ନୂଆ ୩୩ କେଭି ଲାଇନ ସହ ବିଜୁଳି ଯୋଗାଣକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍


• ଗଞ୍ଜାମର ୩ଟି ବ୍ଲକର ୧୩ଟି ପଞ୍ଚାୟତରେ ଭରସାଯୋଗ୍ୟ ବିଜୁଳି ସେବା ସୁନିଶ୍ଚିତ
• ୧୬ ହଜାରରୁ ଅଧିକ ଉପଭୋକ୍ତା ଉପକୃତ

ବ୍ରହ୍ମପୁର, ଜୁନ: ଭରସାଯୋଗ୍ୟ ତଥା ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଏକ ନୂଆ ୩୩ କେଭି ଲାଇନ ସ୍ଥାପନ କରିଛି । ଗଞ୍ଜାମ ଜିଲ୍ଲା ଆସିକା ନୂଆ ଗ୍ରୀଡ୍ ସବଷ୍ଟେସନଠାରୁ ନୂଆଗାଁ ପ୍ରାଇମେରୀ ସବଷ୍ଟେସନ ପର୍ଯ୍ୟନ୍ତ ଏହି ନୂଆ ଲାଇନ ଟଣା ଯାଇଛି । ଏହି ନୂତନ ଲାଇନରୁ ଗଞ୍ଜାମ ଜିଲ୍ଲା ଆସିକା, ଶେରଗଡ଼, ଓ ପୁରୁଷୋତ୍ତମପୁର ବ୍ଲକର ୧୩ଟି ଗ୍ରାମପଞ୍ଚାୟତର ୧୬ ହଜାରରୁ ଅଧିକ ଉପଭୋକ୍ତା ଉପକୃତ ହେଉଛନ୍ତି ।

ନୂଆଗାଁ ପ୍ରାଇମେରୀ ସବଷ୍ଟେସନକୁ ନୂଆ ଲାଇନ ଟଣା ଯିବା ପୂର୍ବରୁ ଆସିକା ପୁରୁଣା ଗ୍ରୀଡ୍ ଷ୍ଟେସନରୁ ବିଜୁଳି ସେବା ମିଳୁଥିଲା । ଏବେ ନୂଆ ଲାଇନ ଅପେକ୍ଷାକୃତ ଭାବେ ଅଧିକ ଭରସାଯୋଗ୍ୟ ବିଜୁଳି ସେବା ପ୍ରଦାନ କରୁଛି । ସେହି ଭିତରେ ଆସିକା ବ୍ଲକର ନୂଆଗାଁ, ବଡ଼ଖୋଲି, ପାଣ୍ଡିଆପଥର, ସିଧନଇ, ଖରିଆ, ବରଗାଁ, ଜୟପୁର, ହରିଡ଼ାପଦର, ବାବନପୁର, ଭେଟନଇ, ଅଲ୍ଲିପୁର, ଶେରଗଡ଼ ବ୍ଲକର ବ୍ରାହ୍ମଣଛାଇ, ପୁରୁଷୋତ୍ତମପୁର ବ୍ଲକର ଟଙ୍କଛାଇ ଗ୍ରାମପଞ୍ଚାୟତ ସାମିଲ ରହିଛି ।

ପାଖାପାଖି ୫.୫ କିଲୋମିଟର ପରିବ୍ୟାପ୍ତ ଏହି ନୂତନ ଲାଇନ ବର୍ଦ୍ଧିତ ବିଜୁଳି ଚାହିଦାକୁ ମେଣ୍ଟାଇବାରେ ସକ୍ଷମ । ଏହା ସହ ବିଜୁଳି ଯୋଗାଣର ସ୍ଥିରତାକୁ ମଧ୍ୟ ବୃଦ୍ଧି କରିବାରେ ସମର୍ଥ । ନୂଆ ଲାଇନ କାରଣରୁ ସଂପୃକ୍ତ ଅଞ୍ଚଳରେ ଲାଗି ରହିଥିବା ଲୋ-ଭୋଲଟେଜ୍ ସମସ୍ୟା ଓ ବିଦ୍ୟୁତ ବାଧାପ୍ରାପ୍ତଜନିତ ସମସ୍ୟା ମଧ୍ୟ ଦୂର ହୋଇପାରିଛି । ସେହିଭଳି ଆସିକା ପୁରୁଣା ଗ୍ରୀଡ୍ ସବଷ୍ଟେସନରେ କୌଣସି ସମସ୍ୟା ଦେଖାଦେଲେ ଆଗଭଳି ବିଜୁଳି ପ୍ରବାହ ପ୍ରଭାବିତ ହେବ ନାହିଁ । ଉପଭୋକ୍ତାମାନେ ନୂତନ ଗ୍ରୀଡରୁ ଟଣାଯାଇଥିବା ୩୩ କେଭି ଲାଇନ ଯୋଗେ ନିରବଚ୍ଛିନ୍ନ ବିଜୁଳି ସେବା ପାଇପାରିବେ ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “ଉପଭୋକ୍ତାଙ୍କୁ ବିଶ୍ୱସନୀୟ ଓ ଉଚ୍ଚ ମାନର ବିଜୁଳି ସେବା ଯୋଗାଇ ଦେବା ଆମର ସର୍ବୋଚ୍ଚ ପ୍ରାଥମିକତା । ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ୩୩ କେଭି ଲାଇନ୍ ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ବଡ଼ ପଦକ୍ଷେପ । ବର୍ଦ୍ଧିତ ଶକ୍ତି ଚାହିଦାକୁ ମେଣ୍ଟାଇବା ସହ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କମ୍ପାନୀ ନିଜର କ୍ରମାଗତ ପ୍ରୟାସ ଜାରି ରଖିଛି । “

ଏହି ଭିତ୍ତିଭୂମି ବିକାଶ ଟିପିଏସ୍ଓଡିଏଲର ବର୍ଦ୍ଧିତ ଶକ୍ତି ଚାହିଦାର ସମାଧାନ କ୍ଷେତ୍ରରେ ଥିବା ସମର୍ପଣ ଏବଂ ଭିତ୍ତିଭୂମିର ଉନ୍ନତି ପାଇଁ ଜାରି ରହିଥିବା ପ୍ରତିବଦ୍ଧତାକୁ ସୂଚାଉଛି ।


Share It

Comments are closed.