ପ୍ରଧାନମନ୍ତ୍ରୀଙ୍କ ଦେଶବ୍ୟାପୀ ଲକ୍ ଡାଉନ୍ ଅବଧି ସମ୍ପ୍ରସାରଣ ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ଦେଶରେ କରୋନା ମୁକାବିଲା ସହ ସାମାଜିକ ବନ୍ଧନକୁ ଦୃଢ କରିବ - ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୧୪ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶକୁ ଦେଇଥିବା ସମ୍ବୋଧନରେ ଗୁରୁତ୍ୱପୂର୍ଣ୍ଣ ଦିଗ ତଥା କୋଭିଡ୍ ୧୯ ମହାମାରୀ ବିରୋଧରେ ଲଢ଼େଇ କରିବାର ମାର୍ଗ ଦେଖାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ଦେଶରେ କରୋନା ମୁକାବିଲା କରିବାକୁ ଶକ୍ତି ଯୋଗାଇବ ଓ ସାମାଜିକ ବନ୍ଧନକୁ ଦୃଢ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶବ୍ୟାପୀ ଲକ୍ ଡାଉନ୍ ଅବଧି ମେ ୩ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଏହି ଅଦୃଶ୍ୟ ଶତ୍ରୁକୁ ଦୂର କରିବା ପାଇଁ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।  ସେହିପରି ପ୍ରଧାନମନ୍ତ୍ରୀଙ୍କ ୭ଟି ଦିଗକୁ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

ସେ କହିଛନ୍ତି ଯେ ପିଏମ୍ ମୋଦି ଭାରତର ବିଜୟକୁ ନିଶ୍ଚିତ କରିବାକୁ ୭ଟି ଦିଗରେ ସମର୍ଥନ ଲୋଡ଼ିଛନ୍ତି ଯଥା ବରିଷ୍ଠଙ୍କ ଅଧିକ ଧ୍ୟାନ ରଖିବା, ଲକ୍‌ଡାଉନ୍ ଓ ସାମାଜିକ ଦୂରତାକୁ ପାଳନ କରିବା, ଘର ତିଆରି ମାସ୍କ ବ୍ୟବହାର କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା, ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା, ଗରିବଙ୍କୁ ଖାଇବାକୁ ଦେବା, କର୍ମଚାରୀଙ୍କ ପ୍ରତି ସହାନୁଭୂତି ଦେଖାଇବା ଏବଂ କରୋନା ଯୋଦ୍ଧାଙ୍କୁ ସମ୍ମାନ କରିବା ।

ଏହି ୭ଟି ପଦକ୍ଷେପ ଭାରତକୁ କେବଳ କୋଭିଡ଼୍ ଚ୍ୟାଲେଞ୍ଜ ବିରୁଦ୍ଧରେ ନିଜର ସ୍ଥିତି ବଜାୟ ରଖିବାରେ ସାହାଯ୍ୟ କରିବ ନାହିଁ ବରଂ ଦେଶର ସାମାଜିକ ବନ୍ଧନକୁ ମଜବୁତ୍ କରିବ ଓ ଲୋକଙ୍କ ମଧ୍ୟରେ ବନ୍ଧୁତାକୁ ମଧ୍ୟ ବଢ଼ାଇବ । ଏହି ସଂକଟକୁ ଆମେ ଏକ ରାଷ୍ଟ୍ର ଭାବରେ ଏକାଠୀ ସାମ୍ନା କରିଛୁ ଏବଂ ଆମେ ଏକାଠୀ କାର୍ଯ୍ୟ କରି ଆମେ ଆମର ବିଜୟକୁ ନିଶ୍ଚିତ କରିପାରିବା ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଭାରତ ସରକାର, ରାଜ୍ୟ ସରକାର ଏବଂ ଆମର କରୋନା ଯୋଦ୍ଧା ଓ ୧୩୦ କୋଟିରୁ ଉର୍ଦ୍ଧ୍ୱ ନାଗରିକ ସମୂହଙ୍କ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେପ ଏହା ସୁନିଶ୍ଚିତ କରିଛି ଯେ ଭାରତରେ କରୋନା ଭାଇରସର ସଂପ୍ରସାରଣ ନିୟନ୍ତ୍ରିତ ହୋଇଛି ।

ଦେଶର ନାଗରିକମାନେ ଶୃଙ୍ଖଳିତ ଭାବେ ଲକ୍ ଡାଉନକୁ ପାଳନ କରିବା ତଥା ସାମାଜିକ ଦୂରତାକୁ ଅନୁସରଣ କରିବା କାରଣରୁ ଦେଶରେ କରୋନା ଭାଇରସର ସଂପ୍ରସାରଣକୁ ରୋକାଯିବାରେ ଏକ ପ୍ରମୁଖ ଭୂମିକା ସାବ୍ୟସ୍ତ ହୋଇଛି ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.