ବିଦ୍ୟୁତ ସଂଯୋଗ ଛିନ୍ନ ଧମକ ସମ୍ପର୍କିତ ଠକେଇ ଏସ୍‌ଏମ୍‌ଏସ୍‌ରୁ ସାବଧାନ ରହିବାକୁ ଉପଭୋକ୍ତାଙ୍କୁ ଟିପିସିଓଡିଏଲ୍‌ର ପରାମର୍ଶ


ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ସବୁବେଳେ ଉପଭୋକ୍ତାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଆସିଛି ।

ନିକଟରେ ବିଦ୍ୟୁତ ଉପଭୋକ୍ତାଙ୍କ ମୋବାଇଲ୍ ଫୋନ୍‌କୁ ଅନଧିକୃତ ମେସେଜ୍ ଆସୁଛି, ଯେଉଁଥିରେ ପେମେଂଟ୍‌୍ ନକଲେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦେବାର ଧମକ ଦିଆଯାଉଛି । ଅଣ-ଅନୁମୋଦିତ ମୋବାଇଲ ନମ୍ବର ଏବଂ ଆଇଡି ବ୍ୟବହାର କରି ଅନଧିକୃତ ବ୍ୟକ୍ତି ଏହି ମେସେଜ ପଠାଉଛନ୍ତି ।

ବିଲ୍ ପେମେଂଟ୍ ଏବଂ ସେବା ସକ୍ରିୟ କରିବା ସମ୍ପର୍କରେ ଅଜଣା ନମ୍ବରରୁ ଆସିଥିବା ଲିଙ୍କ୍ ଉପରେ କ୍ଲିକ୍ ନକରିବାକୁ କିମ୍ବା ଏସ୍‌ଏମ୍‌ଏସ୍ ଓ ହ୍ୱାଟ୍ସଆପ୍ ମେସେଜ୍ ରେ ଯୋଗାଯୋଗ ନକରିବାକୁ ଉପଭୋକ୍ତାଙ୍କୁ ପରାମର୍ଶ ଦିଆଯାଇଛି । ସେମାନେ ଏହି ସନ୍ଦେହଜନକ ମେସେଜରେ ଦିଆଯାଇଥିବା ନମ୍ବରକୁ କଲ୍ କରିବାଠାରୁ ଦୂରେଇ ରହିବାକୁ କୁହାଯାଇଛି । ଏତଦ୍ ବ୍ୟତୀତ ଉପଭୋକ୍ତାମାନେ ବିଜୁଳି ବିଲ୍ ପଇଠ ପାଇଁ ଅଜଣା ଆପ୍ କିମ୍ବା ସଫ୍ଟୱେର୍ ଡାଉନ୍‌ଲୋଡ୍ କରିବା ଦିଗରେ ସତର୍କ ରହିବା ଉଚିତ୍ । ଟିିପିସିଓଡିଏଲ୍ କେବେ ବି କୌଣସି ବ୍ୟକ୍ତିଗତ ନମ୍ବରରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ବାର୍ତା ପଠାଏ ନାହିଁ ।

ଟିପିସିଓଡିଏଲ୍ ତରଫରୁ ବାର୍ତା ସବୁବେଳେ ଅଧିକୃତ ଆଇଡି – ଟିପିସିଓଡିଆଇ (ଏସ୍‌ଏମ୍‌ଏସ୍‌), ଏମଓବିଡିୱାଇଟି (ଏସ୍‌ଏମ୍‌ଏସ) ଏବଂ ଟିପିସିଓଡିଏଲ୍ (ହ୍ୱାଟ୍ସଆପ୍‌) ମାଧ୍ୟମରେ ପଠାଇଥାଏ ।
ଟିପିସିଓଡିଏଲ୍ ଉପଭୋକ୍ତାମାନଙ୍କୁ ଠକେଇ ସମ୍ପର୍କିତ ଅଭିଯୋଗ ୨୪ ଘଂଟିଆ ଟୋଲ୍ ଫ୍ରି ନମ୍ବର ୧୯୧୨/୧୮୦୦-୩୪୫-୭୧୨୨ ରେ ଜଣାଇବାକୁ ଅନୁରୋଧ କରିଛି । ଟିପିସିଓଡିଏଲ୍ ଠକେଇ କାର୍ଯ୍ୟକଳାପ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି ।

ଏହି ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରଭିିନ୍ଦ୍ ସିଂହ କହିଛନ୍ତି ଯେ, “ଉପଭୋକ୍ତାଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା । ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ସତର୍କତା ଅବଲମ୍ବନ କରିବା ସହିତ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ପାଇଲେ ତୁରନ୍ତ ସୂଚନା ଦିଅନ୍ତୁ । ଆମେ ମିଳିମିଶି ଏହି ଠକେଇ କାର୍ଯ୍ୟକଳାପ ବିରୋଧରେ ଲଢ଼ିପାରିବା ଏବଂ ଆମର ସମସ୍ତ ଉପଭୋକ୍ତାଙ୍କ ପାଇଁ ଏକ ସୁରକ୍ଷିତ ଅନୁଭୂତି ସୁନିଶ୍ଚିତ କରିପାରିବା ।’’


Share It

Comments are closed.