ଆଦିତ୍ୟ ଓ ଆନ୍ନାଙ୍କ କଡା ସୁରକ୍ଷା ପ୍ରଦାନ କରି ସଚିନ ଏବଂ ଗାଭାଷ୍କରଙ୍କ ସୁରକ୍ଷାକୁ ହ୍ରାସ କଲେ ମହାରାଷ୍ଟ୍ର ସରକାର


କ୍ରିକେଟ ଆଇକନ୍‌ ସଚିତ ତେନ୍ଦୁଲକରଙ୍କ ସୁରକ୍ଷା ହ୍ରାସ କରିଛନ୍ତି ମହାରାଷ୍ଟ୍ର ସରକାର। ସଚିନଙ୍କୁ ଏକ୍ସ କାଟାଗୋରି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଉଥିଲାବେଳେ ତାହାକୁ ସରକାର ହ୍ରାସ କରିଦେଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ବିଧାୟକ ଆଦିତ୍ୟ ଠାକରେଙ୍କ ସୁରକ୍ଷା ବ୍ୟବସ୍ଥାକୁ ‘ୱାଇ’ କାଟାଗୋରିରୁ ଜେଡ୍‌ କାଟାଗୋରିକୁ ଉନ୍ନିତ କରାଯାଇଛି।

ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏକ୍ସ କାଟାଗୋରିରେ ସଚିନଙ୍କ ସାଥୀରେ ସବୁବେଳେ ଜଣେ ପୁଲିସ କନଷ୍ଟେବଳ ସୁରକ୍ଷା ଦାୟିତ୍ଵରେ ରହୁଥିଲେ। ବର୍ତ୍ତମାନ ସୁରକ୍ଷା ହ୍ରାସ କରାଯାଇଥିଲେ ବି ସଚିନଙ୍କୁ ପୁଲିସ ଏସକର୍ଟ ମିଳିପାରେ। ସେହିପରି ବିଜେପି ନେତା ଏକନାଥ ଖଡସେଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ମିଳୁଥିବାବେଳେ ତାଙ୍କ ପାଇଁ ଥିବା ପୁଲିସ ଏସକର୍ଟକୁ ହଟାଇ ଦିଆଯାଇଛି।

ଏହା ସହିତ ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ରାମ ନାଏକଙ୍କ ସୁରକ୍ଷାକୁ ମଧ୍ୟ ଜେଡ୍‌ ପ୍ଲସ ଶ୍ରେଣୀରୁ ହଟାଯାଇ ଏକ୍ସ ଶ୍ରେଣୀଭୁକ୍ତ କରାଯାଇଛି। ବରିଷ୍ଠ ଓକିଲ ଅଜ୍ଜବଲ ନିକମଙ୍କ ଜେଡ୍‌ ପ୍ଲସ ସୁରକ୍ଷା ମଧ୍ୟ ହଟାଯାଇ ୱାଇ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ୟପଟେ ସମାଜସେବୀ ଆନ୍ନା ହାଜାରେଙ୍କ ସୁରକ୍ଷା ୱାଇ ଶ୍ରେଣୀରୁ ଜେଡ୍‌ ଶ୍ରେଣୀକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ, ସୁରକ୍ଷା ବୃଦ୍ଧି କିମ୍ବା ହ୍ରାସ କରିବାର ନିଷ୍ପତ୍ତି ଏକ ସ୍ବତନ୍ତ୍ର କମିଟି ନେଇଥାଏ। ଏହି କମିଟି ପ୍ରତି ୩ମାସରେ ସୁରକ୍ଷାଧାରୀଙ୍କ ପ୍ରତି ରହିଥିବା ବିପଦର ଆକଳନ କରିଥାଏ। ଗୁଇନ୍ଦା ସଂସ୍ଥା ଏବଂ ପୁଲିସର ତଥ୍ୟକୁ ଆଧାର କରି କାହାର ସୁରକ୍ଷା ବୃଦ୍ଧି କରାଯିବ ଏବଂ କାହାର ହ୍ରାସ କରାଯିବ ସେନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ। ଏହି ସମିତି ୯୭ ଜଣଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲା। ସେଥିରୁ ୨୯ ଜଣଙ୍କୁ ସୁରକ୍ଷା ହ୍ରାସ କରିବା ସହିତ ୧୬ ଜଣଙ୍କର ସୁରକ୍ଷା ବଢ଼ାଇବାକୁ ସୁପାରିସ କରିଥିଲା।


Share It

Comments are closed.