ଖଣ୍ଡଗିରି ଅଂଚଳବାସୀଙ୍କ ପାଇଁ ରହିବ ନାହିଁ ବିଦ୍ୟୁତ ସମସ୍ୟା: ସ୍ଥାପନ ହେଲା ନୂତନ ଜ୍ଞାନ କୌଶଳର ବିଶାଳ ଟ୍ରାନ୍ସଫର୍ମର୍‌


ସ୍ଥାପିତ ହୋଇଥିବା ଏହି ବିଶାଳ ଟ୍ରାନ୍ସଫର୍ମରଟି ସମଗ୍ର ଡିସକମରେ ସର୍ବବୃହତ ଓ ସର୍ବପ୍ରଥମ
୮ ଏମ୍‌ଭିଏରୁ ୨୫ ଏମ୍‌ଭିଏ ଟ୍ରାନ୍ସଫରମର୍‌କୁ ରୂପାନ୍ତରଣ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଆଗାମୀ ଦିନରେ ଖଣ୍ଡଗିରି ଅଂଚଳର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଆରମ୍ଭ କରିଛି।
ସହରାଚଂଳରେ ବର୍ଷକୁ ବର୍ଷ ଲୋଡ୍‌ରେ ହେଉଥିବା ବୃଦ୍ଧି ଚାହିଦା ପୂରଣ କରିବା ପାଇଁ ପୂର୍ବରୁ ଥିବା ପିଏସ୍‌ଏସ୍‌ରେ ବିଦ୍ୟୁତ ଟ୍ରାନ୍ସଫରମର ସହିତ ସ୍ୱିଚ୍‌ଗିୟରର ଦକ୍ଷତା ବୃଦ୍ଧି କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରାଯାଇଛି । ଆସନ୍ତା ୧୦ ବର୍ଷରେ ଲୋଡ୍‌ରେ ହେବାକୁ ଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଦକ୍ଷତାରେ ଏହି ଉନ୍ନତି ଅଣାଯାଇଛି ।
ବିଦ୍ୟୁତ ଭିତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଟିପିସିଓଡିଏଲ୍ ଖଣ୍ଡଗିରିରେ ଥିବା ଏକ ପୁରୁଣା ୮ ଏମ୍‌ଭିଏ ଟ୍ରାନ୍ସଫରମର୍‌କୁ ଏକ ଅତ୍ୟାଧୁନିକ ୨୫ ଏମ୍‌ଭିଏ ଟ୍ରାନ୍ସଫରମର ଜରିଆରେ ସୁଦୃଢ଼ କରାଯାଇଛି । ଡିସ୍‌କମ୍‌ଗୁଡ଼ିକ ମଧ୍ୟରେ ପ୍ରଥମ, ଏହି ରୂପାନ୍ତରୀତ ବିଦ୍ୟୁତ ସବ୍‌ଷ୍ଟେସନ (ପିଏସ୍‌ଏସ୍‌) ଏକ ବଡ଼ ସଫଳତା ଭାବେ ଉଭା ହୋଇଛି ଯାହା ଭୋଲ୍‌ଟେଜ୍ ନିୟନ୍ତ୍ରଣ ଓ ସୁରକ୍ଷା ପଦକ୍ଷେପରେ ଉନ୍ନତ ପ୍ରଯୁକ୍ତିର ସମନ୍ୱୟକୁ ଦର୍ଶାଉଛି ।
ଟିପିସିଓଡିଏଲ୍‌ର ଦୂରଦୃଷ୍ଟି ସମ୍ପନ୍ନ ଆଭିମୁଖ୍ୟ ବିଦ୍ୟୁତ ଭିତିଭୂମି ଓ ଦକ୍ଷତାକୁ ବଦଳାଇଥିବା ବେଳେ ଏହି ଅଭିଯାନ ଜରିଆରେ ଏକ ନୂତନ ମାନଦଣ୍ଡ ନିର୍ଧାରଣ ହୋଇଛି ଯାହା ଜାଗମରା, କୋଳଥିଆ, ଧର୍ମ ବିହାର, ଗଣ୍ଡମୁଣ୍ଡା, ଆଇଗିଣିଆ, ଜଗମୋହନ ନଗର, ମଲ୍ଲିକ କମ୍ପେ୍ଲକ୍ସ ଓ ସତ୍ୟସାଇ ଏନ୍‌କ୍ଲେଭ୍‌ରେ ବିଦ୍ୟୁତ ଯୋଗାଣରେ ଉନ୍ନତି ଆଣିବ । ଏହି ଉଦ୍ୟମ ବିଦ୍ୟୁତ ବ୍ୟବସ୍ଥାର ମାନରେ ଉନ୍ନତି ଆଣିବାରେ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଥିବା ବେଳେ ଆସନ୍ତା ଦଶନ୍ଧିରେ ଏହି ଅଂଚଳରେ ବିଦ୍ୟୁତ ସେବା ଦୃଶ୍ୟପଟ୍ଟରେ ରୂପାନ୍ତରଣ କରିବ ।
ଏହି ଅଭିଯାନ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନକୁ କାର୍ଯ୍ୟକାରୀ କରିଥିବାରୁ ଆମେ ଗର୍ବିତ । ଏହା ଖଣ୍ଡଗିରି ଅଂଚଳରେ ବିଦ୍ୟୁତ ସେବାରେ ଉନ୍ନତି ଆଣିବା ପାଇଁ ଥିବା ଆମର ସମର୍ପଣ ଭାବକୁ ଦର୍ଶାଉଛି । ଏହି ଉନ୍ନତି ସହିତ ଆମେ ବର୍ତମାନର ଚାହିଦାକୁ ପୂରଣ କରୁଥିବା ବେଳେ ଭବିଷ୍ୟତରେ ଏହି ଅଂଚଳର ଅଭିବୃଦ୍ଧି ଓ ବିକାଶ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛୁ ।’’


Share It

Comments are closed.