ରୋଗ ଦୂର କରିବାର ଅଛି ତ ଘରେ ଏହିସବୁ ମିଶ୍ରଣରୁ ପ୍ରସ୍ତୁତ କାଢ଼ା ପିଅନ୍ତୁ


ଆଗ କାଳରେ, ପାଗ ପରିବର୍ତ୍ତନ ହେତୁ ଥଣ୍ଡା, କାଶ କିମ୍ବା ଜ୍ୱର ହେଲେ ଘରେ ଜେଜେମା କାଢ଼ା ପ୍ରସ୍ତୁତ କରି ପିଇବାକୁ ଦେଉଥିଲେ | ଘରୋଇ ମସଲା କାଢ଼ା ତିଆରି ପାଇଁ ବ୍ୟବହୃତ ହୁଏ ଯାହା ଔଷଧୀୟ ଗୁଣରେ ପରିପୂର୍ଣ୍ଣ | ଏହି କାଢ଼ାର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଯାହା ଆମ ଶରୀରକୁ ରୋଗ ବିରୁଦ୍ଧରେ ଲଢ଼ିବାକୁ ସକ୍ଷମ କରିଥାଏ | ଏହି କାଢ଼ାକୁ ସହଜରେ ଘରେ ତିଆରି କରାଯାଇପାରିବ |ତେବେ ଆସନ୍ତୁ ଜାଣିବା କାଢ଼ାରେ କେଉଁସବୁ ଉପକାରୀ ଗୁଣ ରହିଛି ।

ଡାଳଚିନି ହେଉଛି ଏଭଳି ଏକ ମସଲା ଯାହା ଭଲ ଗନ୍ଧ ପ୍ରଦାନ କରିଥାଏ | ଯଦିଓ ଡାଳଚିନି ଏକ ସାଧାରଣ ମସଲା ଭାବରେ ବ୍ୟବହୃତ ହୁଏ, କିନ୍ତୁ ଏହାର ଗୁଣ ହେତୁ ଏହା ଏକ ଔଷଧ ଭଳି କାମ କରେ | ଏକ ଗ୍ଲାସ ପାଣିରେ ଅଧା ଚାମଚ ଡାଳଚିନି ପାଉଡର ଫୁଟାନ୍ତୁ। ଯେତେବେଳେ ପାଣି ଭଲଭାବରେ ଫୁଟିଯିବ, ଏହାକୁ ନିଆଁରୁ ବାହାର କରି କିଛି ସମୟ ଥଣ୍ଡା ହେବାକୁ ଦିଅନ୍ତୁ, ତା’ପରେ ଏଥିରେ ମହୁ ମିଶାଇ ପିଅନ୍ତୁ, ଏହା ଥଣ୍ଡା ରୋଗରୁ ମୁକ୍ତି ଦେଇଥାଏ | ଡାଳଚିନି ଖାଇବା ଦ୍ୱାରା ମଧ୍ୟ ହୃଦ୍ ରୋଗରୁ ରକ୍ଷା ମିଳିଥାଏ | କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ଏହା ଲାଭଦାୟକ ଅଟେ |

ଯଦି କାଶ, ଥଣ୍ଡା ଭଳି ସମସ୍ୟା ଦେଖାଦିଏ, ତେବେ ଲବଙ୍ଗକୁ ଭଲ ଭାବରେ ଗୁଣ୍ଡ କରି ଗୋଲମରିଚ ଗୁଣ୍ଡ, ଅଦା ଏବଂ ଗୁଡ଼ ସହିତ ପାଣିରେ ପକାଇ ଭଲଭାବରେ ଫୁଟାନ୍ତୁ | କିଛି ତୁଳସୀ ପତ୍ର ମଧ୍ୟ ମିଶାନ୍ତୁ | ଯେତେବେଳେ ଫୁଟୁଥିବା ପାଣି ଅଧା ରହିଥାଏ, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କର କାଢ଼ା ପ୍ରସ୍ତୁତ | ଏହାକୁ ଉଷୁମ ଅବସ୍ଥାରେ ପିଅନ୍ତୁ |

ଗୋଟିଏ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଚାରି ଚାମଚ ଲେମ୍ବୁ ରସ ମିଶାଇ ଏକ କପ୍ ପାଣି ଫୁଟାନ୍ତୁ | ପ୍ରତିଦିନ ସକାଳେ ଏହାକୁ ଖାଲି ପେଟରେ ପିଇବା ଦ୍ୱାରା ପେଟର ଚର୍ବି କମିଯାଏ | ଏହାସହ ଥଣ୍ଡା ପାଇଁ ମଧ୍ୟ ଏହା ଲାଭଦାୟକ ଅଟେ |

ପେଟ ଜନିତ ସମସ୍ୟାରେ ଜୁଆଣି ବେଶ ଲାଭକାରୀ ହୋଇଥାଏ | ଯଦି ଆପଣଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ଏକ ଗ୍ଲାସ୍ ପାଣି ଫୁଟାନ୍ତୁ | ପାଣି ଜୋରରେ ଫୁଟିବାକୁ ଲାଗିଲେ ସେଥିରେ ଅଧା ଚାମଚ ଜୁଆଣି ଏବଂ ଗୁଡ଼ ମିଶାଇ ଅଧା ପାଣି ଶୁଖିଯିବା ପର୍ଯ୍ୟନ୍ତ ଫୁଟାନ୍ତୁ | ଏହାକୁ ନିଆଁରୁ ବାହାର କରି ଥଣ୍ଡା ହେବା ପରେ ପିଅନ୍ତୁ |

ମସଲାର ପ୍ରଭାବ ଅତ୍ୟନ୍ତ ଗରମ, ତେଣୁ ଅଧିକ ପରିମାଣରେ କାଢ଼ା ସେବନ ଠିକ ହୋଇନଥାଏ | ଅଧିକ ପରିମାଣରେ ପିଇବା ଦ୍ୱାରା ପେଟରେ ଜ୍ବଳନ ଦେଖାଦେଇଥାଏ | ଯଦି ଆପଣଙ୍କର କୌଣସି ପ୍ରକାରର ସମସ୍ୟା ଦେଖାଦିଏ, ତେବେ ଜଣେ ଯୋଗ୍ୟ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ପରେ ଏହାକୁ ନିଅନ୍ତୁ |


Share It

Comments are closed.