ଆଜି କଟକରେ ୨୦୦ ଏବଂ ଭୁବନେଶ୍ୱରରେ ୫୦୦ରୁ ଉର୍ଦ୍ଧ୍ୱ ବାହାଘର


ଗୋଟିଏ ପଟେ କରୋନା ସଂକ୍ରମଣ ଭୟ, ଅନ୍ୟପଟେ ବାହାଘର ପାଇଁ କଡ଼ା କଟକଣା। ଏଭଳି କାରଣ ପାଇଁ ଗଲା ମାର୍ଚ୍ଚରୁ ବାହାଘର ଉତ୍ସବ ଏକରକମ ଠପ୍‌ ହୋଇଯାଇଥିଲା। ଯାହା ଯେଉଁଠି ହେଉଥିଲା ତାହା ନିରାଡମ୍ବର ଓ ସଂକ୍ଷିପ୍ତ। ହେଲେ ଏବେ ସଂକ୍ରମଣ କମିଛି, କଟକଣା ବି କୋହଳ ହୋଇଛି। ବାହାଘର ପାଇଁ ୨ଶହ ପର୍ଯ୍ୟନ୍ତ ଲୋକଙ୍କ ସମାଗମ ପାଇଁ କମିସନରେଟ୍‌ ପୁଲିସ ଅନୁମତି ଦେଉଛି। ଅବଶ୍ୟ ସହରରେ ସିଏମ୍‌ସି ଗାଇଡ୍‌ ଲାଇନ ଶହେ ଲୋକଙ୍କ ସମାଗମ ପାଇଁ ଅନୁମତି ଦେଉଛି। ଏଭଳି ସ୍ଥିତିରେ ମାର୍ଗଶୀର ମାସ ଆରମ୍ଭରୁ ସହରରେ ଆଖିବୁଜା ବାହାଘର ଚାଲିଛି। ବୁଧବାର କଟକ ସହରରେ ହାଉଯାଉ ବାହାଘର। ପୁଲିସ ପାଖରେ ଥିବା ଅନୁମତି ଅନୁସାରେ ସହରରେ ଦୁଇ ଶହ ବାହାଘର କେବଳ ବୁଧବାର ଦିନ ହେଉଛି। ଅବଶ୍ୟ ଏହା ବାଦ୍‌ ବି ଆହୁରି ବାହାଘର ହେଉଛି। ତେଣୁ ଆନୁମାନିକ ଭାବେ ବୁଧବାର ସହର ଓ ଏହାର ଆଖପାଖ ଅଞ୍ଚଳରେ ୩ଶହରୁ ଅଧିକ ବାହାଘର ହେଉଛି। କେବଳ ବୁଧବାର ନୁହେଁ ଆସନ୍ତା ଶୁକ୍ରବାର ଓ ରବିବାର ବାହାଘର ଓ ଭୋଜିଭାତକୁ ଫୁରସତ ନାହିଁ।

କରୋନା କଟକଣା କୋହଳ ହେବା ପରେ ବାହାଘର ପାଇଁ ଅଣ୍ଟାଭିଡିଛନ୍ତି ସମସ୍ତେ। ଏମିତିକି ବିଭିନ୍ନ କାରଣରୁ ପୂର୍ବରୁ ଝୁଲି ରହିଥିବା ବାହାଘର ବି ଏହି ସମୟରେ ହୋଇଯାଉଛି। ପାଞ୍ଜିରେ ବି ଆଗକୁ ଆଉ ସେମିତି ବିବାହ ତିଥି ଅଧିକ ନାହିଁ ବୋଲି କୁହାଯାଉଛି। ମାର୍ଗଶୀର ମାସରେ ତଥା ବର୍ଷ ଶେଷର ଡିସେମ୍ବର ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ବିବାହ ତିଥି ୧୧ ତାରିଖ ଯାଏ ରହିଛି। ଏହା ପରେ ବିବାହ ତିଥି ପୌଷ ପୂର୍ଣ୍ଣିମା ପରେ ମାଘ ମାସରେ ତଥା ଜାନୁଆରୀରୁ ଅଧାରେ ଆରମ୍ଭ ହେବ। ବର୍ଷ ଶେଷ ହୋଇଯାଉଥିବାରୁ ଏବେ ବାହାଘର ଆୟୋଜନ ଜୋରସୋରରେ ଆଗେଇ ଚାଲିଛି।

