ଆଜିର ଦିନରେ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ହୋଇଥିଲା ବିଶ୍ୱ ବିଜୟୀ


୨୪ ସେପ୍ଟେମ୍ବର ଆଜିର ଏହି ଦିନଟି ଭାରତୀୟ କ୍ରିକେଟ ଚିମ ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଅତି ସ୍ମରଣୀୟ ଦିନ ଅଟେ । କାରଣ ୧୨ ବର୍ଷେ ପୂର୍ବେ ଆଜିର ହିଁ ଦିନରେ ଭାରତ ପ୍ରଥମ ଟି-୨୦ ବିଶ୍ୱକପ ଜିତି କ୍ରିକେଟ ଜଗତରେ ଏକ ନୂଆ ଇତିହାସ ରଚିଥିଲା । ଟି-୨୦ ବିଶ୍ୱକପ ପ୍ରଥମଥର ପାଇଁ ୨୦୦୭ରେ ଖେଳାଯାଇଥିବାବେଳେ ଧୋନିଙ୍କ ଅଧିନାୟକତ୍ୱରେ ଭାରତ, ପାକିସ୍ତାନକୁ ୫ରନରେ ହରାଇ ଟି-୨୦ ବିଶ୍ୱକପର ପ୍ରଥମ ଟାଇଟେଲକୁ ନିଜ ନାମରେ କରିବାର ଗୌରବ ଅର୍ଜନ କରିଥିଲା । ଭାରତୀୟ ଦଳ ପାଇଁ ଏହି ବିଜୟର ମୁଖ୍ୟ ନାୟକ ଯୋଗେନ୍ଦ୍ର ଶର୍ମା ଥିବାବେଳେ ଟି-୨୦ ବିଶ୍ୱକପ ଫାଇନାଲର ଶେଷ ଓଭରରେ ହିଁ ଭାରତ ଏକ ନାଟକୀୟ ଢଙ୍ଗରେ ବିଜୟ ହାସଲ କରିଥିଲା । ପାକିସ୍ତାନକୁ ବିଜୟ ପାଇଁ ଶେଷ ଓଭରରେ ୧୩ ରନର ଆବଶ୍ୟକତା ଥିବାବେଳେ ସେହି ସମୟରେ କ୍ରିଜରେ ଉପସ୍ଥିତ ଥିଲା ପାକିସ୍ତାନର ବିସ୍ପୋଟକ ବ୍ୟାଟମ୍ୟାନ ମିସବା ୟୁଲ ହକ ଏବଂ ମହମ୍ମଦ ଆସିଫ ।


ସେହିଭଳି ଧୋନିଙ୍କ ପାଖରେ ଶେଷ ଓଭରକୁ ସାରିବା ପାଇଁ ଯୋଗେନ୍ଦ୍ର ଶର୍ମା ଏବଂ ହରଭଜନ ସିଂହଙ୍କ ଭଳି ବୋଲରଙ୍କ ବିକଳ୍ପ ଥିବାବେଳେ କିନ୍ତୁ ଧୋନି ଏଥିପାଇଁ ଯୋଗେନ୍ଦ୍ର ଶର୍ମାଙ୍କୁ ବାଛି ଥିଲେ । ଯୋଗେନ୍ଦ୍ର ଶର୍ମାଙ୍କ ଶେଷ ଓଭରର ପ୍ରଥମ ବଲଟିକୁ ୱାଇଡ ପକାଇ ଥିବାବେଳେ ଅନ୍ୟ ବଲଟି ମିସବା ବିଟ ହୋଇଯାଇଥିଲେ । ସେହିଭଳି ଶେଷ ଓଭରର ଦ୍ୱିତୀୟ ବଲଟିକୁ ଯୋଗେନ୍ଦ୍ର ଏକ ଫୁଲଟୋଚ ବଲ ପକାଇଥିବାବେଳେ ମିସବା ଏକ ହାତଛଡା ନକରି ଏକ ଲମ୍ବା ଛକା ଲଗାଇଥିଲେ । ମିସବାଙ୍କ ଏକ ଛକା ପରେ ଖେଳ ରୋମାଞ୍ଚ ଆହୁରୀ ବଢିଯାଇଥିଲା । ଏହା ପରେ ଶେଷ ଓଭରର ତୃତୀୟ ବଲରେ ମିସବା, ଶ୍ରୀଶାନ୍ତଙ୍କ ହାତରେ କ୍ୟାଚ ଦେଇ ନିଜ ୱିକେଟ ହରାଇ ବସିଥିଲେ ଏବଂ ଭାରତ ଖୁବ ନାଟକୀୟ ଢଙ୍ଗରେ ଟି-୨୦ ବିଶ୍ୱକପର ପ୍ରଥମ ଟାଇଟେଲକୁ ହାସଲ କରିନେଇଥିଲା ।


Share It

Comments are closed.