ଅକ୍ଟୋବର ୧୪-୧୬ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ “ଇଣ୍ଡିଆନ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଭୁବନେଶ୍ୱର’


ଭୁବନେଶ୍ୱର: ଫିଲ୍ମ ସୋସାଇଟି ଅଫ୍ ଭୁବନେଶ୍ୱର (ଏଫ୍‌ଏସ୍‌ବି) ପକ୍ଷରୁ ତିନି ଦିନ ବ୍ୟାପୀ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ (ଆଇଡିଏଫ୍‌ଏଫ୍‌ବି) ୨୦୨୨ ବିଷୟରେ ଘୋଷଣା କରାଯାଇଛି ଯାହା ଓଡ଼ିଶୀ ରିସର୍ଚ ସେଂଟର୍‌ରେ ୨୦୨୨ ଅକ୍ଟୋବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ଦେଶର ବିଭିନ୍ନ ସ୍ଥାନ କାଶ୍ମୀରଠାରୁ ଉତର ପୂର୍ବାଚଂଳ ପର୍ଯ୍ୟନ୍ତର ଯୁବ ସିନେମା ନିର୍ମାତାମାନଙ୍କୁ ଗୁରୁତ୍ୱ ଦିଆଯିବ । ଦେଶାନ୍ତର, ଲିଙ୍ଗ, ଅସମାନ ବିକାଶ, ଭୂ-ରାଜନୈତିକ ସମସ୍ୟା, ପରିବେଶରେ ଅବନତି, ରାଜନୈତିକ ଏବଂ ନୈତିକ ପ୍ରଶ୍ନ ଆଦି ଉପରେ ପର୍ଯ୍ୟବେସିତ ସିନେମାଗୁଡ଼ିକୁ ଏହି ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ କରାଯିବ ।

ସିଟି ଗାର୍ଲ୍‌ସ, ଆରମାଚ୍ୟୁର, ବ୍ୟାକ୍‌ଷ୍ଟେଜ୍‌, ବିଡ୍ ଫର ବେଙ୍ଗଲ, ଜେନୋଫୋବିଆ, ସ୍ମଲ ଟାଇମ୍ ସିନେମା, କଲର୍ସ ଅଫ୍ ଲାଇଫ୍‌, ଟେଷ୍ଟିମୋନି ଅଫ୍ ଆନା, ଇନ ଏ ଡିସେଂଟ ମ୍ୟାନର, ହାତୀ ବନ୍ଧୁ, ନଟ୍ ଜଷ୍ଟ ରୋଡ୍‌ସ, ନିଉ କ୍ଲାସରୁମ୍‌, ଦୁଃଖୁ ମାଝି, ଗେ ଇଣ୍ଡିଆ ମାଟ୍ରିମୋନି, ସଲ୍‌ଟ ଆଣ୍ଡ୍ ସୁଗାର, ବେଲା, ମେଇରାମ୍‌, ଘର କା ପତା, ଟ୍ରାନ୍ସ କାଶ୍ମୀର, ସିନ୍ଧୁସ୍ଥାନ ଭଳି ସିନେମାକୁ ଏହି ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ କରାଯିବ ।

ନିର୍ଦେଶକମାନଙ୍କୁ ନେଇ ସ୍ୱତନ୍ତ୍ର ଅଧିବେଶନର ପରିକଳ୍ପନା କରାଯାଇଛି ଯେଉଁଥିରେ ପ୍ରବୀଣ ମୋର୍ଛାଲେ, କସ୍ତୁରୀ ବିସୁ, ଦ୍ୱିପାୟନ ବାନାର୍ଜୀ, ଦେବଲିନା ମଜୁମଦାର, ସୁରଭି ଦିୱାନ, ଲିପିକା ଏସ ଦରେଇ ଓ ସପ୍‌ନା ଭବନାନି ଭଳି ନିର୍ଦେଶକ ଅଂଶଗ୍ରହଣ କରିବେ । ଇଣ୍ଡିଆ ଫାଉଣ୍ଡେସନ ଫର ଦି ଆର୍ଟସ୍‌ର ପ୍ରୋଗ୍ରାମ୍ ଅଫିସର ଜନ୍ ଚେରିଏନଙ୍କୁ ନେଇ କଳା ଅନୁଦାନ ହାସଲ କରିବା ନିମନ୍ତେ ପ୍ରସ୍ତାବ ଲିଖନକୁ ନେଇ ଏକ ଅଧିବେଶନ ଆୟୋଜନ କରାଯିବ ।

ଏହି ଫେଷ୍ଟିଭାଲ୍ ଜରିଆରେ ଅଭିଜ୍ଞ ସିନେମା ନିର୍ମାତାମାନଙ୍କ ମାର୍ଗଦର୍ଶନରେ ପୂର୍ବ ଭାରତରେ କାମ କରିବା ଲାଗି ଯୁବ ସିନେମା ନିର୍ମାତାମାନଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।


Share It

Comments are closed.