ଭବିଷ୍ୟତରେ ଟାଟା ଷ୍ଟିଲ ପାଇଁ ବିପୁଳ ସମ୍ଭାବନା: ଅଧ୍ୟକ୍ଷ ଶ୍ରୀ ଏନ୍ ଚନ୍ଦ୍ରଶେଖରନ୍‌


ଭୁବନେଶ୍ୱର: ଟାଟା ଷ୍ଟିଲ୍‌ର ୧୧୬ତମ ବାର୍ଷିକ ସାଧାରଣ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଟାଟା ଷ୍ଟିଲ୍‌ର ଅଧ୍ୟକ୍ଷ ଶ୍ରୀ ଏନ୍ ଚନ୍ଦ୍ରଶେଖରନ୍ ଅଂଶଧନକାରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଅଭିଭାଷଣରେ କଂପାନିର ଆର୍ଥିକ ପ୍ରଦର୍ଶନ ଓ ଭବିଷ୍ୟତ ଯୋଜନା ବିଷୟରେ ଆଲୋକପାତ କରିଛନ୍ତି ।
ଏକ ସରଳ ଗଭର୍ଣ୍ଣାସ ଢାଂଚା ଉପରେ କଂପାନି ଗୁରୁତ୍ୱାରୋପ କରୁଛି । ଭାରତରେ ଉଭୟ ପୁଞ୍ଜି ସମ୍ପ୍ରସାରଣ ଓ ଅଧିଗ୍ରହଣ ଜରିଅେରେ କଂପାନି ଏହାର ବ୍ୟବସାୟକୁ ବଢ଼ାଇବା ଜାରି ରଖିବ ଏବଂ ୨୦୩୦ ସୁଦ୍ଧା ଭାରତର କ୍ଷମତାକୁ ୪୦ ନିୟୁତ ଟନ୍‌ରେ ପହଂଚାଇବା ଲକ୍ଷ୍ୟ ହାସଲ କରିବାକୁ କଂପାନି ଉଦ୍ୟମ କରିବ ବୋଲି ଶ୍ରୀ ଚନ୍ଦ୍ରଶେଖରନ କରିଛନ୍ତି ।
ସେ କହିଛନ୍ତି ଯେ ଲଙ୍ଗ୍ ପ୍ରଡକ୍ଟରେ ଆମେ ନେତୃତ୍ୱ ସ୍ଥାନ ହାସଲ କରିବାକୁ ଉଦ୍ୟମ କରୁଛୁ । ସେଥିପାଇଁ ଆମେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌)ର ଅଧିଗ୍ରହଣ କରିଛୁ । ଏନ୍‌ଆଇଏନ୍‌ଏଲ୍‌ର ଉତ୍ପାଦନକୁ ତାହାର କ୍ଷମତା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କଳିଙ୍ଗନଗର ବ୍ୟବସ୍ଥାର ଏକ ଅଂଶ ହୋଇଥିବାରୁ ଭବିଷ୍ୟତରେ ଆଗକୁ ବଢ଼ିବା ପାଇଁ ଏନ୍‌ଆଇଏନ୍‌ଏଲ୍ ବହୁତ ଭଲ ସ୍ଥିତିରେ ରହିଛି ବୋଲି ସେ କହିଛନ୍ତି ।
କାର୍ବନ ନିର୍ଗମନ କମ୍ ଥିବା ଇସ୍ପାତ ପ୍ରଯୁକ୍ତିରେ କଂପାନି ନିବେଶ ଜାରି ରହିଛି । ସ୍କ୍ରାପ୍ ବ୍ୟବହାର କରି ଇଲେକ୍ଟ୍ରିକ୍ ଆର୍କ ଫର୍ଣ୍ଣାସ୍ ଭିତିକ ଇସ୍ପାତର ଲମ୍ବା ଉତ୍ପାଦକୁ ଲୁଥିଆନାରେ ଉତ୍ପାଦନ କରିବା ପାଇଁ କଂପାନି ପକ୍ଷରୁ ପଞ୍ଜାବ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି । ତାହାର ଉତ୍ପାଦନ କ୍ଷମତା ୦.୭ ଏମ୍‌ଟିପିଏ ରହିଛି । ଏହି କାରଖାନା ଦୁଇ ବର୍ଷରେ କାର୍ଯ୍ୟକ୍ଷମ ହେବ ।
ଟାଟା ଷ୍ଟିଲ୍ ନେଦରଲ୍ୟାଣ୍ଡ୍ ଓ ଟାଟା ଷ୍ଟିଲ୍ ୟୁକେ ଇସ୍ପାତ ଡେଲିଭରି ବଢ଼ାଇବା, ପ୍ରଦର୍ଶନରେ ଉନ୍ନତି ଆଣିବା ଓ ପରିଚାଳନା ଖର୍ଚ୍ଚ କମ୍ କରିବା ଉପରେ ଗୁରୁତ୍ୱ ଜାରି ରଖିବେ ।
