ଦୂରଦର୍ଶନରେ ପୁଣିଥରେ ପ୍ରସାରିତ ହେବ ‘ଦ ଜଙ୍ଗଲ୍ ବୁକ୍‌’


ନୂଆଦିଲ୍ଲୀ,୮ ଏପ୍ରିଲ ୨୦୨୦: କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଏବେ ଦେଶବ୍ୟାପୀ ୨୧ ଦିନର ଲକ୍‌ଡାଉନ୍ ଜାରି ରହିଛି । ସମସ୍ତ ଫିଲ୍ମ ଓ ଟିଭି ଶୋଗୁଡିକର ସୁଟିଙ୍ଗ୍ ମଧ୍ୟ ବନ୍ଦ ରହିଛି । ତେଣୁ ଟିଭି ଚ୍ୟାନେଲଗୁଡିକ ଭିନ୍ନ ଭିନ୍ନ ଶୋ’ର ରିପିଟ୍ ଟେଲିକାଷ୍ଟ କରିବା ସହ କିଛି ପୁରୁଣା ଶୋ’ ପୁଣିଥରେ ପ୍ରସାରଣ କରୁଛନ୍ତି । ଏହିକ୍ରମରେ ଲୋକଙ୍କ ଭାରି ଚାହିଦାକୁ ଦୃଷ୍ଟିରେ ରଖି ଦୂରଦର୍ଶନ ମଧ୍ୟ ନିଜର ଲୋକପ୍ରିୟ ଶୋ’ଗୁଡିକୁ ପୁଣିଥରେ ପ୍ରସାରଣ ଆରମ୍ଭ କରିଛି । ନିକଟରେ ରାମାୟଣ, ମହାଭାରତ, ବ୍ୟୋମକେଶ ବକ୍ସି ଓ ଶକ୍ତିମାନ ଭଳି ଟିଭି ଶୋ’ର ପ୍ରସାରଣ ଆରମ୍ଭ କରାଯାଇଛି । ଏବେ ଦୂରଦର୍ଶନ ପକ୍ଷରୁ ପିଲାମାନଙ୍କ ପ୍ରିୟ ଟିଭି ଶୋ’ ଦ ଜଙ୍ଗଲ୍ ବୁକ୍‌କୁ ମଧ୍ୟ ପ୍ରସାରଣ କରାଯିବାକୁ ନିଷ୍ପତି ନିଆଯାଇଛି । ଦୂରଦର୍ଶନରେ ଖୁବ୍ ଲୋକପ୍ରିୟ ହୋଇଥିବା ଶୋ’ ‘ଦ ଜଙ୍ଗଲ ବୁକ୍‌’ ଆଜିଠାରୁ ଅର୍ଥାତ୍ ଏପ୍ରିଲ ୮ ତାରିଖରୁ ପ୍ରସାରିତ ହେବ । ଏହି ଶୋ’ ପିଲାମାନଙ୍କ ସମେତ ବଡ ଲୋକଙ୍କର ମଧ୍ୟ ଖୁବ୍ ପସନ୍ଦ । ଦୂରଦର୍ଶନ ଏହାର ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଜାରି କରି କହିଛି ଯେ, ଦ ଜଙ୍ଗଲ ବୁକ୍ ଏପ୍ରିଲ ୮ ତାରିଖରୁ ପ୍ରତ୍ୟେକ ଦିନ ଦ୍ୱିପହର ୧ଟାରୁ ଆରମ୍ଭ ହେବ । ଏହାଛଡା ଏକଦା ଖୁବ୍ ଲୋକପ୍ରିୟ ଥିବା ରମେଶ ସିପ୍ପିଙ୍କ ଶୋ ‘ବୁନିୟାଦ’ର ମଧ୍ୟ ପୁନଃ ପ୍ରସାରଣ କରାଯିବ । ପ୍ରତିଦିନ ସନ୍ଧ୍ୟା ୫ଟାରେ ଦୂରଦର୍ଶନରେ ଏହି ଶୋ’ ପ୍ରସାରିତ ହେବ ।


Share It

Comments are closed.