କରୋନାରୁ ବଞ୍ଚିବା ପାଇଁ ଭାରତୀୟ ରେଳ ବିଭାଗର କମାଲ, ପ୍ରସ୍ତୁତ କଲା ଏପରି ଯନ୍ତ୍ର


କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧିପାଇବାରେ ଲାଗିଛି । ଦେଶବ୍ୟାପୀ ଲକ୍‌ଡାଉନ୍ ଲାଗୁ କରାଯାଇଛି । କରୋନାର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମେତ ପ୍ରଶାସନ ସ୍ତରରେ ଓ ସାଧାରଣ ନାଗରିକମାନେ ମଧ୍ୟ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । କରୋନା ଭାଇରସ୍ ସଂକ୍ରମଣରୁ ବଂଚିବା ପାଇଁ ଅହମ୍ମଦାବାଦର ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଟନେଲ ନିର୍ମାଣ କରାଯାଇଥିବା ବେଳେ ଚେନ୍ନାଇ ଓ ଭୋପାଳରେ ମଧ୍ୟ ଏଭଳି ଟନେଲ ଦେଖିବାକୁ ମିଳିଛି । ଏବେ କରୋନାରୁ ବଂଚିବା ପାଇଁ ସ୍ୱତନ୍ତ୍ର ଟନେଲ ନିର୍ମାଣକାରୀଙ୍କ ମଧ୍ୟରେ ଭାରତୀୟ ରେଳ ବିଭାଗର ନାମ ମଧ୍ୟ ସାମିଲ ହୋଇଛି । ହରିଆନାର ଯମୁନାନଗର ଜିଲ୍ଲାରେ ଥିବା ଭାରତୀୟ ରେଳ ବିଭାଗର ଜଗାଧାରୀ ୱର୍କସପ୍‌ରେ ସ୍ୱତନ୍ତ୍ର ପ୍ରକାରର ଫ୍ୟୁମିଗେସନ୍ ଟନେଲ ନିର୍ମାଣ କରାଯାଇଛି । ଏହି ଫ୍ୟୁମିଗେସନ ଟନେଲ ବା ସାନିଟାଇଜେସନ୍ ରୁମ୍‌କୁ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ନିର୍ମାଣ କରାଯାଇଛି । ଭାରତୀୟ ରେଳ ବିଭାଗ ନିଜ ଟ୍ୱିଟର୍ ହ୍ୟାଣ୍ଡେଲ୍‌ରେ ଏକ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇଛି । ଜଣେ ବ୍ୟକ୍ତି ଏହି ଟନେଲରେ ପ୍ରବେଶ କରିବା ମାତ୍ରେ ଫ୍ୟୁମିଗେସନ ସ୍ପ୍ରେ ଆରମ୍ଭ ହୋଇଥାଏ ଏବଂ ଆଉଟ୍‌ଗେଟ୍ ପର୍ଯ୍ୟନ୍ତ ବାହାରିବା ବେଳକୁ ତାଙ୍କ ଶରୀର ସମ୍ପୂର୍ଣ୍ଣ ରୂପେ ସାନିଟାଇଜ୍ ବା ଜୀବାଣୁମୁକ୍ତ ହୋଇଯାଇଥାଏ । ରେଳ ବିଭାଗର ଦାବି ମୁତାବକ, ଏଂଟ୍ରି ଗେଟ୍‌ରୁ ପ୍ରବେଶ କରି ଆଉଟ୍ ଗେଟ୍‌ରୁ ବାହାରିବା ପର୍ଯ୍ୟନ୍ତ ଅବଧିରେ ସମ୍ପୂର୍ଣ୍ଣ ଶରୀର ସାନିଟାଇଜ୍ ହୋଇଯାଇଥାଏ । ଆଗାମୀ ଦିନରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ଦିଗରେ ରେଳ ବିଭାଗ ଏହାକୁ ଷ୍ଟେସନଗୁଡିକରେ ବ୍ୟବହାର କରିପାରେ ।


Share It

Comments are closed.