ଟିପିସିଓଡିଏଲ୍‌କୁ ସମ୍ମାନଜନକ ଓଡ଼ିଶା ସିଏସ୍‌ଆର୍ ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪


ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌)କୁ ‘ସଷ୍ଟେନେବିଲିଟି ପ୍ରାକ୍ଟିସେସ୍ ଇନୋଭେଟର’ ବର୍ଗରେ ଓଡ଼ିଶା ସିଏସ୍‌ଆର୍ ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ ପ୍ରଦାନ କରାଯାଇଛି । ଆସୋଚାମ୍ ଓଡ଼ିଶା ରାଜ୍ୟ ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ଏହି ସମ୍ମାନଜନକ ପୁରସ୍କାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ଏବଂ ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ପ୍ରଦାନ କରିଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ପୁରସ୍କାର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍ ପକ୍ଷରୁ ‘ସମୃଦ୍ଧି’ କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷିତ ସ୍ଥାନୀୟ କାରିଗର ଓ କଳାକାରଙ୍କ ଦ୍ୱାରା ନିର୍ମିତ ପଟ୍ଟଚିତ୍ର-ତାଳପତ୍ର କାରୁକାର୍ଯ୍ୟ ଏବଂ ଢ଼ୋକ୍ରା ଧାତବ କଳାକୃତି ପ୍ରଦର୍ଶନ କରାଯାଇଥିଲା । ଟିପିସିଓଡିଏଲ ସିଏସ୍‌ଆର ଷ୍ଟଲ ପରିଦର୍ଶନ ସମୟରେ ମାନ୍ୟବର ମନ୍ତ୍ରୀ ପାରମ୍ପରିକ କଳାକୁ ପ୍ରୋତ୍ସାହିତ କରିବା ପାଇଁ ଟିପିସିଓଡିଏଲ୍‌ର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଝୋଟ ଉତ୍ପାଦର ବ୍ୟବହାରକୁ ପ୍ରୋତ୍ସାହିତ କରି ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ଟିପିସିଓଡିଏଲ୍‌ର ଅଭିଯାନକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।

ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍ ସିଂହ କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ, “ଏହି ପୁରସ୍କାର ପାଇ ଆମେ ଗର୍ବିତ ଯାହା ଦୀର୍ଘସ୍ଥାୟୀତ୍ୱ ଏବଂ ଗୋଷ୍ଠୀ ବିକାଶ ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ କରିବା ଏବଂ ପରିବେଶ ଅନୁକୂଳ ଅଭ୍ୟାସକୁ ଆଗେଇ ନେବା ପାଇଁ ‘ସମୃଦ୍ଧି’ ଭଳି ପଦକ୍ଷେପ ନିଆଯାଇଛି ଯାହା ଦ୍ୱାରା ଏହି ଅଂଚଳର ଦୀର୍ଘସ୍ଥାୟୀ ସାମଗ୍ରିକ ବିକାଶ କରାଯାଇପାରିବ ।”

ଟିପିସିଓଡିଏଲ୍ ସକାରାତ୍ମକ ପରିବର୍ତନ ଆଣିବା ଏବଂ ନିରନ୍ତର ବିକାଶ ଓ ଗୋଷ୍ଠୀ ସଶକ୍ତୀକରଣର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି ।


Share It

Comments are closed.