ଟେଲିକମ୍ ଟାୱାର ଠକଙ୍କ ପ୍ରଲୋଭନରେ ନ ପଡ଼ିବା ଲାଗି ବିଭାଗ ପକ୍ଷରୁ ପରାମର୍ଶ


ଭୁବନେଶ୍ୱର: ବିଗତ କିଛି ବର୍ଷରେ, ଦେଶରେ ଟେଲିକମ୍ ନେଟ୍‌ୱର୍କ ଦ୍ରୁତ ଗତିରେ ସମ୍ପ୍ରସାରିତ ହୋଇଛି । ବର୍ତମାନ ଦେଶରେ ୬.୪୭ ଲକ୍ଷରୁ ଅଧିକ ମୋବାଇଲ୍ ଟାୱାର ରହିଛି, ଯେଉଁଥିରୁ ୫୧,୦୦୦ ଟାୱାର ଗତବର୍ଷ ସ୍ଥାପିତ ହୋଇଛି । ସାରା ଦେଶରେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବାରେ ଏହାର ଗଭୀର ପ୍ରଭାବ ରହିଛି । କିନ୍ତୁ ଦୁର୍ଭାଗ୍ୟବସତଃ, ସମାନ ସମୟରେ ଟେଲିକମ ଟାୱାର ଠକେଇ ମଧ୍ୟ ବଢ଼ିବାରେ ଲାଗିଛି । ଏହି ଠକମାନେ ନିଜକୁ ଟେଲିକମ୍ ସେବା ପ୍ରଦାନକାରୀ, ଭିତିଭୂମି ସେବା ପ୍ରଦାନକାରୀ କିମ୍ବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ)ର ଏଜେଂଟ୍ ଭାବେ ଉପସ୍ଥାପନ କରି ଘର ପରିସରରେ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ଲାଭଜନକ ମାସିକ ଭଡ଼ା ଭଳି ପ୍ରତିଶ୍ରୁତି ଦେଇ ଲୋକମାନଙ୍କୁ ବୋକା ବନାଇଥାନ୍ତି । ଏଭଳି ଠକମାନେ ସାଧାରଣତଃ ଜାଲ୍ ପାମ୍ପଲେଟ୍ ବିତରଣ କରନ୍ତି ଓ ମିଥ୍ୟା ଫୋନ୍ କଲ୍ କରିଥାନ୍ତି । ସେମାନେ ଅତ୍ୟଧିକ ଭଡ଼ା, ବିନା ମୂଲ୍ୟରେ ଟାୱାର ସ୍ଥାପନ ଓ ମୁନିସିପାଲିଟି ଟିକସ ଛାଡ଼ ଭଳି ଲୋଭ ଦେଖାଇଥାନ୍ତି । ମାଗଣାରେ ମୋବାଇଲ୍ ଫୋନ୍ ଦେବା ଲାଗି ମଧ୍ୟ ସେମାନେ ଅଫର ଦେଇଥାନ୍ତି ।
ଥରେ ନିଶ୍ଚିତ ହୋଇଯିବା ପରେ ଠକାମିର ଶିକାର ହେବାକୁ ଯାଉଥିବା ସମ୍ପତିର ମାଲିକଙ୍କୁ ଏହି ଠକମାନେ ସରକାରୀ ଟିକସ ନାମରେ ସେମାନଙ୍କ ଖାତାରେ ଟଙ୍କା ଜମା କରିବାକୁ କହିଥାନ୍ତି ଓ ଏଥିପାଇଁ ଜାଲ୍ ରସିଦ୍ ମଧ୍ୟ ଦିଅନ୍ତି । ଏହି ରସିଦଗୁଡ଼ିକ ସାଧାରଣତଃ ଜାଲ୍ ସଂସ୍ଥା କିମ୍ବା ଟେଲିକମ୍ ସେବା ପ୍ରଦାନକାରୀ କିମ୍ବା ଟ୍ରାଇ ନାମରେ ରହିଥାଏ । ଆଶା ଅନୁସାରେ ଥରେ ପେମେଂଟ୍ ହୋଇଯିବା ପରେ ଠକମାନେ ସେମାନଙ୍କ କାମ ବନ୍ଦ କରିଦିଅନ୍ତି ଓ ପରବର୍ତୀ ଶିକାର ପାଇଁ ବାହାରି ପଡ଼ନ୍ତି ।
ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ନିୟାମକ ସଂସ୍ଥା ତରଫରୁ ଗାଇଡଲାଇନ୍ ଜାରି କରାଯାଇଛି । ଏଭଳି ବେଇମାନ ଚରିତ୍ରମାନଙ୍କ ଦ୍ୱାରା ଲୋକମାନେ ଯେଭଳି ଠକାମିର ଶିକାର ନହୁଅନ୍ତି ତାହା ନିଶ୍ଚିତ କରିବା ଲାଗି ଶିକ୍ଷଣୀୟ କାର୍ଯ୍ୟକ୍ରମ ଓ ସଚେତନତା ଅଭିଯାନ ପାଇଁ ଶିଳ୍ପ ଜଗତ ମିଳିତ ଭାବେ କାର୍ଯ୍ୟ କରୁଛି । ମାମଲାର ସମାଧାନ ଲାଗି ସ୍ଥାନୀୟ ଆଇନ ପ୍ରଣୟନକାରୀ ଏଜେନ୍ସିଗୁଡ଼ିକ ସହ ସମ୍ପର୍କରେ ରହିବା ଲାଗି ପୀଡ଼ିତମାନଙ୍କୁ ପରାମର୍ଶ ଦିଆଯାଇଛି । ମୋବାଇଲ୍ ଟାୱାର ସ୍ଥାପନ କରିବା ଲାଗି ପରିସର ଲିଜ୍ ସୂତ୍ରରେ କିମ୍ବା ଭଡ଼ା ଦେବା ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ନିୟାମକ ସଂସ୍ଥା ଟ୍ରାଇ ଜଡ଼ିତ ନାହିଁ ।
ଭିତିଭୂମି ପ୍ରଦାନକାରୀ ଯଥା ଇଣ୍ଡସ୍ ଟାୱାର ଲିମିଟେଡ୍‌, ଏଟିସି, ଭାରତୀ ଇନଫ୍ରାଟେଲ୍ ଇତ୍ୟାଦିଙ୍କ ସହିତ ଟେଲିକମ୍ ସେବା ପ୍ରଦାନକାରୀ ଯଥା ଆର୍‌ଜିଓ, ଏୟାରଟେଲ୍‌, ଭିଆଇଏଲ୍‌, ବିଏସ୍‌ଏନ୍‌ଏଲ୍‌, ଏମ୍‌ଟିଏନ୍‌ଏଲ୍ ଉପଯୁକ୍ତ ମଂଜୁରି ହାସଲ କରିବା ପରେ ଟାୱାର ସ୍ଥାପନ କରିପାରିବେ ଯାହାର ଅର୍ଥ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର, ସ୍ଥାନୀୟ କର୍ତୃପକ୍ଷ, ସଂସ୍ଥା, କଂପାନି କିମ୍ବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ ଓ ଆରମ୍ଭ କରାଯାଇଥିବା ଅନୁଷ୍ଠାନ ଠାରୁ ମଂଜୁରି । ଲୋକମାନେ ନିୟମ ଏବଂ ଦେୟ ପ୍ରକ୍ରିୟା ବିଷୟରେ ଅବଗତ ହେବା ଜରୁରୀ ଯଦ୍ୱାରା ସେମାନେ ଟାୱାର ଠକାମିର ଶିକାର ହେବେନି । ୧୪୪୦୪ କ଼ିମ୍ବା ୧୮୦୦-୧୧-୪୦୦ ନ୍ୟାସନାଲ୍ କଂଜ୍ୟୁମର ହେଲପ୍‌ଲାଇନ୍ ନମ୍ବରରେ ଦେଶର ଯେକୌଣସି ସ୍ଥାନରୁ କଲ କରିହେବ । ଲୋକମାନେ ସେମାନଙ୍କ ଅଭିଯୋଗକୁwww.consumerhelpline.gov.inରେ ପଞ୍ଜୀକରଣ କରିପାରିବେ ।


Share It

Comments are closed.