ପେ-ଲୋକାଲ୍ ସହଭାଗିତାରେ ଟିପିସିଓଡିଏଲ ର ହ୍ୱାଟ୍ସଆପ୍ ଭିତ୍ତିକ ବିଲ୍ ପେମେଣ୍ଟ ସେବାର ଶୁଭାରମ୍ଭ
ଭୁବନେଶ୍ୱର, ୦୮ ଏପ୍ରିଲ, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପେ-ଲୋକାଲ୍ ଫିନଟେକ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ମିଶି ରାଜ୍ୟରେ ପ୍ରଥମ ଥର ପାଇଁ ହ୍ୱାଟ୍ସଆପ୍ ଜରିଆରେ ବିଦ୍ୟୁତ୍ ବିଲ୍ ପୈଠ କରିବାର ଅଭିନବ ସୁବିଧା ଆରମ୍ଭ କରିଛି। ଉପଭୋକ୍ତାଙ୍କୁ ଅଧିକ ସୁବିଧା ଯୋଗାଇବା ସହ ନଗଦବିହୀନ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଟିପିସିଓଡିଏଲ ର ଚାଲିଥିବା ଡିଜିଟାଲ୍ ରୂପାନ୍ତରଣ ଯାତ୍ରାରେ ଏହି ଅଭିନବ ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ।
ଏହି ସହଭାଗିତା ଫଳରେ ଉପଭୋକ୍ତାମାନେ ଏବେ ସିଧାସଳଖ ହ୍ୱାଟ୍ସଆପ୍ ମାଧ୍ୟମରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଦେଖିପାରିବେ ଏବଂ ବିଲ୍ ପୈଠ ମଧ୍ୟ କରିପାରିବେ, ଯାହାଦ୍ୱାରା ସେମାନଙ୍କୁ ପେମେଣ୍ଟ ସେଣ୍ଟରକୁ ଯିବାକୁ କିମ୍ବା ଅଲଗା ଅଲଗା ଆପ୍ ବ୍ୟବହାର କରିବାକୁ ପଡ଼ିବ ନାହିଁ। ଏହି ବ୍ୟବସ୍ଥା ଏକ ସହଜ, ସୁରକ୍ଷିତ ଏବଂ ଉପଭୋକ୍ତାଙ୍କ ବ୍ୟବହାର ପାଇଁ ଅନୁକୂଳ ଇଣ୍ଟରଫେସ୍ ପ୍ରଦାନ କରିବ, ଯେଉଁଠାରେ ଉପଭୋକ୍ତାମାନେ ବିଲ୍ ବିବରଣୀ ଦେଖିବା ସହ ପେମେଣ୍ଟ ରିମାଇଣ୍ଡର ପାଇପାରିବେ ଏବଂ ଏକାଧିକ ପେମେଣ୍ଟ ବିକଳ୍ପ ବ୍ୟବହାର କରି ତୁରନ୍ତ ଟଙ୍କା ଜମା କରିପାରିବେ।
ବିପୁଳ ସଂଖ୍ୟକ ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା ଟିପିସିଓଡିଏଲ୍, ନିଜର ସେବା ଯୋଗାଣ ଆଞ୍ଚଳରେ କ୍ରମାଗତ ଭାବରେ ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଦେଇଆସୁଛି। ମାର୍ଚ୍ଚ ୨୦୨୬ ରେ, କମ୍ପାନୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସର୍ବାଧିକ ଡିଜିଟାଲ୍ କାରବାର ରେକର୍ଡ କରି ଏକ ବଡ଼ ସଫଳତା ହାସଲ କରିଛି, ଯାହା ଡିଜିଟାଲ୍ ପ୍ଲାଟଫର୍ମ ଉପରେ ଉପଭୋକ୍ତାଙ୍କ ବଢୁଥିବା ବିଶ୍ୱାସକୁ ଦର୍ଶାଉଛି। ପେ-ଲୋକାଲ୍ ସହିତ ଏହି ସହଯୋଗିତା ବିଶେଷ କରି ଅର୍ଦ୍ଧ-ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି।