ବୁଧବାର, ଶୁକ୍ରବାର, ରବିବାର ଆଖିବୁଜା ବାହାଘର ଏବଂ ଭୋଜି ରହୁଛି। ବୁଧବାର ସହରରେ ପ୍ରାୟ ୧୫୦ ବାହାଘର ପାଇଁ ପୁଲିସ୍‌ଠାରୁ ଅନୁମତି ନେଇଛନ୍ତି। ସେହିପରି ଆସନ୍ତାକାଲି ବାହାଘର ଦିନ ଧାର୍ଯ୍ୟ ହୋଇଥିଲେ ହେଁ ବିଭିନ୍ନ ସମସ୍ୟାକୁ ନେଇ ଅନୁମତି ନପାଇ ୫୦ରୁ ଅଧିକ ଲୋକେ ଡିସିପି ଅଫିସରୁ ଫେରିଥିବାର ଖବର ମିଳିଛି। ଏମିତି ବୁଧବାର ବାହାଘର ପାଇଁ ପୁଲିସ୍‌ଠାରୁ ଅନୁମତି ଏବଂ ବିନା ଅନୁମତିରେ ପ୍ରାୟ ୨ଶହରୁ ଅଧିକ ବାହାଘର ସହରରେ ଆୟୋଜନ ହେଉଥିବାର ସୂଚନା ମିଳିଛି।

ସେହିପରି ସହର ଆଖପାଖ ଅଞ୍ଚଳର ସଂଖ୍ୟା ମିଶିଲେ ଏହା ଆହୁରି ଅଧିକ ହେବ। ଏବେ ପୁଲିସ୍‌ ପାଖରୁ ଅନୁମତି ନେଇ ଯେତିକି ବାହାଘର ଆୟୋଜନ ହେଉଛି ତାଠାରୁ ଅଧିକ ବାହାଘର ବିନା ଅନୁମତିରେ ବି ଆୟୋଜନ ଚାଲିଛି ବୋଲି ଜଣେ ଅଧିକାରୀ କହିଛନ୍ତି । ସହରରେ ଦିନବେଳା ଯୁଆଡେ ଆଖି ବୁଲାଇଲେ ସେଠାରେ ବିବାହ ଉତ୍ସବ ଦେଖିବାକୁ ମିଳୁଛି। ମଣ୍ଡପଠାରୁ ଆରମ୍ଭ କରି ଖୋଲା ପଡ଼ିଆ, ଛାତ ଉପର, ଘରେ ବାହାଘର ଚାଲିଛି । ଅନ୍ୟପକ୍ଷରେ ବରଯାତ୍ରୀ ଶୋଭାଯାତ୍ରା ପାଇଁ ଅନୁମତି ନଥିଲେ ମଧ୍ୟ ଦିନବେଳା କିଛି ବରଯାତ୍ରୀ ସବୁ କଟକଣାକୁ ଫୁ.. କରିଦେଇ ବିବାହ ମଣ୍ଡପରେ ପହଞ୍ଚୁଛନ୍ତି। ଡାକବାଜି ଯନ୍ତ୍ର କିମ୍ବା ବ୍ୟାଣ୍ଡ ପାର୍ଟି ବଜେଇ ଶେଭାଯାତ୍ରା କରୁନଥିଲେ ମଧ୍ୟ ଛୋଟ ଶୋଭାଯାତ୍ରା ହେଉଛି । କଟକଣା ଯୋଗୁଁ ବିବାହ ଉତ୍ସବ ପାଇଁ ଦିନ ବେଳା ଅନୁମତି ଥିବାରୁ ଦିନବେଳା ହିଁ ଅଧିକାଂଶ ସ୍ଥାନରେ ବାହାଘର ହେଉଛି।

ଜଣେ ପୁଲିସ୍‌ ଅଧିକାରୀଙ୍କ କହିବା ଅନୁସାରେ, କରୋନା ସଂକ୍ରମଣ ସମୟରେ ବାହାଘରରେ ସରକାରଙ୍କ ପକ୍ଷରୁ ଜାରି ରହିଥିବା କଟକଣା ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିୟମ ରହିଛି। ସେହିପରି କମିସନରେଟ୍‌ ଇଲାକାରେ ବିବାହ ଉତ୍ସବ ପାଳନରେ ଖିଲାପ କଲେ କିମ୍ବା ସହରାଞ୍ଚଳ ପୁଲିସ୍‌ ଆଇନ୍‌ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ଡିଜାଷ୍ଟର ମ୍ୟାନେଜମେଣ୍ଟ୍‌ ଆକ୍ଟ ଏବଂ ଆଇପିସି ଧାରାରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ଜେଲ୍‌ ଜରିମାନା ଦଣ୍ଡ ବ୍ୟବସ୍ଥା ରହିଛି।


Share It

Comments are closed.