କେନ୍ଦ୍ରୀୟ ଜିଏସ୍‌ଟି ଓ ସୀମା ଶୁଳ୍କ ବିଭାଗ ଭୁବନେଶ୍ୱର ଜୋନ୍‌ର ୨୦୨୦-୨୧ ରାଜସ୍ୱରେ ୧୪% ଅଭିବୃଦ୍ଧି ହାସଲ


ଭୁବନେଶ୍ୱର: ଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କର ଭୁବନେଶ୍ୱର ଜୋନ୍ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪%ର ରେକର୍ଡ ଅଭିବୃଦ୍ଧି ସହିତ ୩୯,୬୭୧ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି । ଯାହାକି ୨୦୧୯-୨୦ ଆର୍ଥିକ ବର୍ଷରେ ୩୪,୮୧୭ କୋଟି ଟଙ୍କା ଥିଲା । ଜୋନ୍‌ର ଆଇଆର୍‌ଏସ୍ ଚିଫ୍ କମିଶ୍‌ନର ଶ୍ରୀ ଆର୍ ମଙ୍ଗା ବାବୁ ଏହି ସୂଚନା ଦେଇଛନ୍ତି । ୨୦୨୦-୨୧ ପାଇଁ ରାଜସ୍ୱ ସଂଗ୍ରହରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମୁଖ୍ୟ ଯୋଗଦାନ ଥିଲା, ଯାହା ୨୦୧୯-୨୦ର ୨୦,୫୩୧ କୋଟି ଟଙ୍କା ତୁଳନାରେ ୨୧.୪% ବୃଦ୍ଧି ହୋଇ ୨୦୨୦-୨୧ରେ ୨୪,୯୧୮ କୋଟି ଟଙ୍କା ରହିଛି । ସେହିପରି ସୀମା ଶୁଳ୍କ ୨୦୧୯-୨୦ ଆର୍ଥିକ ବର୍ଷର ୫୦୪୨ କୋଟି ଟଙ୍କା ତୁଳନାରେ ୨୩.୨୨% ବୃଦ୍ଧି ହୋଇ ୬୨୧୩ କୋଟି ଟଙ୍କା ରହିଛି । କେନ୍ଦ୍ରୀୟ ଟିକସ ଆଇନ ଅଧୀନରେ କରଦାତାଙ୍କଠାରୁ ସଂଗୃହିତ ଜିଏସ୍‌ଟି ରାଜସ୍ୱ ୮୫୪୧ କୋଟି ଟଙ୍କାକୁ ହ୍ରାସ ପାଇଛି ଯାହା ୨୦୧୯-୨୦ ଆର୍ଥିକ ବର୍ଷରେ ୯୨୪୫ କୋଟି ଟଙ୍କା ଥିଲା । କଷ୍ଟମ୍‌ସ ପ୍ରିଭେନ୍‌ଟିଭ୍ କମିଶନ୍‌ରେଟ୍‌, ଭୁବନେଶ୍ୱରର ଅଧିକାରୀମାନେ ଗତ ଆର୍ଥିକ ବର୍ଷରେ ଯଥାକ୍ରମେ ୦.୬୦ କୋଟି ଟଙ୍କା ଓ ୧.୯୮ କୋଟି ଟଙ୍କାର ସୁନା ଓ ସିଗାରେଟ୍ ଜବତ କରିଥିଲେ ।
ଶ୍ରୀ ଆର୍ ମଙ୍ଗା ବାବୁଙ୍କ ସୂଚନା ମୁତାବକ, କୋଭିଡ୍‌-୧୯ ମହାମାରୀର ସଂକ୍ରମଣ ଶୀର୍ଷରେ ଥିବାବେଳେ ପାରାଦ୍ୱୀପ, ଗୋପାଳପୁର ଓ ଧାମରା ବନ୍ଦରଠାରେ ସଠିକ୍ ସମୟରେ ପରିଚାଳନାକୁ ସୁନିଶ୍ଚିତ କରାଯାଉଥିଲା । ମୋଟ ୩୩ଟି ବନ୍ଦେ ମାତରମ୍ ଭାରତ ଫ୍ଲାଇଟ୍ ବ୍ୟବସ୍ଥା କରିବା ଓ ୩୬୮୭ ଜଣ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ଅଧିକାରୀମାନେ କଠିନ ପରିଶ୍ରମ କରିଥିଲେ । ସେହିପରି ଗତ ଆର୍ଥିକ ବର୍ଷରେ ନକଲି ଜିଏସ୍‌ଟି ବିଲ୍‌ର ଇସ୍ୟୁୟର ଓ ରିସିଭର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୪୨.୩୪ କୋଟି ଟଙ୍କାର ଟିକସ ଚିହ୍ନଟ କରାଯିବା ସହ ୫.୬୩ କୋଟି ଟଙ୍କା ଆଦାୟ କରାଯାଇଛି । ସମାନ ଭାବେ ଡାଟା ଆନାଲିଟିକ୍ସ, ଆଂଟି-ଇଭାସନ୍‌, ଅଡିଟ୍ ଓ ରିଟର୍ଣ୍ଣ ଆଦି ଆଧାରରେ ୯୦୪ କୋଟି ଟଙ୍କା ଆଦାୟ କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ୨୭୦୯ କୋଟି ଟଙ୍କାର ମୋଟ ୧୧୬୨ଟି ଦାବି ସମାଧାନ କରାଯାଇଛି । ସ୍ୱଚ୍ଛତା ପ୍ରକଳ୍ପ ଅଧୀନରେ ଭୁବନେଶ୍ୱର ଜୋନ୍ ପୁରୀର ସାକ୍ଷୀଗୋପାଳଠାରେ ଏକ ସରକାରୀ ବିଦ୍ୟାଳୟକୁ ପୋଷ୍ୟ ରୂପେ ଗ୍ରହଣ କରିଛି ଏବଂ ସେଠାରେ ଉନ୍ନତୀକରଣ କାର୍ଯ୍ୟ କରୁଛି । ସିଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ, ଭୁବନେଶ୍ୱର ଜୋନ୍‌ର ମୁଖ୍ୟ କମିଶ୍‌ନର ରାଷ୍ଟ୍ର ନିର୍ମାଣ ପାଇଁ ଜୋନ୍ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ରାଜସ୍ୱ ଲକ୍ଷ୍ୟକୁ ହାସଲ କରିବା ଦିଗରେ ସେମାନଙ୍କର ସହାୟତା ପାଇଁ ସମସ୍ତ ହିତାଧିକାରୀଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି ।


Share It

Comments are closed.