ଏହି ହ୍ୱାଟ୍ସଆପ୍ ରେ ପେମେଣ୍ଟ ବ୍ୟବସ୍ଥା ଉପଭୋକ୍ତାଙ୍କ ବିଦ୍ୟୁତ୍ ବ୍ୟବହାର ଏବଂ ବିଲ୍ ପୈଠ କରିବାର ଶୈଳୀକୁ ଅନୁଧ୍ୟାନ କରି ସେମାନଙ୍କୁ ସ୍ୱତନ୍ତ୍ର ପେମେଣ୍ଟ ରିମାଇଣ୍ଡର ପଠାଇବ। ଏହାସହ ଉପଭୋକ୍ତାମାନେ ତୁରନ୍ତ ପେମେଣ୍ଟ କନଫର୍ମେସନ୍, ପୁରୁଣା ବିଲ୍ର ଇତିହାସ ଜାଣିବା ସହ ଠିକ୍ ସମୟରେ ଡିଜିଟାଲ୍ ପେମେଣ୍ଟ କରି କିପରି ସଞ୍ଚୟ କରିହେବ, ସେ ବିଷୟରେ ମଧ୍ୟ ସୂଚନା ପାଇ ଲାଭବାନ ହୋଇପାରିବେ।
ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଟିପିସିଓଡିଏଲ୍ ର ସିଇଓ ଶ୍ରୀ ଅରଭିନ୍ଦ ସିଂ କହିଛନ୍ତି ଯେ, “ପେ-ଲୋକାଲ୍ ସହିତ ଏହି ସହଭାଗିତା ବିଦ୍ୟୁତ୍ ସେବାକୁ ଅଧିକ ସୁଗମ, ସୁବିଧାଜନକ ଏବଂ ଡିଜିଟାଲ୍ ମାଧ୍ୟମରେ ସମସ୍ତଙ୍କ ପାଇଁ ଉପଲବ୍ଧ କରିବା ଦିଗରେ
ଆମର ପ୍ରତିବଦ୍ଧତା ଦର୍ଶାଉଛି। ଲୋକପ୍ରିୟ ମାଧ୍ୟମ ହ୍ୱାଟ୍ସଆପ୍ କୁ ବ୍ୟବହାର କରି ଆମେ ଡିଜିଟାଲ୍ କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବାକୁ ଚାହୁଁଛୁ ଏବଂ ଉପଭୋକ୍ତାମାନଙ୍କୁ ସରଳ ପେମେଣ୍ଟ ସୁବିଧା ମାଧ୍ୟମରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ।”
ପେ-ଲୋକାଲ୍ର ସିଇଓ ଶ୍ରୀ ବିବେକାନନ୍ଦ ତ୍ରିପାଠୀ କହିଛନ୍ତି ଯେ, “ଟିପିସିଓଡିଏଲ ସହିତ ଏହି ସହଭାଗିତା, ସାଧାରଣ ଲୋକଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସରଳ କରିବା ଏବଂ ବ୍ୟାପକ ସ୍ତରରେ ଡିଜିଟାଲ୍ ସେବା ପହଞ୍ଚାଇବା ଦିଗରେ ଆମର ଏକ ବଡ଼ ସଫଳତା। ହ୍ୱାଟ୍ସଆପ୍ ପରି ଏକ ଶକ୍ତିଶାଳୀ ଏବଂ ପରିଚିତ ମାଧ୍ୟମ ସାହାଯ୍ୟରେ, ଆମେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ସେମାନଙ୍କର ବିଦ୍ୟୁତ୍ ବିଲ୍ ସହଜରେ, ସୁରକ୍ଷିତ ଭାବେ ଏବଂ ବିନା କୌଣସି ଅସୁବିଧାରେ ପୈଠ କରିବାର ସୁଯୋଗ ପ୍ରଦାନ କରୁଛୁ।”
ନିଜର ଭବିଷ୍ୟତ କାର୍ଯ୍ୟଖସଡ଼ାର ଅଂଶସ୍ୱରୂପ, ଟିପିସିଓଡିଏଲ ଡିଜିଟାଲ୍ ସେବାର ପ୍ରସାର ପାଇଁ କ୍ୟୁଆର କୋଡ୍, ଚାଟବଟ୍ ସେବା ଏବଂ ଉପଭୋକ୍ତାଙ୍କ ପାଇଁ ସ୍ୱତନ୍ତ୍ର ଯୋଗାଯୋଗ ବ୍ୟବସ୍ଥା ଭଳି ସୁବିଧାକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ମାର୍ଚ୍ଚ ୨୦୨୭ ସୁଦ୍ଧା ୨୦ ଲକ୍ଷ ଡିଜିଟାଲ୍ କାରବାର ହାସଲ କରିବା ପାଇଁ କମ୍ପାନୀ ଏକ ବଡ଼ ଲକ୍ଷ୍ୟ ରଖିଛି, ଯାହା ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିବ।
ଏହି ପଦକ୍ଷେପ ଟିପିସିଓଡିଏଲ ର ନବସୃଜନତା, ଗ୍ରାହକ-କୈନ୍ଦ୍ରିକତା ଏବଂ ପରିଚାଳନାଗତ ଦକ୍ଷତା ପ୍ରତି ଥିବା ଗୁରୁତ୍ୱକୁ ଦର୍ଶାଇବା ସହ ଓଡ଼ିଶାରେ ଏକ ଡିଜିଟାଲ୍ ସଶକ୍ତ ଶକ୍ତି ପରିବେଶ ଗଠନରେ ସହାୟକ ହେବ।

Comments are closed.