ଟିପିଡବ୍ଲ୍ୟୁଓଡିଏଲର ସମସ୍ତ ଦପ୍ତରରେ ନୈତିକତା ସପ୍ତାହ ପାଳନର ଶୁଭାରମ୍ଭ
ବୁର୍ଲା: ନୈତିକ ମୂଲ୍ୟବୋଧକୁ ସର୍ବାଧିକାର ଦେଇ ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ) ପକ୍ଷରୁ ଆଜି ଏହାର ବୁର୍ଲା ସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟଠାରେ ନୈତିକତା ସପ୍ତାହ ପାଳନର ଶୁଭାରମ୍ଭ କରାଯାଇଅଛି । ଟାଟା ଗ୍ରୁପର ପ୍ରତିଷ୍ଠାତା ସ୍ୱର୍ଗତଃ ଶ୍ରୀ ଜାମସେଦଜୀ ନୁଶେରୱାନଜୀ ଟାଟାଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଟାଟା ଗ୍ରୁପ୍ ଅଧିନସ୍ଥ ସମସ୍ତ ସଂସ୍ଥା ଦ୍ୱାରା ପ୍ରତିବର୍ଷ ଏହି ନୈତିକ ସପ୍ତାହ ପାଳନ କରାଯାଇଥାଏ । ଶ୍ରୀ ଜାମସେଦଜୀ ନୁଶେରୱାଜୀ ଟାଟା 3 ମାର୍ଚ୍ଚ 1839 ରେ ଜନ୍ମଗ୍ରହଣ କରିଥିଲେ । ତେଣୁ ପ୍ରତିବର୍ଷ ମାର୍ଚ୍ଚ 3 ତାରିଖର ପୂର୍ବ ସପ୍ତାହକୁ “ନୈତିକତା ସପ୍ତାହ” ଭାବରେ ଟାଟା ଗ୍ରୁପ ପକ୍ଷରୁ ପାଳନ କରାଯାଉଅଛି ।
ଏହି ଅବସରରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ ନୈତିକ ପରାମର୍ଶଦାତା ଶ୍ରୀ ପି.ପି. ତେନ୍ଦୁଲକର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା, ମାନବ ସମ୍ୱଳ ବିଭାଗ ମୁଖ୍ୟ ଶ୍ରୀ କସମସ୍ ଲାକ୍ରା ତଥା ଅନ୍ୟାନ୍ୟ ବିଭାଗର ମୁଖ୍ୟ ଅଧିକାରୀ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରିବା ସହିତ ଟାଟା ଗ୍ରୁପର ନିର୍ମାତାମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଏହି ଅବସରରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ ନୈତିକ ପରାମର୍ଶଦାତା ଶ୍ରୀ ପି.ପି. ତେନ୍ଦୁଲକର ଟାଟା ଆଚରଣ ସଂହିତା (ଟାଟା କୋଡ୍ ଅଫ୍ କଣ୍ଡକ୍ଟ)କୁ କର୍ମଚାରୀମାନେ ସେମାନଙ୍କର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ପଢିବା ତଥା ଏହାକୁ ଅନୁକରଣ କରିବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ସମସ୍ତ କର୍ମଚାରୀଙ୍କୁ ଟାଟା କୋଡ୍ ଅଫ୍ କଣ୍ଡକ୍ଟରେ ଉଲ୍ଲେଖିତ ନୀତିକୁ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ । ଯାହା କି ଟାଟା ଗ୍ରୁପର ପ୍ରତିଷ୍ଠାତାଙ୍କ ନୈତିକତା ଉପରେ ଅଧାରିତ ।
ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା, ନୈତିକତା ସପ୍ତାହର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରକାଶ କରିଥିଲେ ଯେ, “ନୈତିକତା କେବଳ ଯେ ଏକ ପ୍ରସଙ୍ଗ ନୁହେଁ, ବରଂ ଏହାର ମୁଖ୍ୟ ଲକ୍ଷ୍ୟ, ଆମେ ନେଉଥିବା ପ୍ରତ୍ୟେକ ନିଷ୍ପତ୍ତିର ମାର୍ଗଦର୍ଶନ କରାଇଥାଏ । ଆମେ ବିଶ୍ୱାସ କରୁ ଯେ ସଠିକ୍ କାର୍ଯ୍ୟ କରିବା କେବଳ ନୈତିକତା ଭାବେ ବାଧ୍ୟତାମୂଳକ ନୁହେଁ, ବରଂ ଏକ ବ୍ୟବସାୟିକ ଭାବେ ବାଧ୍ୟତାମୂଳକ । ଯାହା ଦୀର୍ଘକାଳୀନ ସଫଳତାକୁ ଆଗେଇ ନିଏ । ଆଜିର ଏହି ନୈତିକତା ସପ୍ତାହ ପାଳନ ଅବସରରେ, ଆପଣ ସମସ୍ତେ ଆମ ସଂଗଠନରେ ସର୍ବୋଚ୍ଚସ୍ତରର ସଚ୍ଚୋଟତା ଏବଂ ନୈତିକ ମୂଲ୍ୟବୋଧ ସହିତ କାର୍ଯ୍ୟ କରିବେ ବୋଲି ମୁଁ ଆଶା କରୁଅଛି।”
ସେହିପରି ଏହି ନୈତିକତା ସପ୍ତାହକୁ ଟିପିଡବ୍ଲ୍ୟୁଓଡିଏଲର ସମସ୍ତ ମଣ୍ଡଳ କାର୍ଯ୍ୟାଳୟ ଯଥା-ସମ୍ବଲପୁର, ବରଗଡ଼, ବଲାଙ୍ଗିର, ରାଉରକେଲା ଏବଂ ଭବାନୀପାଟନା ଠାରେ ପାଳନ କରାଯାଇଥିଲା । ଯେଉଁଥିରେ ଅଧିକ୍ଷଣ ଯନ୍ତ୍ରୀମାନଙ୍କ ସହ ସମସ୍ତ କର୍ମଚାରୀ ଟାଟା ଗ୍ରପୁର ପ୍ରତିଷ୍ଠାତାଙ୍କ ଫଟୋରେ ପୁଷ୍ପ ଅର୍ପଣ କରିଥିଲେ ।
Comments are closed.