ଦୀର୍ଘସ୍ଥାୟିତ୍ୱ ପ୍ରତି ଟାଟା ଷ୍ଟିଲ୍ ପ୍ରତିବଦ୍ଧ ରହିଛି ଏବଂ ନିଜ ବ୍ୟବସାୟ ପରିଚାଳନାରେ ଦୀର୍ଘସ୍ଥାୟୀ ବ୍ୟବସାୟ ପ୍ରଥାକୁ ଯୋଡ଼ିଛି । ୨୦୪୫ ସୁଦ୍ଧା ନେଟ୍ ଜିରୋ ଏମିସନ୍ ପାଇଁ କଂପାନି ଲକ୍ଷ୍ୟ ରଖିଛି । ତାହାର ଅଂଶ ସ୍ୱରୂପ ପ୍ରୋଜେକ୍ଟ ଆଲିଙ୍ଗାନା ପ୍ରସ୍ତୁତ କରାଯାଛି ଯେଉଁଥିରେ କଂପାନିର ବ୍ୟବସାୟ ଓ ମୂଲ୍ୟ ଶୃଙ୍ଖଳାକ ଡିକାର୍ବନାଇଜେସନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।
ଭବିଷ୍ୟତରେ ଟାଟା ଷ୍ଟିଲ୍ ପାଇଁ ବିପୁଳ ସୁଯୋଗ ରହିଛି ଏବଂ ତାହାର ଲାଭ ହାସଲ କରିବା ଲାଗି କଂପାନି ବହୁତ ଭଲ ସ୍ଥିତିରେ ରହିଛି । ଆମର ଯାତ୍ରା ଜାରି ରହିଥିବା ବେଳେ ପରିଚାଳନା ଟିମ୍ ଗ୍ରାହକ କୈନ୍ଦ୍ରୀକତା, ପ୍ରଯୁକ୍ତି, ଡିଜିଟାଲ୍ ଓ ଦୀର୍ଘସ୍ଥାୟୀ ଅଭିଯାନ ଉପରେ ଗୁରୁତ୍ୱ ପ୍ରଦାନ କରି ବିଶ୍ୱ ଇସ୍ପାତ ଶିଳ୍ପରେ କଂପାନିର ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିରେ ଉନ୍ନତି ଆଣୁଛନ୍ତି । ନିଜ ଅଭିବୃଦ୍ଧି ରଣନୀତିକୁ କାର୍ଯ୍ୟକାରୀ କରିବା ପାଇଁ କଂପାନି ଆର୍ଥିକ ସ୍ତରରେ ଦୃଢ଼ ସ୍ଥିତିରେ ରହିଛି ଯାହା ଜରିଆରେ ନଗଦ ପ୍ରବାହ ଜାରି ରହିବ ଏବଂ ଅଂଶଧନକାରୀଙ୍କ ପାଇଁ ଦୀର୍ଘସ୍ଥାୟୀ ମୂଲ୍ୟ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି ।
କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)ରେ କଂପାନି ୨୦୨୨-୨୩ରେ ୪୮୧ କୋଟି ଟଙ୍କା ବ୍ୟୟ କରିଛି । କୋଭିଡ୍ ପରବର୍ତୀ ଆହ୍ୱାନର ମୁକାବିଲା, ଜଳପାୟୁ ପରିବର୍ତନ ପ୍ରଭାବକୁ ପ୍ରତିହତ କରିବା, ଅଧିକାରରେ ଉନ୍ନତି ଆଣିବା ଏବଂ ବ୍ୟବସାୟରେ ସଚେତନତା ବଢ଼ାଇବା ଦିଗରେ କଂପାନି କାର୍ଯ୍ୟ କରିଛି । ଟାଟା ଷ୍ଟିଲ୍ ୩.୧୫ ନିୟୁତରୁ ଅଧିକ ଜୀବନକୁ ସ୍ପର୍ଶ କରିପାରିଛି ।
୨୦୨୨-୨୩ ଆର୍ଥିକ ବର୍ଷରେ ଟାଟା ଷ୍ଟିଲ୍‌ର ରାଜସ୍ୱ ୧,୨୯,୦୦୭ କୋଟି ଟଙ୍କା ରହିଥିବା ବେଳେ ଟିକସ ପରବର୍ତୀ ଲାଭ ୧୫,୪୯୫ କୋଟି ଟଙ୍କା ରହିଛି । ବ୍ରିଟେନ କାରଖାନାର ୬ ବିଲିଅନ ବ୍ରିଟିଶ ପାଉଣ୍ଡ ଷ୍ଟିଲ ପେନ୍‌ସନ୍ ସ୍କିମ୍‌ର ସମ୍ପୂର୍ଣ୍ଣ ବୀମା କରିବାରେ କଂପାନି ସଫଳ ହୋଇଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ଥିକ ବର୍ଷ ପାଇଁ କଂପାନି ପକ୍ଷରୁ ଇକ୍ୱିଟି ସେୟାର ପିଛା ୩ ଟଙ୍କା ୬୦ ପଇସାର ଲାଭାଂଶ ଘୋଷଣା କରାଯାଇଛି ।


Share It

Comments are closed.