ରାଜ୍ୟ ପାଇଁ ଗୌରବ ଆଣିଲେ ଟିପିସିଓଡିଏଲ୍ ଲାଇନମ୍ୟାନ
ଭୁବନେଶ୍ୱର: ଟିପିସିଓଡିଏଲ୍ ଲାଇନମ୍ୟାନ ଶ୍ରୀ ଲଡୁ କିଶୋର ପ୍ରଧାନ ନୂଆଦିଲ୍ଲୀରେ ଅନୁଷ୍ଠିତ ଲାଇନ୍ମ୍ୟାନ୍ ଦିବସ ୨୦୨୫ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟୁତ କର୍ତୃପକ୍ଷ (ସିଇଏ)ଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି।
ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଚାରି ଉଚ୍ଚ ପ୍ରଦର୍ଶନ କରୁଥିବା ଡିସକମ୍ ଏବଂ ପାଞ୍ଚ ଜଣ ସର୍ବୋତ୍ତମ ଲାଇନମ୍ୟାନଙ୍କୁ ସମ୍ମାନିତ କରାଯାଇଛି। ଶ୍ରେଷ୍ଟ ୫ ଲାଇନମ୍ୟାନଙ୍କ ମଧ୍ୟରେ ଟିପିସିଓଡିଏଲ ଲାଇନମ୍ୟାନ୍ ଶ୍ରୀ ଲଡୁ କିଶୋର ପ୍ରଧାନ ଓଡ଼ିଶାର ଏକ ମାତ୍ର ଲାଇନମ୍ୟାନ ଭାବେ ସମ୍ମାନିତ ହୋଇଛନ୍ତି । ଶ୍ରୀ ଲଡୁ କିଶୋର ଭୁବନେଶ୍ୱର -୨ ସର୍କଲର ବାଲୁଗାଁ ଡିଭିଜନ ଅନ୍ତର୍ଗତ ଟାଙ୍ଗୀ ସେକ୍ସନରେ ଲାଇନମ୍ୟାନ୍ – ସି ଭାବେ କାର୍ଯ୍ୟ କରୁଛନ୍ତି। ଲାଇନମ୍ୟାନ୍ ଭାବେ ତାଙ୍କର ୨୦ ବର୍ଷର ଦୀର୍ଘ ଅଭିଜ୍ଞତା ରହିଛି। ସୁରକ୍ଷାକୁ ଗୁରୁତ୍ବ ଦେଇ ସେ ଏକ ଡିସଚାର୍ଜ ରଡ୍ ତିଆରି କରିଛନ୍ତି, ଯାହା ସ୍ୱଳ୍ପ ସମୟ ଓ କମ୍ ପ୍ରୟାସରେ ବିଦ୍ୟୁତ୍ ସମ୍ବନ୍ଧୀୟ କାର୍ଯ୍ୟ କରାଯାଇ ପାରିବ।
ଭାରତର ୪୫ରୁ ଅଧିକ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବିଦ୍ୟୁତ୍ ବିତରଣ, ଉତ୍ପାଦନ ଏବଂ ସଂଚରଣ (ଟ୍ରାନ୍ସମିସନ) କମ୍ପାନିର ୧୬୦ରୁ ଅଧିକ ଲାଇନମ୍ୟାନ୍ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ, ବିହାର, ଚଣ୍ଡୀଗଡ, ଛତିଶଗଡ, ଗୁଜରାଟ, ହରିୟାଣା, ଝାଡଖଣ୍ଡ, ଜମ୍ମୁ ଏବଂ କାଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଓଡିଶା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମ ବଙ୍ଗର ପ୍ରତିନିଧିମାନେ ସାମିଲ ହୋଇଥିଲେ।
Comments are closed.