ବଳାତ୍କାରୀଙ୍କ ପ୍ରତି କଠୋର ହେଲା ଭାରତର ଏହି ପଡ଼ୋଶୀ ଦେଶ, ଦୋଷୀକୁ ଏବେ ହେବ ଫାଶିଦଣ୍ଡ


ବଳାତ୍କାରକାରୀଙ୍କ ପାଇଁ ମୃତ୍ୟୁଦଣ୍ଡକୁ ବାଂଲାଦେଶ ଅନୁମୋଦନ କରିଛି। ସୋମବାର ବାଂଲାଦେଶର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି। ଏହାପୂର୍ବରୁ ବାଂଲାଦେଶରେ ବଳାତ୍କାରର ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ଥିଲା। ବଳାତ୍କାରକାରୀଙ୍କୁ ଦୀର୍ଘ ଦିନ ଧରି ଦଣ୍ଡ ଦେବା ପାଇଁ ଦେଶରେ ବିରୋଧ ଚାଲିଆସୁଛି।

ନିକଟରେ ବାଂଲାଦେଶରେ ବଳାତ୍କାର ଓ ଯୌନ ଶୋଷଣର ଅନେକ ମାମଲା ସାମ୍ନାକୁ ଆସିଥିଲା ଏବଂ ସୋସିଆଲ ମିଡିଆଠାରୁ ରାସ୍ତାରେ ଲୋକମାନେ ବହୁ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରକାଶଥାଉ ଯେ ଭାରତରେ ମଧ୍ୟ ବଳାତ୍କାରର ସମସ୍ତ ମାମଲାରେ ମୃତ୍ୟୁଦଣ୍ଡର ଦାବି ରହିଛି।

ବାଂଲାଦେଶ କ୍ୟାବିନେଟ ମୁଖପାତ୍ର କେ ଇସଲାମ କହିଛନ୍ତି ଯେ ରାଷ୍ଟ୍ରପତି ଶୀଘ୍ର ଫାଶିଦଣ୍ଡ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିପାରନ୍ତି। ସଂସଦ ଅଧିବେଶନ ଚାଲୁ ନ ଥିବାରୁ ବାଂଲାଦେଶର ବଳାତ୍କାର ଆଇନକୁ ଏହି ନିୟମ ମାଧ୍ୟମରେ ପରିବର୍ତ୍ତନ କରାଯିବ।

ବାଂଲାଦେଶ ସରକାର ଏହା ମଧ୍ୟ କହିଛନ୍ତି ଯେ ବଳାତ୍କାର ମାମଲାରେ ତ୍ୱରିତ ବିଚାର ପାଇଁ କ୍ୟାବିନେଟ ମଧ୍ୟ ଅନୁମୋଦନ କରିଛି। ବର୍ତ୍ତମାନ ବାଂଲାଦେଶରେ କେବଳ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ବଳାତ୍କାର ମାମଲାରେ ଫାଶୀ ଦିଆଯାଇପାରିବ |

ବାଂଲାଦେଶର ସ୍ଥାନୀୟ ମାନବାଧିକାର ସଂଗଠନ କହିଛନ୍ତି ଯେ ଦେଶରେ ବଳାତ୍କାର ମାମଲା ବଢ଼ିଚାଲିଛି। ଏନ୍ ଓ ସଲିଶ ନାମକ ଏକ ସଂସ୍ଥା କହିଛି ଯେ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ୮୮୯ ବଳାତ୍କାର ମାମଲା ରିପୋର୍ଟ ହୋଇଛି ଏବଂ ଏଥିରେ ଅନେକ ଗଣବଳାତ୍କାର ମାମଲା ରହିଛି। ପ୍ରାୟ ୪୧ ପୀଡିତଙ୍କ ମୃତ୍ୟୁ ଘଟିଥିବା ସଂସ୍ଥା କହିଛି ।

ବାଂଲାଦେଶର ମାନବାଧିକାର ସଂଗଠନ ଏହା ମଧ୍ୟ କହିଛନ୍ତି ଯେ ବଳାତ୍କାରର ଅନେକ ମାମଲା ଦବିଯାଉଛି, କାରଣ ପୀଡିତ ମହିଳାମାନେ ପ୍ରଭାବଶାଳୀ ଲୋକଙ୍କ ନିର୍ଯ୍ୟାତନା ତଥା ଚାପକୁ ଭୟ କରୁଛନ୍ତି। ଏଥି ସହିତ ବାଂଲାଦେଶର ନ୍ୟାୟ ବ୍ୟବସ୍ଥା ବହୁତ ମନ୍ଥର ଅଟେ ଯେଉଁଥିପାଇଁ ମାମଲା ଶେଷ କରିବାକୁ ବର୍ଷ ବର୍ଷ ଲାଗିଯାଇଥାଏ।


Share It

Comments are closed.