ଟିଏମ୍‌ସିରେ ଯୋଗ ଦେଇପାରନ୍ତି ଅଭିନେତ୍ରୀ ବର୍ଷା ଉସ୍‌ଗାଓଁକର


ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ବର୍ଷା ଉସ୍‌ଗାଓଁକର ତୃଣମୂଳ କଂଗ୍ରେସ୍‌(ଟିଏମ୍‌ସି)ରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ଗୁରୁବାର ଟିଏମ୍‌ସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଆ ଗସ୍ତରେ ଯାଉଥିବା ବେଳେ ସେଠାରେ ବର୍ଷା ମମତାଙ୍କ ଉପସ୍ଥିତିରେ ଟିଏମ୍‌ସିରେ ଯୋଗଦେବେ ବୋଲି କୁହାଯାଉଛି ।

ବର୍ଷା ସିଧାସଳଖ ରାଜନୀତିରେ ଜଡ଼ିତ ନଥିଲେ ମଧ୍ୟ ସେ ଏକ ରାଜନୈତିକ ପରିବାରର ଝିଅ । ତାଙ୍କ ବାପା ଅଚ୍ୟୁତ କେ.ଏସ୍‌ ଉସ୍‌ଗାଓଁକର ଗୋଆର ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ପ୍ରତିଷ୍ଠାତା ଥିଲେ । ସେ ଗୋଆ ବିଧାନସଭାର ଡେପୁଟି ବାଚସ୍ପତି ଏବଂ ଏକାଧିକ ଥର କ୍ୟାବିନେଟ୍‌ର ସଦସ୍ୟ ଥିଲେ । ଗତବର୍ଷ ଜୁନ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା । ଏକ ରାଜନୈତିକ ପରିବାରର ସଦସ୍ୟ ଭାବରେ ବର୍ଷା ୨୦୧୭ରେ ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ପାଇଁ ପ୍ରଚାର କରିଥିଲେ । ବର୍ଷା ଗୋଆର ଏକ ଜଣାଶୁଣା ଏବଂ ଲୋକପ୍ରିୟ ଚେହେରା । ସେ ତୃଣମୁଳ କଂଗ୍ରେସରେ ଯୋଗଦେଲେ ଗୋଆରେ ଦଳ ଆଗକୁ ବଢ଼ିବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି କୁହାଯାଉଛି । ଅନ୍ୟପଟେ ବର୍ଷା ଦଳରେ ଯୋଗଦେଲେ ଆଗାମୀ ଦିନରେ ଟିଏମ୍‌ସି ତାଙ୍କୁ ରାଜ୍ୟସଭା ପଠାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସୂଚନା ଥାଉକି, ପଶ୍ଚିମବଙ୍ଗରେ ଟିଏମ୍‌ସି ତୃତୀୟ ଥର ସରକାର ଗଢ଼ିବା ପରେ ବର୍ତ୍ତମାନ ଅନ୍ୟ ରାଜ୍ୟରେ ମଧ୍ୟ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତ ହେଉଛି । ସେହି ପରିପେକ୍ଷୀରେ ଗୋଆ ଉପରେ ମଧ୍ୟ ମମତା ନଜର ରଖିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏନେଇ ଗୋଆରେ ଏକ ଦଳ ଗଠନ କରିବାକୁ ରାଜ୍ୟସଭା ନେତା ଡେରେକ ଓ’ବ୍ରାଇନଙ୍କୁ ଟିଏମ୍‌ସି ଦାୟିତ୍ୱ ଦେଇଛି । ଅନ୍ୟପଟେ ଏଇ ସପ୍ତାହରେ ମମତା ମଧ୍ୟ ଗୋଆ ଗସ୍ତରେ ଯାଉଛନ୍ତି ।


Share It

Comments are closed.