ୍ୟାମ୍ପ’ ଆୟୋଜନ କରିଛି, ଯେଉଁଥିରେ ୧୫,୦୦୦ରୁ ଅଧିକ ଉପଭୋକ୍ତା ଉପକୃତ ହୋଇଛନ୍ତି। ଏହି କ୍ୟାମ୍ପଗୁଡ଼ିକରେ ଠିକ ସମୟରେ ବିଲ୍ ପୈଠ କରି ରିହାତି ପାଇବା, ସୁରକ୍ଷିତ ଓ ମିତବ୍ୟୟୀ ବିଦ୍ୟୁତ ବ୍ୟବହାର ଏବଂ ସ୍ମାର୍ଟ ମିଟରିଂ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ଉପଭୋକ୍ତାଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯାଉଛି।
ଟିପିଡବ୍ଲୁଓଡିଏଲ୍ ସବୁବେଳେ ନିଜ ଉପଭୋକ୍ତାଙ୍କ ସହ ଯୋଡ଼ି ହୋଇ ରହିବାକୁ ଗୁରୁତ୍ୱ ଦେଇଆସିଛି। ବିଭିନ୍ନ ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଉପଭୋକ୍ତାଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ବିଶ୍ୱାସକୁ ଆହୁରି ମଜବୁତ କରିବା ପାଇଁ କମ୍ପାନୀ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିବ। ପଶ୍ଚିମ ଓଡ଼ିଶାର ପ୍ରତିଟି ଉପଭୋକ୍ତାଙ୍କୁ ସଠିକ୍ ସୂଚନା ଦେଇ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଟିପିଡବ୍ଲୁଓଡିଏଲ୍ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ।

Comments are closed.