ବିଶ୍ୱରେ କରୋନାର ଭୟାବହତା ମଧ୍ୟରେ ଚୀନ୍‌ର ପର୍ଯ୍ୟଟନ ସ୍ଥଳୀଗୁଡିକରେ ଲୋକଙ୍କ ଭିଡ, ଭିଡିଓ ଭାଇରାଲ


ଚୀନ୍‌ର ଉହାନ ସହରରୁ ବ୍ୟାପିଥିବା ଘାତକ କରୋନା ଭାଇରସ୍ ଏବେ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିଛି । କରୋନା ମହାମାରୀ ଯୋଗୁ ବିଶ୍ୱବ୍ୟାପୀ ଲକ୍‌ଡାଉନ୍ ଜାରି ରହିଛି । କରୋନାକୁ ହରାଇବା ପାଇଁ ସାମାଜିକ ଦୂରତା ଓ ଲକ୍‌ଡାଉନ୍ ଜାରି ରହିଛି । ଏହି ଘାତକ କରୋନା ଭୂତାଣୁ ଯୋଗୁଁ ଚୀନ୍‌ରେ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ ହଜାରରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି । କିନ୍ତୁ ଏବେ ଚୀନ୍‌ରୁ ଆସିଥିବା କିଛି ଚିତ୍ର ଲୋକଙ୍କୁ ଚକିତ କରିଛି । ୩ ମାସର ଲକ୍‌ଡାଉନ୍ ଶେଷ ହେବା ପରେ ଚୀନ୍‌ର ପର୍ଯ୍ୟଟନସ୍ଥଳୀଗୁଡିକରେ ହଜାର ହଜାର ଲୋକ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଚେତାବନୀ ସତ୍ୱେ ପର୍ଯ୍ୟଟନସ୍ଥଳୀଗୁଡିକରେ ଲୋକ ଭିଡ ଜମାଉଛନ୍ତି । ଚୀନ୍‌ର ପେଇଚିଙ୍ଗ୍‌ଠାରୁ ଆରମ୍ଭ କରି ସାଂଘାଇ ପର୍ଯ୍ୟନ୍ତ ସବୁଠି ଏହି ସ୍ଥିତି ଦେଖିବାକୁ ମିଳିଛି ।

ଚୀନ୍‌ର ଅନ୍‌ହୁଇ ପ୍ରାନ୍ତରେ ଥିବା ହୋଙ୍ଗ୍‌ସାନ୍ ମାଉଂଟେନ୍ ପାର୍କରେ ହଜାର ହଜାର ସଂଖ୍ୟକ ଲୋକ ଫେସ୍ ମାକ୍ସ ଲଗାଇ ବୁଲିଥିବାର ଦେଖାଯାଇଛି । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀଗୁଡତକରେ ପ୍ରଶାସନ ପକ୍ଷରୁ ନୋଟିସ୍ ଲଗାଯାଇ ଗୋଟିଏ ଦିନରେ ୨୦ ହଜାରରୁ ଅଧିକ ଲୋକ ଜମା ହୋଇପାରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷରେ ସାଂଘାଇର ପାର୍କ ଓ ରେଷ୍ଟୁରାଂଟ୍‌ଗୁଡିକରେ ମଧ୍ୟ ଲୋକଙ୍କ ଭିଡ ଜମୁଛି । ରେଷ୍ଟୁରାଂଟ୍‌ଗୁଡିକ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରି-ବୁକିଙ୍ଗ୍ ଆରମ୍ଭ କରିଛନ୍ତି । ଚୀନ୍‌ରେ ଏବେ ପ୍ରଶାସନ ପକ୍ଷରୁ ଧିରେ ଧିରେ ପ୍ରତିବନ୍ଧକ ହଟାଯାଉଥିବା ବେଳେ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଆବେଦନ କରାଯାଉଛି । ଅନ୍ୟପକ୍ଷରେ ଚୀନ୍‌ରେ ଗତ ରବିବାର କରୋନା ସଂକ୍ରମଣର ୩୯ଟି ନୂଆ ମାମଲା ସାମ୍‌ନାକୁ ଆସିବା ପରେ ତାହା ଚୀନ୍ ସରକାରଙ୍କ ଚିନ୍ତା ବଢାଇଛି । ଚୀନ୍‌ର ବିଶେଷଜ୍ଞମାନେ ଏହି ଭାଇରସର ସଂକ୍ରମଣ ଏପ୍ରିଲ ଶେଷ ଆଡକୁ ପୁଣିଥରେ ଦେଶକୁ ଫେରିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ ।


Share It

Comments are closed.