ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ସେମିରେ ପ୍ରବେଶ କଲା ଭାରତୀୟ ମହିଳା ହକି ଟିମ


ଭାରତୀୟ ପୁରୁଷ ହକି ଦଳ ପରେ ଟୋକିଓରେ ଇତିହାସ ରଚିଲା ମହିଳା ଦଳ। ଅଲିମ୍ପିକ୍ସର ୧୧ ତମ ଦିନରେ ଭାରତ ପାଇଁ ଆସିଲା ଖୁିସି ଖବର। ବିଶ୍ୱର ୨ ନମ୍ବର ଟିମ୍‌ ଅଷ୍ଟ୍ରେଲିଆ ମହିଳା ଦଳକୁ କ୍ୱାର୍ଟର ଫାଇନାଲ ମୁକାବିଲାରେ ମାତ୍‌ ଦେଇ ସେମି ଫାଇନାଲକୁ ପ୍ରବେଶ କରିଛି ଭାରତୀୟ ମହିଳା ଦଳ। ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସର ସେମି ଫାଇନାଲରେ ପ୍ରବେଶ କରିଛି। ଶେଷ ଥର ୧୯୮୦ ମସିହାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ଭାରତୀୟ ମହିଳା ହକି ଦଳ।

ଭାରତୀୟ ମହିଳା ଦଳ ସେମିରେ ପ୍ରବେଶ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟନ ଶୁଭେଚ୍ଛା ଜଣାଇଛନ୍ତି। ଟ୍ବିଟ୍‌ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ନବୀନ। ସେ କହିଛନ୍ତି ଯେ, ଭାରତୀୟ ମହିଳା ହକି ଟିମକୁ ଅଭିନନ୍ଦନ। ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲ ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ସେମି ଫାଇନାଲ ମୁକାବିଲାରେ ପ୍ରବେଶ କରି ଇତିହାସ ରଚିଛି ଦଳ। ଏହି ବିଜୟ ଧାରା ଜାରି ରଖିବା ସହ ପଦକ ଜିତି ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ, ଟୋକିଓରେ ଭାରତୀୟ ମହିଳା ହକିଦଳ ଦେଶର ନାମକୁ ଉଚ୍ଚା କରିଛନ୍ତି। ସେମି ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଉଛି। ଆଗାମୀ ମ୍ୟାଚ୍‌ ପାଇଁ ଶୁଭେଚ୍ଛା ବୋଲି ଧର୍ମେନ୍ଦ୍ର ଟ୍ୱିଟ କରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କ୍ୱାଟର ଫାଇନାଲ ମୁକାବିଲାର ୨୨ ମିନିଟ୍‌ ସମୟରେ ଗୁରଜିତ୍‌ କୌର ଏକ ଗୋଲ୍‌ ଦେଇ ଭାରତକୁ ମ୍ୟାଚରେ ଆଗୁଆ ରଖିଥିଲେ। ଗୁରଜିତ ପେନାଲ୍ଟି କର୍ଣ୍ଣର ଦେଇ ଗୋଲ‌ ସ୍କୋର କରିଥିଲେ। ଅପରପକ୍ଷେ ଅଷ୍ଟ୍ରେଲିଆ ଦଳ ୭ଟି ପେନାଲଟି କର୍ଣ୍ଣର ପାଇଥିବା ବେଳେ ଗୋଟିଏ ବି ଗୋଲ୍‌ ଦେବାରେ ସଫଳ ହୋଇ ନଥିଲା ଅଷ୍ଟ୍ରେଲିଆ ମହିଳା ଦଳ। ଅଲିମ୍ପିକ୍ସରେ ୩ ଥର ସ୍ୱର୍ଣ୍ଣ ପଦକ ବିଜେତା ଅଷ୍ଟ୍ରେଲିଆ ମହିଳା ଦଳକୁ ମାତ୍‌ ଦେଇ ଅଲିମ୍ପିକ୍ସରେ ପ୍ରଥମ ଥର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ପ୍ରଥମ ଥର ପାଇଁ ଗୋଟିଏ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ଦଳ ସେମି ଫାଇନାଲରେ ପ୍ରବେଶ କରିଛି।

ରିଓ ଅଲିମ୍ପିକ୍ସରେ ଗୋଟିଏ ବି ମ୍ୟାଚ୍‌ ଜିତିନଥିବା ଭାରତୀୟ ମହିଳା ଟିମ୍‌ ୧୨ ନମ୍ବର ସ୍ଥାନରେ ରହିଥିଲା। ହେଲେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ମାତ୍‌ ଦେଇ ସେମି ଫାଇନାଲରେ ପ୍ରବେଶ କରି ରଚିଛି ଇତିହାସ। ସୂଚନାଯୋଗ୍ୟ, ରବିବାର ଦିନ ଭାରତୀୟ ପୁରୁଷ ହକି ଦଳ ଗ୍ରେଟ୍‌ ବ୍ରିଟେନକୁ ମାତ୍‌ ଦେଇ ସେମିରେ ପ୍ରବେଶ କରିଥିଲା। ଭାରତୀୟ ପୁରୁଷ ଦଳ ସେମିରେ ଶକ୍ତିଶାଳୀ ବେଲଜିୟମ ଟିମକୁ ଭେଟିବ।


Share It

Comments are closed.