କାର୍ ପ୍ରେମୀ ଥିଲେ ନେତାଜୀ, ଆଜି ବି ସୁରକ୍ଷିତ ରହିଛି ତାଙ୍କ କାର୍‌


‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ର ସ୍ଲୋଗାନ ଦେଇଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଆଜି ଜନ୍ମତିଥି । ଆଜାଦ୍ ହିନ୍ଦ୍ ଫୌଜ୍‌ର ସଂସ୍ଥାପକ ଓ ଇଂରେଜଙ୍କ କବଳରୁ ଦେଶକୁ ମୁକ୍ତ କରାଇବାରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇଥିବା ନେତାଜୀଙ୍କର ଜନ୍ମ ୨୩ ଜାନୁଆରୀ ୧୮୯୭ରେ ହୋଇଥିଲା । ନେତାଜୀଙ୍କ ପ୍ରଥମ ପ୍ରେମ ଥିବା ଦେଶର ସ୍ୱାଧୀନତା, କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ, ଯେ ତାଙ୍କର ୨ୟ ପ୍ରେମ କାର୍ ଥିଲା । ସେ କାରର ସୌଖିନ୍ ଥିଲେ । ତାଙ୍କର ଗୋଟିଏ ବହୁତ ପସନ୍ଦର କାର୍‌କୁ ଏବେ ଭାରତର ଐତିହ ରୂପେ ସଂରକ୍ଷିତ ରଖାଯାଇଛି । ଏହି କାର୍ ସ୍ୱାଧୀନତାର ଯାତ୍ରାରେ ନେତାଜୀଙ୍କ ପାଖେ ପାଖେ ରହିଥିଲା ଏବଂ ଅନେନକ ଥର ତାଙ୍କ ଜୀବନ ବଂଚାଇଥିଲା । ନେତାଜୀଙ୍କ ଜୀବନ ଉପରେ ଅନୁସନ୍ଧାନ କରୁଥିବା ବ୍ୟକ୍ତିଙ୍କ ମତରେ, ନେତାଜୀ ଭବନରେ ଅନେକ କାର୍ ରଖାଯାଇଥିଲା । ଏହା ମଧ୍ୟରୁ ଗୋଟିଏ ଥିଲା ୱାଣ୍ଡରର୍ କାର୍ ଯାହାକି ଛୋଟ ଓ ଶସ୍ତା ଥିଲା । ଏହାକୁ ନେତାଜୀଙ୍କ ଗ୍ରେଟ୍ ଏସକେପ୍ ୱାଣ୍ଡରର୍ କାର୍ ମଧ୍ୟ କୁହାଯାଉଥିଲା । ଏହି କାର୍‌କୁ ସାଧାରଣତଃ ମଧ୍ୟଆୟ ବର୍ଗର ଲୋକେ ବ୍ୟବହାର କରୁଥିଲେ । ସେ ସମୟରେ ବ୍ରିଟିଶ ପୁଲିସ୍ ନେତାଜୀଙ୍କ ନଜରବନ୍ଦୀ ରଖିଥିଲା । କିନ୍ତୁ ବିଚକ୍ଷଣ ବୁଦ୍ଧିର ମାଲିକ ନେତାଜୀ ଭଲଭାବେ ଜାଣିଥିଲେ ଅନ୍ୟ କେଉଁ କାର୍ ବ୍ୟବହାର କଲେ ତାହା ସହଜରେ ବ୍ରିଟିଶ ପୁଲିସ୍‌ର ନଜର୍‌କୁ ଆସିଯାଇପାରିବ । ତେଣୁ ଇଂରେଜଙ୍କ ଆଖିରେ ଧୂଳି ଦେବା ପାଇଁ ସେ ଏହି ୱାଣ୍ଡରର୍ କାରକୁ ବାଛିଥିଲେ । ୧୮ ଜାନୁଆରୀ, ୧୯୪୧ରେ ଏହି କାର୍ ଯୋଗେ ନେତାଜୀ ନିଜ ପୁତୁରା ଶିଶିରଙ୍କ ସହ ଗୋମୋ ରେଳ ଷ୍ଟେସନ ପହଂଚିଥିଲେ ଓ ସେଠାରୁ କାଲକା ମେଲ୍ ଧରି ଦିଲ୍ଲୀ ଚାଲିଯାଇଥିଲେ । ଏହି କାରଣରୁ ଏହାକୁ ନେତାଜୀଙ୍କ ଗ୍ରେଟ୍ ଏସକେପ୍ କାର୍ କୁହାଯାଉଥିଲା । ପ୍ରାୟ ୫୮ ବର୍ଷ ପରେ ୨୦୧୭ରେ ଏହି ବ୍ଲାକ୍ ଜର୍ମାନ୍ ୱାଣ୍ଡରର୍ କାରକୁ ପୁନରୁଦ୍ଧାର କରାଯାଇ ମ୍ୟୁଜିୟମରେ ପ୍ରଦର୍ଶିତ କରାଯାଇଥିଲା ।


ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଓଡିଶାର କଟକ ସହରରେ ହୋଇଥିଲା । କଟକରେ ପ୍ରାଥମିକ ଶିକ୍ଷା ପୂରା କରିବା ପରେ ସେ ରେଭେନ୍‌ଶା କଲେଜିଏଟ୍ ସ୍କୁଲ୍‌ରେ ନାମ ଲେଖାଇଥିଲେ ଏବଂ ପରେ ସେ କୋଲ୍‌କାତା ୟୁନିଭର୍ସିଟିରେ ପାଠ ପଢିଥିଲେ । ୧୯୧୯ରେ ବିଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିବା ସହ ବିଶ୍ୱବିଦ୍ୟାଳୟରେ ୨ୟ ସ୍ଥାନ ହାସଲ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଜାନକୀ ନାଥ ବୋଷ; ଯିଏକି ଜଣେ ପ୍ରଖ୍ୟାତ ଓକିଲ ଥିଲେ ଓ ମା’ଙ୍କ ନାମ ଥିଲା ପାର୍ବତୀ ଦେବୀ । ୨୦ ଜୁଲାଇ ୧୯୨୧ରେ ସେ ସୁବାଷ ବୋଷ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀଙ୍କୁ ଭେଟିଥିଲେ । ଗାନ୍ଧୀଜୀଙ୍କ ପରାମର୍ଶକ୍ରମେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ କାମ କରିବା ଆରମ୍ଭ କରିଥିଲେ । ଭାରତର ସ୍ୱାଧୀନତା ସହ ସାମାଜିକ କାର୍ଯ୍ୟରେ ମଧ୍ୟ ସେ ମଗ୍ନ ରହୁଥିଲେ । ପଶ୍ଚିମବଙ୍ଗର ଭୟଙ୍କର ବନ୍ୟାରେ ନେତାଜୀ ପ୍ରଭାବିତ ଲୋକକଙ୍କୁ ଖାଦ୍ୟ, ବସ୍ତ୍ର ଯୋଗାଇବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇଥିଲେ । ସାମାଜିକ କାର୍ଯ୍ୟ ନିୟମିତ ଭାବେ ଜାରି ରଖିବା ପାଇଁ ସେ ଯୁବକ-ଦଳର ଗଠନ କରିଥିଲେ । ୧୯୩୪ରେ ନେନତାଜୀ ଅଷ୍ଟ୍ରିଆରେ ରହିବା ସମୟରେ ନିଜ ପୁସ୍ତକ ଲେଖିବା ପାଇଁ ଇଂରାଜୀ ଜାଣିଥିବା ଜଣେ ଟାଇପିଷ୍ଟଙ୍କ ସନ୍ଧାନରେ ଥିଲେ । ନେତାଜୀଙ୍କର ଜଣେ ବନ୍ଧୁ ତାଙ୍କୁ ଏମିଲି ସେଙ୍କଲଙ୍କ ସହ ସାକ୍ଷାତ କରାଇଥିଲେ । ଏମିଲି ନେତାଜୀଙ୍କ ଟାଇପିଷ୍ଟ ଭାବେ କାମ କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଏବଂ ପରେ ଦୁହେଁ ୧୯୪୨ରେ ବିବାହ କରିଥିଲେ । ଏମିଲିଙ୍କ ସହ ନେତାଜୀଙ୍କର ଗୋଟିଏ ଝିଅ ଥିଲା ଯାହାଙ୍କ ନାମ ଥିଲା ଅନିତା ବୋଷ ଫାଫ୍ । ନେତାଜୀ ନିଜ ଜୀବନକାଳ ମଧ୍ୟରେ ମୋଟ ୧୧ ଥର ଜେଲଦଣ୍ଡ ଭୋଗିଥିଲେ । ପ୍ରଥମେ ତାଙ୍କୁ ୧୬ ଜୁଲାଇ ୧୯୨୧ରେ ୬ ମାସର କାରାବାସ ଦିଆଯାଇଥିଲା । ଇଂରେଜଙ୍କ ବିରୋଧରେ ଲଢିବା ପାଇଁ ନେତାଜୀ ଆଜାଦ୍ ହିନ୍ଦ ଫୌଜ୍‌ର ଗଠନ କରିଥିଲେ । ୧୮ ଅଗଷ୍ଟ ୧୯୪୫ରେ ତାଇୱାନ୍‌ରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ଘଟିଥିବା କୁହାଯାଏ । କିନ୍ତୁ ତାଙ୍କର ମୃତ୍ୟୁ ଆଜି ବି ଏକ ବଡ ରହସ୍ୟ ହୋଇ ରହିଛି । କାରଣ ଏହି ବିମାନ ଦୁର୍ଘଟଣା ସମ୍ପର୍କରେ ଆଜି ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।


Share It

Comments are closed.