ରଥଯାତ୍ରାରେ ଭକ୍ତଙ୍କୁ ସେବା ଯୋଗାଇଲା ଟିପିସିଓଡିଏଲର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସପେନସେରି

Share It

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର ସିଏସଆର୍ ପ୍ରୟାସ “ଆରୋଗ୍ୟ” ଅଧୀନରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସପେନସେରି (ଏମ୍‌ଏଚ୍‌ଡି) ଜରିଆରେ ସମାଜ କଲ୍ୟାଣ ପ୍ରତି ଏହାର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି। ରଥଯାତ୍ରାରେ ପବିତ୍ର ପୁରୀ ବଡ଼ଦାଣ୍ଡରେ ରଥ ଗଡ଼ିବା ସମୟରେ ଟିପିସିଓଡିଏଲ୍‌ର ଏମ୍‌ଏଚ୍‌ଡି ଗୁଡ଼ିକ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ।
ଶାରଧାବାଲୀ ସ୍ଥିତ ଟିପିସିଓଡିଏଲ୍ କଂଟ୍ରୋଲ୍ ରୁମ୍ ନିକଟରେ, ସମୁଦ୍ର କୂଳରେ ପଲିଶ୍ରୀ ମେଳା ଏବଂ ପୁରୀ ରେଳଷ୍ଟେସନ୍ ଭଳି ତିନିଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ଭ୍ରାମ୍ୟମାଣ ଡିସପେନସେରି ଗୁଡ଼ିକୁ ନିୟୋଜିତ କରାଯାଇଥିଲା। ସେଗୁଡ଼ିକ ରଥଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନା ବେଶା ସମୟରେ ୨୯,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଚିକିତ୍ସା ସେବା ପ୍ରଦାନ କରିଥିଲେ।
ପ୍ରତ୍ୟେକ ଏମ୍‌ଏଚ୍‌ଡିରେ ଜଣେ ଡାକ୍ତର, ନର୍ସ ଏବଂ ଫାର୍ମାସିଷ୍ଟ୍‌ଙ୍କର ଏକ ଯୋଗ୍ୟ ଦଳ ଥିଲେ। ସେମାନେ ଫାଷ୍ଟ ଏଡ୍‌, ରକ୍ତଚାପ ପରୀକ୍ଷା, ସ୍ୱାସ୍ଥ୍ୟ ପରାମର୍ଶ ଏବଂ ମାଗଣା ଔଷଧ ଏବଂ ଓଆରଏସ୍ ପ୍ୟାକେଟ୍ ବିତରଣ କରିବା ଭଳି ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ଏହି ସେବାଗୁଡ଼ିକ ଲକ୍ଷାଧିକ ଭକ୍ତଙ୍କ ଭିଡ଼ରେ ଗୁଳୁଗଳି ଏବଂ ଛୋଟ ଧରଣର ଅସୁସ୍ଥତାର ସମ୍ମୁଖୀନ ହେଉଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।
ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ରଥଯାତ୍ରା ସମୟରେ ଆମ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସପେନ୍‌ସେରି ମାଧ୍ୟମରେ ଭକ୍ତମାନଙ୍କୁ ସେବା ପ୍ରଦାନ କରିବା ଆମର ଏକ ନମ୍ର ପ୍ରୟାସ ଥିଲା। ପ୍ରତ୍ୟକ୍ଷ ଭାବେ ସମୟୋପଯୋଗୀ ଚିକିତ୍ସା ସେବା ଏବଂ ସହାୟତା ପ୍ରଦାନ କରି ଆବଶ୍ୟକତା ସମୟରେ ସମାଜ ସହ ରହିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।’’
ଉତ୍ସବ ଅବସର ବ୍ୟତୀତ ଟିପିସିଓଡିଏଲ୍‌ର ଏମ୍‌ଏଚ୍‌ଡି ଗୁଡ଼ିକ ଏହାର ନିରନ୍ତର ସିଏସ୍‌ଆର୍ ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଛି। କେବଳ ଗତବର୍ଷରେ ଏମ୍‌ଏଚ୍‌ଡି ଗୁଡ଼ିକ ଭୁବନେଶ୍ୱର, କଟକ, ଢେଙ୍କାନାଳ ଏବଂ ପାରାଦ୍ୱୀପ ବିଦ୍ୟୁତ୍ ସର୍କଲ ଅଧୀନସ୍ଥ ୨,୭୦୦ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କୁ ସେବା ପ୍ରଦାନ କରିଛନ୍ତି। ଦୁର୍ଗମ ଅଂଚଳରେ ଅନେକଙ୍କ ଲୋକଙ୍କ ପାଇଁ ଏହି ଭ୍ରାମ୍ୟମାଣ ୟୁନିଟ୍ ଗୁଡ଼ିକ ଚିକିତ୍ସାର ପ୍ରଥମ ମାଧ୍ୟମ ପାଲଟିଛି।
ସଙ୍କଟ ସମୟରେ ଏହି ଡିସପେନ୍‌ସେରିଗୁଡ଼ିକ ଜରୁରୀକାଳୀନ ପ୍ରତିକ୍ରିୟା ୟୁନିଟ୍ ଭାବେ ମଧ୍ୟ କାର୍ଯ୍ୟ କରିଥାଏ। ବାତ୍ୟା ଦାନା ସମୟରେ ଟିପିସିଓଡିଏଲ୍‌ର ଏମ୍‌ଏଚ୍‌ଡିଗୁଡ଼ିକ ଅପହଂଚ ଅଂଚଳରେ ସର୍ବପ୍ରଥମେ ପହଂଚି ଜରୁରୀକାଳୀନ ସାହାଯ୍ୟ ପ୍ରଦାନ କରିଥିଲେ। କେନ୍ଦ୍ରାପଡ଼ାର ବାଗପଟିଆ ଏବଂ ଢେଙ୍କାନାଳର କାଙ୍କଡ଼ାହାଡ଼ ଭଳି ସ୍ଥାନରେ ଏମ୍‌ଏଚ୍‌ଡିଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ରୁଟ୍ ଅନୁସାରେ କାର୍ଯ୍ୟ କରୁଛି। ସର୍ବାଧିକ ଲୋକଙ୍କ ପାଖରେ ପହଂଚିବା ଲାଗି ସ୍ଥାନୀୟ କାର୍ଯ୍ୟକ୍ରମଗୁଡ଼ିକ ସହ ଏହା ସମନ୍ୱିତ ରହିଛି।


Share It

Comments are closed.