ଓଡ଼ିଆ ନବ ବର୍ଷର ମାହତ୍ମ୍ୟ


ଓଡ଼ିଆ ନବ ବର୍ଷକୁ, କେହି କେହି ଏହାକୁ ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି କହିଥାନ୍ତି । ପ୍ରତ୍ୟେକ ବର୍ଷ ଉକ୍ତ ସଂକ୍ରାନ୍ତି ୧୪ କିମ୍ବା ୧୫ ଏପ୍ରିଲରେ ପାଳନ କରାଯାଇଥାଏ । ଚଳିତ ବର୍ଷ ଏହା ୧୪ ଏପ୍ରିଲ୍, ଶନିବାର ଅନେକ ଉତ୍ସାହର ସହିତ ଓଡ଼ିଶାର କୋଣ ଅନୁକୋଣରେ ପାଳନ କରାଯାଉଛି । ଉକ୍ତ ପର୍ବ ଓଡ଼ିଶାରେ ଚାଷ କାର୍ଯ୍ୟ ପାଇଁ ମଧ୍ୟ ଅଧିକ ଗୁରୁତ୍ୱ ବହନ କରିଥାଏ । ମହା ବିଷୁବ ସଂକ୍ରାନ୍ତି ମୁଖ୍ୟତଃ ଗ୍ରୀଷ୍ମର ଆରମ୍ଭକୁ ସୂଚାଇଥାଏ । ଏହି ପର୍ବ ଅନ୍ୟ ପର୍ବ ମାନଙ୍କ ତୁଳନାରେ କିଛିଟା ଭିନ୍ନ । ପଣା ସଂକ୍ରାନ୍ତିରେ ଅନ୍ୟ ନୂତନ ବର୍ଷ ଭଳି ଏକ ପୁରୁଣା ବର୍ଷକୁ ବିଦାୟଦେଇ ନୂତନ ବର୍ଷକୁ ସ୍ୱାଗତ କରାଯାଇଥାଏ ।
ଏହି ଦିନ ଓଡ଼ିଆ ଶ୍ରଦ୍ଧାଳୁମାନେ ସାଧାରଣତଃ ଶିବ, ଶକ୍ତି ଏବଂ ହନୁମାନଙ୍କୁ ମନ୍ଦିରରେ ଦର୍ଶନ କରିବାକୁ ଯାଇଥାନ୍ତି କାରଣ ଏହି ଦିନକୁ ହନୁମାନ ଜୟନ୍ତିଭାବେ ମଧ୍ୟ ବିବେଚନା କରାଯାଇଥାଏ । ଏହି ଦିନ ଅନେକ ଗାଁରେ ଝାମୁ ଯାତ୍ରା ମଧ୍ୟ ପାଳନ କରାଯାଏ । ଝାମୁ ଯାତ୍ରାରେ ଅନେକ ଭକ୍ତ ରଡ଼ ନିଆଁରେ ଚାଲି ମାନସିକ ମନାସିଥାନ୍ତି । ପଣା ସଂକ୍ରାନ୍ତି ଦିନ ଏକ ମାଟି ପାତ୍ରରେ ପଣା ରଖି ତୁଳସୀ ଚଉରା ଉପରେ ଟଙ୍ଗାଇ ଦିଆଯାଇଥାଏ ।
ଉକ୍ତ ପାତ୍ରର ତଳେ ଏକ ଛୋଟିଆ କଣା କରାଯାଇଥାଏ । ଯାହା ମଧ୍ୟଦେଇ ସେଇ ପଣା ଅଳ୍ପ ଅଳ୍ପକରି ତୁଳସୀ ଗଛ ଉପରେ ପଡ଼ିଥାଏ । ମାନ୍ୟତା ରହିଛିକି ଗ୍ରୀଷ୍ମ ଦାଉରୁ ତୁଳସୀଙ୍କୁ ରକ୍ଷା କରିବା ପାଇଁ ଏହି ଛୋଟ ଟୋପା ଟୋପା ଜଳ ବର୍ଷାର ଅନୁଭୂତି ଆଣିଦେଇଥାଏ । ଏହି ପଣା ମୁଖ୍ୟତଃ ବେଲ, କଦଳୀ, ଛେନା, କ୍ଷୀର, ଗୁଡ଼, ଗୁଜୁରାତି ଏବଂ ଛତୁଆକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ । ମହା ବିଷୁବ ସଂକ୍ରାନ୍ତି ଆହୁରି ମଧ୍ୟ ମେଶ ସଂକ୍ରାନ୍ତିଭାବେ ଜଣାଶୁଣା । ସମସ୍ତ ରାଶି ମାନଙ୍କ ମଧ୍ୟରେ ମେଶ ପ୍ରଥମେ ଆସୁଥିବାବେଳେ ଉକ୍ତ ସଂକ୍ରାନ୍ତି ମଧ୍ୟ ବର୍ଷର ପ୍ରାରମ୍ଭକୁ ସୂଚାଇଥାଏ ।


Share It

Comments are closed.