ନୂଆ ଭାରିଆଣ୍ଟ ଆଣିପାରେ ତୃତୀୟ ଲହର, ଅକ୍ଟୋବରରେ ସଂକ୍ରମଣ ଶୀର୍ଷରେ ରହିିବ


କରୋନା ଭାଇରସ୍‌ର ଯଦି କୌଣସି ନୂଆ ତଥା ଶକ୍ତିଶାଳୀ ଭାରିଆଣ୍ଟ ନ ଆସିବ ତେବେ ତୃତୀୟ ଲହର ଆସିବ ନାହିଁ । ଯଦି ଆସିବ ତେବେ ତାହା ଦ୍ୱିତୀୟ ଲହର ଭଳି ଭୟାବହ ହେବନାହିଁ । ଏଥିରେ ଅପେକ୍ଷାକୃତ କମ୍‌ ଲୋକ ସଂକ୍ରମିତ ହେବେ । ଦ୍ୱିତୀୟ ଲହର ସମ୍ପର୍କରେ ଅବିକଳ ସ୍ପଷ୍ଟ ପୂର୍ବାନୁମାନ କରିଥିବା ଆଇଆଇଟି କାନପୁରର ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ଏହି ଅନୁମାନ କରିଛନ୍ତି । ଏକ ଗାଣିତିକ ମଡେଲ ଯୋଗେ ଅଧ୍ୟୟନ କରି ସେମାନେ ଏହି ତଥ୍ୟ ରଖିଛନ୍ତି ।

ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା କାରଣରୁ ଦେଶବ୍ୟାପୀ କଟକଣା କୋହଳ ହେଉଛି । ଏଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ନୂଆ କରୋନା ଭାରିଆଣ୍ଟ ଚିହ୍ନଟ ହୋଇନାହିଁ । ଗାଣିତିକ ମଡେଲ ମୁତାବକ ଅଗଷ୍ଟ ମାସ ଶେଷ ବେଳକୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବୃଦ୍ଧିପାଇବ । ସେପ୍ଟେମ୍ବର ମାସ ସାରା ସଂକ୍ରମିତଙ୍କ ସଂଖ୍ୟା ଏଭଳି ବଢ଼ିଚାଲିବ । ଅକ୍ଟୋବର ବେଳକୁ ତୃତୀୟ ଲହର ସଂକ୍ରମଣ ଶୀର୍ଷ ଛୁଇଁବ । ତେବେ ତୃତୀୟ ଲହରରେ ଦୈନିକ ସର୍ବାଧିକ ୧ ଲକ୍ଷ ସଂକ୍ରମିତ ଚିହ୍ନଟ ହେବେ । ଯାହା ଦ୍ୱିତୀୟ ଲହର ତୁଳନାରେ ୪ ଗୁଣ କମ୍‌ ।

ଅକ୍ଟୋବରରେ ତୃତୀୟ ଲହର ସଂକ୍ରମଣ ଶୀର୍ଷ ଛୁଇଁବା ପରେ ଧୀରେଧୀରେ ହ୍ରାସ ପାଇବ । ଡିସେମ୍ବର ବେଳକୁ ସଂକ୍ରମଣ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିସାରିଥିବ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ନଗଣ୍ୟ ଭଳି ଥିବ । ତେବେ ସମସ୍ତ ପ୍ରକାର ରୋଗ ପ୍ରତିରୋଧକ ଶକ୍ତି ଅତିକ୍ରମ କରି ପାରୁଥିବା ଭଳି କରୋନା ଭାରିଆଣ୍ଟ ଯଦି ସୃଷ୍ଟି ହୁଏ ତେବେ ତୃତୀୟ ଲହର ଅଧିକ ଭୟାବହ ହେବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ତେବେ ଏଭଳି ଭାରିଆଣ୍ଟ ସୃଷ୍ଟି ହେବାର ଆଶଙ୍କା ଯଥେଷ୍ଟ କମ୍‌ ରହିଛି ।

ଅଧ୍ୟୟନରେ ସାମିଲ ଥିବା ଆଇଆଇଟି ବିଶେଷଜ୍ଞ ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି, ତୃତୀୟ ଲହରରେ ଦୈନିକ ହାରାହାରି ୫୦,୦୦୦ରୁ କମ୍‌ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିବ । ଦ୍ୱିତୀୟ ଲହରରେ ଡାକ୍ତରଖାନାର ଅଭାବ ଦେଖାଯାଇଥିଲା । ଅନେକ ସଂକ୍ରମିତ ଚିକିତ୍ସା ଅଭାବରୁ ପ୍ରାଣ ହରାଇଥିଲେ । ପ୍ରଥମ ଲହରରେ ମଧ୍ୟ ହସ୍ପିଟାଲରେ ବେଡ୍‌ ଅଭାବ ପରିଲକ୍ଷିତ ହୋଇଥିଲା । ତେବେ ତୃତୀୟ ଲହରରେ ଏଭଳି ହେବନି । ଡାକ୍ତରଖାନାରେ ରୋଗୀ ସଂଖ୍ୟା କମ୍‌ ରହିବ । ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲେ ମଧ୍ୟ ଗୁରୁତରଙ୍କ ସଂଖ୍ୟା କମ୍‌ ରହିବ । ଅଧିକାଂଶ ସଂକ୍ରମିତ ଘରୋଇ ଚିକିତ୍ସାରେ ସୁସ୍ଥ ହୋଇପାରିବେ ।

ସୂଚନା ଥାଉ କି, ଟିକାକରଣ ହାର, ସଂକ୍ରମଣ ହାର ଏବଂ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟର ସ୍ଥିତି ଉପରେ ନଜର ରଖି ଏହି ଗାଣିତିକ ମଡେଲ ପ୍ରସ୍ତୁତ କରାଯାଇଛି । ଅନ୍ୟପକ୍ଷରେ ଦେଶର ଖ୍ୟାତନାମା ମହାମାରୀ ବିଶେଷଜ୍ଞ ଗଗନଦୀପ କାଂଗ କହିଛନ୍ତି, ଯଦି କରୋନା ଭାଇରସ ଶକ୍ତିଶାଳୀ ଭାରିଆଣ୍ଟ ସୃଷ୍ଟି କରେ ତେବେ ତୃତୀୟ ଲହରକୁ କାବୁ କରିବା କଷ୍ଟସାଧ୍ୟ ହୋଇଯିବ । କିନ୍ତୁ ନୂଆ ଭାରିଆଣ୍ଟ ସୃଷ୍ଟି ନ ହେଲେ ତୃତୀୟ ଲହର ପ୍ରଭାବ ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ କମ୍‌ ରହିବ ।


Share It

Comments are closed.